1. Big News : ଆଜି ବିଶ୍ବ ବ୍ୟାଘ୍ର ଦିବସ : ଓଡ଼ିଶାରେ ଜାତୀୟ ପଶୁଙ୍କ ସୁରକ୍ଷା ନେଇ ବଢିଲା ଚିନ୍ତା

0
64
ଆଜି ବିଶ୍ବ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୯/୦୭) : ଭାରତର ଜାତୀୟ ପଶୁ ବାଘ । ଆଜି ବିଶ୍ବ ବ୍ୟାଘ୍ର ଦିବସ । ସାରା ବିଶ୍ବରେ ଥିବା ବାଘ ସଂଖ୍ୟାର ୭୫ ପ୍ରତିଶତ କେବଳ ଭାରତରେ ଦେଖିବାକୁ ମିଳନ୍ତି । ଭାରତୀୟ ପରମ୍ପରାରେ ବାଘ ଓ ମଣିଷର ସମ୍ପର୍କ ଯୁଗ ଯୁଗରୁ ରହି ଆସିଛି ।

ଆଜି ବିଶ୍ବ ବ୍ୟାଘ୍ର ଦିବସ : ସେଥିପାଇଁ ମାଆ ଦୁର୍ଗା ସେରାୱାଲି ନାମରେ ଦେଶର ବିଭିନ୍ନ ସ୍ଥାନରେ ପୂଜିତ । କିନ୍ତୁ ଅବାଧ ଶିକାର ଯୋଗୁଁ ଏକଦା ଦେଶରେ ବାଘ ବଂଶ ଲୋପ ପାଇବା ଅଭିମୂଖେ ଥିବା ବେଳେ ସରକାର ଓ ବଣ୍ୟଜନ୍ତୁ ପ୍ରେମୀଙ୍କ ଉଦ୍ୟମ ଯୋଗୁଁ ବିଗତ କିଛି ବର୍ଷ ମଧ୍ୟ ବାଘ ସଂଖ୍ୟା ଦେଶରେ ଲଗାତାର ବୃଦ୍ଧି ପାଇବାରେ ଲାଗିଛି । କହିବାକୁ ଗଲେ ବାଘ ସଂଖ୍ୟା ବୃଦ୍ଧି କ୍ଷେତ୍ରରେ ଭାରତ ସାରା ବିଶ୍ବର ଏକ ଉଦାହରଣ ପ୍ରସ୍ତୁତ କରିଛି । ବର୍ତ୍ତମାନର ମୋଦି ସରକାରଙ୍କ ପ୍ରାଥମିକା ମଧ୍ୟରେ ଅନ୍ୟତମ ବାଘ ବଂଶ ବୃଦ୍ଧି । ଗତ ୪ ବର୍ଷର ପରିସଂଖ୍ୟନ କହୁଛି ଦେଶରେ ମହାବଳ ବାଘ ସଂଖ୍ୟା ୨୦୦ ବୃଦ୍ଧି ପାଇଛି ।

ଗତ ଏପ୍ରିଲ ୯ ତାରିଖରେ ‘ପ୍ରୋଜେକ୍ଟ ଟାଇଗର’ର ୫୦ ବର୍ଷ ପୂର୍ତ୍ତି ଅବସରରେ କର୍ଣ୍ମାଟକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବାରା ଉନ୍ମୋଚିତ ରିପୋର୍ଟରେ ଦେଶର ମହାବଳ ବାଘଙ୍କ ସଂଖ୍ୟା ବୃଦ୍ଧି ନେଇ ସକରାତ୍ମକ ଚିତ୍ର ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ ୨୦୦୬ରେ ଦେଶରେ ରୟାଲ ବେଙ୍ଗଲ ଟାଇଗରଙ୍କ ସଂଖ୍ୟା ଥିଲା ୧ ହଜାର ୪୧୧, ୨୦୧୦ରେ ଏହି ସଂଖ୍ୟା ୧ ହଜାର ୭୦୬ ପହଞ୍ଚିଥିଲା, ୨୦୧୪ରେ ହୋଇଥିଲା ୨ ହଜାର ୨୨୬, ୨୦୧୮ରେ ଏହା ୨ ହଜାର ୯୬୭ ବୃଦ୍ଧି ପାଇଥିବା ବେଳେ ରିପୋର୍ଟ ଅନୁସାରେ ୨୦୨୨ ସୁଦ୍ଧା ଦେଶରେ ବାଘ ସଂଖ୍ୟା ରହିଛି ୩ ହଜାର ୧୬୭ ରହିଛି ।

ପ୍ରୋଜେକ୍ଟର ୫୦ ବର୍ଷ ପୂର୍ତ୍ତି ଅବସରରେ ଇଣ୍ଟରନ୍ୟାସନାଲ୍ ବିଗ୍ କ୍ୟାଟ୍ ଆଲାଏନ୍ସର ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ବାଘ ସୁରକ୍ଷା ଓ ସଂରକ୍ଷଣ ଦିଗରେ କାମ କରିବ। ୭ ପ୍ରମୁଖ ବିଗ୍ କ୍ୟାଟ୍ ବାଘ, ସିଂହ, ଲିଓପାର୍ଡ, ସ୍ନୋ ଲିଓପାର୍ଡ, ପୁମା, ଜାଗୁଆର ଏବଂ ଚିତାର ସୁରକ୍ଷା କରିବ ଏହି ଆଲାଏନ୍ସ । ୫୦ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା `ପ୍ରୋଜେକ୍ଟ ଟାଇଗର’ ଦେଶର ବିଭିନ୍ନ ରାଜ୍ୟରେ ସଫଳ ହୋଇଛି । କିନ୍ତୁ ଓଡ଼ିଶାରେ ଏହା ଓଲଟା ଫଳ ଦେଇଛି । ବାଘ ସଂଖ୍ୟା ବଢିବା ପରିବର୍ତ୍ତେ ବର୍ଷକୁ ବର୍ଷ ।

ଲଗାତାର କମି ଚାଲିଛି ବାଘଙ୍କ ସଂଖ୍ୟା। ନ୍ୟାସନାଲ୍ ଟାଇଗର କନଜରଭେସନ୍ ଅଥରିଟି ବା ଏନଟିସିଏ ତଥ୍ୟ ଅନୁସାରେ ରାଜ୍ୟରେ ୨୦୦୬ ମସିହାରେ ମହାବଳ ବାଘ ସଂଖ୍ୟା ୪୫ ଥିବାବେଳେ ୨୦୧୮ରେ ବାଘ ସଂଖ୍ୟା ୨୮କୁ ଖସି ଆସିଥିଲା । ବିଗତ କିଛି ବର୍ଷରେ ରାଜ୍ୟରେ ଯେଉଁଭଳି ଭାବେ ବାଘଙ୍କର ଅବାଧ ଶିକାର ଚାଲିଛି ଏହି ସଂଖ୍ୟା ଆହୁରି କମିଥିବା ଆଶଙ୍କା କରୁଛନ୍ତି ପରିବେଶବିତ ।

ରାଜ୍ୟର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଅବାଧ ଶିକାର ଜାରି ରହିଥିବା ବେଳେ ବନ ବିଭାଗ ଉପାୟ ଶୂନ୍ୟ ହୋଇ ବସିଛି । ରବିବାର ଶିମିଳିପାଳ ଅଭୟାରଣ୍ୟରୁ ଆଉ ୪ଟି ବାଘ ଛାଲ ଜବତ କରାଯିବା ସହ ୩ଜଣଙ୍କୁ ଗିରଫ କରାଯାଇଛି । ୨ଜଣ ଅଭିଯୁକ୍ତ ଚମ୍ପଟ ମାରିଛନ୍ତି । କେବଳ ୨୦୨୩ ମସିହାରେ ଏଯାଏଁ ୧୩ଟି କଲରାପତରିଆ ବାଘଛାଲ ଜବତ ହୋଇଥିବା ଜଣାପଡ଼ିଛି । ଶିକାରୀମାନେ ସାରା ରାଜ୍ୟରେ ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଥିବା ବେଳେ ବନ୍ୟଜନ୍ତୁ ତସ୍କରୀ ଓ ଦଲାଲ ଏକଜୁଟ ହୋଇ ଏଭଳି କାର୍ଯ୍ୟକଳାପ ବୃଦ୍ଧି କରିଛନ୍ତି । ସେପଟେ ବନ୍ୟଜନ୍ତୁ ଶିକାର ରୋକିବାକୁ ନାଁକୁ ମାତ୍ର ଏସଟିଏଫ୍ ସ୍ବତନ୍ତ୍ର ଅଭିଯାନ ଚଳାଉଛି । କାହିଁକି ନା କେବଳ ୨୦୧୯ରୁ ଏଯାଏଁ ୯୧ଟି ବାଘଛାଲ ଜବତ ହୋଇସାରିଲାଣି ।

କିନ୍ତୁ ବିଗତ ୨୦ ବର୍ଷ ମଧ୍ୟରେ ଏଭଳି ଅପରାଧରେ ସାମିଲ ଥିବା କୌଣସି ଅପରାଧିଙ୍କୁ ଦୋଷି ସାବ୍ୟସ୍ତ କରାଯାଇ ପାରି ନ ଥିବା ବେଳେ କାହାକୁ ଦଣ୍ଡବିଧାନ ହୋଇନାହିଁ । ଯାହାଦ୍ବାରା ଏଭଳି କାର୍ଯ୍ୟରୁ ଶିକାରୀମାନେ ବିରତ ରହିବା ପରିବର୍ତ୍ତେ ଅଧିକ ସକ୍ରିୟ ହୋଇଛନ୍ତି । ଶିକାରୀ ବନକର୍ମଚାରୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇ ଅବାଧ ଶିକାର କରୁଛନ୍ତି । ତ ଆଉ କେତେବେଳେ ବନ ବିଭାଗର ବାବୁ ଓ କର୍ମଚାରୀ ଶିକାରୀଙ୍କ ସହ ହାତ ମିଶେଇଥିବା ସାମ୍ନାକୁ ଆସୁଛି । ଏଥିରୁ ଓଡ଼ିଶା ସରକାରଙ୍କ ବଣ୍ୟଜନ୍ତୁ ସୁରକ୍ଷା ପ୍ରତି ପ୍ରତିବଦ୍ଧତା କେତେ ତାହା ଜଳ ଜଳ ହୋଇ ଦେଖାଯାଉଛି । ଯଦି ବାକି ରାଜ୍ୟ ସଫଳତାର ସହ ବାଘ ବଂଶ ବୃଦ୍ଧି କରିପାରୁଛନ୍ତି ଆମର ୨୩ ବର୍ଷର ଧରି ଏକ ସ୍ଥିର ସରକାର ଥିବା ସତ୍ବେ ଓଡ଼ିଶା କାହିଁକି ଫେଲ ମାରିଛି ।