ମଦ ନିଶା ଉଜାଡ଼ି ଦେଲା ସୁନାର ସଂସାର, ସ୍ତ୍ରୀପୁଅଙ୍କୁ ହତ୍ୟା କରି ଗଛରେ ଲୁଚିଥିଲେ

0
87

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୨୪/୦୭) : ମଦ ନିଶା ଉଜାଡ଼ି ହେଲା ସୁନାର ସଂସାର । ନିଜ ୫ବର୍ଷର ପୁଅ ଓ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଛନ୍ତି ଜଣେ ବ୍ୟକ୍ତି ।

ଏପରି ଲୋମଟାଙ୍କୁରା ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ତେସିଙ୍ଗା ପଞ୍ଚାୟତ କୁଶଗଡିଆରେ ଗାଁ’ରେ । ମୃତକ ହେଲେ କାଞ୍ଚନ ନାୟକ ଓ ତାଙ୍କ ପୁଅ ଉତ୍କଳ । ଅଭିଯୁକ୍ତ ବାପା ଉମେଶ ନାୟଙ୍କୁ ପୁଲିସ ଅଟକ ରଖିଛି । ବନ୍ତ ଅଞ୍ଚଳର ଉମେଶ କୁଶଗଡିଆ ଗ୍ରାମରେ ନିଜ ପୁଅ ଓ ସ୍ତ୍ରୀ ସହିତ ୩ବର୍ଷ ଧରି ଭଡ଼ାରେ ରହୁଥିଲେ । ତେବେ ବିଭିନ୍ନ ସମୟ ଉମେଶ ମଦ ପିଇ ଘରକୁ ଆସି ନିଜ ସ୍ତ୍ରୀକୁ ମାଡ଼ ମାରିଥାନ୍ତି । ଏହାକୁ ନେଇ ବିଭିନ୍ନ ସମୟରେ ପାରିବାରିକ ଅଶାନ୍ତି ଦେଖା ଦେଇଥାଏ । ତେବେ ଗତକାଲି ବିଳମ୍ବିତ ରାତିରେ ଉମେଶ ମଦ ପିଇ ଘରକୁ ଫେରିଥିଲେ ।

ମଦ ନିଶାରେ ପ୍ରଥମେ ପୁଅର ତଣ୍ଟିଚିପି ହତ୍ୟା କରିଥିଲେ । ପୁଅର ଚିତ୍କାର ଶୁଣି ଉମେଶଙ୍କ ସ୍ତ୍ରୀର ନିଦ ଭାଙ୍ଗି ଯାଇଥିଲା । ଏନେଇ ସେ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଉମେଶ ଛାଡ଼ି ନଥିଲେ । ତାଙ୍କୁ ମଧ୍ୟ ତଣ୍ଟିଚିପି ହତ୍ୟା କରିଥିଲେ । ପୁଅ ଓ ସ୍ତ୍ରୀକୁ ହତ୍ୟା ଉମେଶ ଫେରାର ହୋଇଯାଇଥିଲେ । ଏପରିକି ଗାଁ ପାଖ ଏକ ଗଛ ଉପରେ ଚଢି ଉମେଶ ଲୁଚିକି ବସିଥିଲେ । ଆଜି ସକାଳେ ଗ୍ରାମବାସୀ ଘଟଣାସମ୍ପର୍କରେ ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ । ପୁଲିସସ ପହଞ୍ଚି ଉମେଶଙ୍କୁ କବୁ କରିଥଲା । ଉମେଶ ମଧ୍ୟ ପୁଲିସ ପାଖରେ ସବୁ କଥା ମାନିଥିଲେ । ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି ।