ଅତିରିକ୍ତ ତହସିଲଦାର ନେଉଥିଲେ ଲାଞ୍ଚ, ଘର ଆଗରୁ ଉଠାଇ ନେଲା ଭିଜିଲାନ୍ସ

0
60

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୟାଗଡ, (୨୯/୦୭) : ବାଲି ଗାଡ଼ି ଛାଡ଼ିବା ପାଇଁ ହୋଇଥିଲା ଡିଲ୍‌ । ପୂର୍ବରୁ ୧୦ ହଜାର ନେଇଥିବା ବେଳେ ଅବଶିଷ୍ଟ ୩ ହଜାର ଟଙ୍କା ନେଉଥିବା ବେଳେ ଘର ଆଗରୁ ଅତିରିକ୍ତ ତହସିଲଦାରଙ୍କୁ ଉଠାଇ ନେଇଛି ଭିଜିଲାନ୍ସ ।

ଏପରି ଏକ ଘଟଣା ଆଜି ନୟାଗଡ ଜିଲ୍ଲା ଗଣିଆ ତହସିଲ କାର୍ଯ୍ୟାଳୟରେ ଘଟିଛି । ଅତିରିକ୍ତ ତହସିଳଦାର ଜଣକ ହେଉଛନ୍ତି ଗଣିଆ ତହସିଲ ଅତିରିକ୍ତ ତହସିଲଦାର ବନମାଳୀ ପରିଡ଼ା । ନୟାଗଡ ଜିଲ୍ଲା ଗଣିଆ ତହସିଲି କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ତହସିଲଦାର ବନମାଳୀ ପରିଡ଼ାଙ୍କୁ ଦିନ ଆଜି ସକାଳ ୯ଟାରେ ଗଣିଆ ତହସିଲ କଲୋନୀରୁ ଉଠାଇ ନେଇଛି ଭିଜିଲାନ୍ସ । ଗତକାଲି ଗଣିଆ ଥାନା ରାଉତପଡ଼ା ମହାନଦୀ ଘାଟରୁ ଏକ ବାଲି ବୋଝେଇ ଗାଡ଼ି ଧରିଥିଲେ ତହସିଲ କର୍ମଚାରୀ । ଗାଡ଼ି ଛାଡ଼ିବା ନିମନ୍ତେ ୧୩ ହଜାରରେ କଥା ଛିଣ୍ଡିଥିଲା । ଗତକାଲି ଘଟଣାସ୍ଥଳରେ ଗାଡ଼ି ମାଲିକ ୧୦ ହଜାର ଦେଇଥିବା ବେଳେ ଆଜି ୩ ହଜାର ଦେବେ ବୋଲି କହିଥିଲେ। ଆଜି ସକାଳେ ଟ୍ରାକ୍ଟର ମାଲିକ ଗଣିଆ ତହସିଲ କଲୋନୀରେ ଅତିରିକ୍ତ ତହସିଲଦାର ବନମାଳୀ ପରିଡ଼ାଙ୍କୁ ଅବଶିଷ୍ଟ ୩ ହଜାର ଟଙ୍କା ଦେବାକୁ ଯାଇଥିଲେ । ଉକ୍ତ ସମୟରେ ସେଠାରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ କର୍ମଚାରୀ ତାଙ୍କୁ ଉଠାଇ ନେଇଛନ୍ତି । ନୟାଗଡ ଓ ଭୁବନେଶ୍ୱର ଭିଜିଲାନ୍ସର ଟିମ୍‌ ମିଳିତ ଭାବେ ଅତିରିକ୍ତ ତହସିଲଦାରଙ୍କୁ ଉଠାଇ ନେଇଥିବା ଜଣାଯାଇଛି ।