ଶ୍ରଦ୍ଧାଞ୍ଜଳି ସଭା : ଭାଗବତ ନନ୍ଦ ଜଣେ ସ୍ପଷ୍ଟଭାଷୀ ତଥା ମିଷ୍ଟଭାଷୀ ମଣିଷ ଥିଲେ

0
45
ଶ୍ରଦ୍ଧାଞ୍ଜଳି

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୪/୦୯) : ପ୍ରଖ୍ୟାତ ସମାଜ ସେବୀ ତଥା ପ୍ରବୀଣ ସାମ୍ବାଦିକ ସ୍ବର୍ଗତ ଭାଗବତ ପ୍ରସାଦ ନନ୍ଦଙ୍କ ଶ୍ରାଦ୍ଧ ବାର୍ଷିକୀ ଶ୍ରଦ୍ଧାଂଜଳି ସଭା ଆଜି ସୁବର୍ଣ୍ଣପୁର ମହାରାଜା ଉଚ୍ଚ ବିଦ୍ୟାଳୟ ଶତାଦ୍ଦୀ ସମ୍ମିଳନୀ କକ୍ଷରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଯୋଗଦେଇ ସ୍ବର୍ଗତ ଭାଗବତ ନନ୍ଦଙ୍କ ଜୀବନର ବିଭିନ୍ନ ବିଭାବ ସଂପର୍କରେ ସବିଶେଷ ଆଲୋକପାତ କରିବାସହ ସେ ଜଣେ ସ୍ପଷ୍ଟଭାଷୀ ତଥା ମିଷ୍ଟଭାଷୀ ବ୍ୟକ୍ତି ଥିବା ଯୋଗୁଁ ସମସ୍ତଙ୍କ ପ୍ରିୟଭାଜନ ହୋଇ ପାରିଥିଲେ ବୋଲି କହିଥିଲେ । ପଦ୍ମଶ୍ରୀ ହଳଧର ନାଗ, ବିଜୁ ସ୍ବାସ୍ଥ୍ୟ ଯୋଜନା ର ନିର୍ଦ୍ଦେଶିକା ନାରୀ ନେତ୍ରୀ ତଥା ସମାଜସେବୀ ନିବେଦିତା ନାଏକ ସମ୍ମାନିତ ଅତିଥିଭାବେ ଯୋଗଦେଇ ଭାଗବତ ବାବୁଙ୍କ ସମାଜ ସେବା ତଥା ସାମ୍ବାଦିକ ଜୀବନ ଉପରେ ଆଲୋକପାତ କରିବା ସହ ତାଙ୍କର କୋଶଲି/ସମ୍ବଲପୁରି ଭାଷା ସଂସ୍କୃତିର ସୁରକ୍ଷା ଓ ସମୃଦ୍ଧି କ୍ଷେତ୍ରରେ ଅବଦାନ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ।

ଅନ୍ୟତମ ଅତିଥି ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ତଥା ଭାଗବତ ନନ୍ଦ ସ୍ମୃତି କମିଟୀର ସଭ୍ୟ ରଘୁନାଥ ମିଶ୍ର ଭାଗବତ ନନ୍ଦଙ୍କ ଜୀବନ ଦର୍ଶନ ସଂପର୍କରେ ଆଲୋକପାତ କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଂଘ ଓ ସମ୍ବଲପୁର ସ୍ମୃତି କମିଟୀର ମିଳିତ ଆୟୋଜନରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ସାମ୍ବାଦିକ ସଂଘ ସଭାପତି ଗୋରେଖନାଥ ସାହୁ ଅଧ୍ୟକ୍ଷତା କରି କୋଶଳ ଆନ୍ଦୋଳନରେ ଭାଗବତ ବାବୁଙ୍କ ସକ୍ରିୟ ଭୂମିକା ସଂପର୍କରେ ଆଲୋଚନା କରିବା ସହ ପଶ୍ଚିମ ଓଡିଶାବାସୀଙ୍କ ମାତୃଭାଷା ଓ ମାତୃ ସଂସ୍କୃତି କୁ ସାମ୍ବିଧାନିକ ମାନ୍ୟତା ନ ମିଳିଲେ ପଶ୍ଚିମ ଓଡିଶାବାସୀଙ୍କ ପରିଚିତି ଚିରଦିନ ପାଇଁ ଲୁପ୍ତ ହୋଇଯିବାର ସମ୍ଭାବନା ସୃଷ୍ଟି ହୋଇଛି ବୋଲି ବୁଦ୍ଧିଜୀବୀ ତଥା ସାଧାରଣ ଜନତାଙ୍କୁ ସଚେତନ କରି ଦେଇଥିଲେ । ଭାଗବତ ନନ୍ଦ ସ୍ମୃତି କମିଟୀ ସଂଯୋଜକ ଡ: ଗୌରିଦାସ ପଧାନ ସ୍ମୃତି କମିଟୀର କାର୍ଯ୍ୟକାରୀତା ସଂପର୍କରେ ସୂଚନା ଦେଇଥିଲେ ।

ସଭାଟିକୁ ସାମ୍ବାଦିକ ବୀରେନ୍ଦ୍ର କୁମାର ଝାଙ୍କର ସଂଯୋଜନା କରିଥିବା ବେଳେ ଉପସ୍ଥିତ ଜନତା ମଧ୍ୟରୁ ବରିଷ୍ଠ ନାଗରିକ ଡା: ରାଜେନ୍ଦ୍ର କୁମାର ମିଶ୍ର, ପ୍ରାଧ୍ୟାପିକା ରେଣୁକା ମିଶ୍ର, କବି ଆର୍ତ୍ତତ୍ରାଣ ବାବୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ । ଏହି ଉପଲକ୍ଷେ ଆର୍ତ୍ତତ୍ରାଣ ବାବୁଙ୍କ ରଚିତ ଦୁଇଟି ପୁସ୍ତକ ଚାଷ ଦର୍ପନ ଓ ଚାଷ ଭାଗବତ କୋଶଲି ଭାଷାରେ ଲୋକାର୍ପଣ ହୋଇଥିଲା । ସଭାପୂର୍ବରୁ ଶ୍ରୀ ଗଣେଶଙ୍କ ଠାରେ ପୂଜାର୍ଚ୍ଚନା କରିବା ସହ ଭାଗବତ ନନ୍ଦଙ୍କ ପ୍ରତିଛବିରେ ମାଲ୍ୟାର୍ପଣ କରାଯାଇଥିଲା । ଏହି ଉପଲକ୍ଷେ ଭାଗବତ ନନ୍ଦଙ୍କ ସହଧର୍ମିଣୀ ସୌଦାମିନୀ ନନ୍ଦ ଓ ପୁତ୍ର ଶିବ ପ୍ରସାଦ ନନ୍ଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ମୃତି କମିଟୀର ସଭ୍ୟ ପଦ୍ମଶ୍ରୀ ଶାନ୍ତି ଦେବୀ, ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସ, ଦେବେନ୍ଦ୍ର କୁମାର ମିଶ୍ର (ଆଇ.ଏ.ଏସ) , ଏମ. ପି ସୁବସ ନାଏକ, ଚିତ୍ରଶିଳ୍ପୀ ପଦ୍ମନାଭ ମିଶ୍ର, କବି ଦୁସେନ ରବି ଗାନ୍ଧୀଙ୍କ ଆତ୍ମାର ସଦଗତି ନିମସନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।

ଏହି ସଭାରେ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ବ୍ଲକର ସାମ୍ବାଦିକ ମାନଙ୍କ ସହିତ ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ରର ସଭ୍ୟା ତଥା ବରିଷ୍ଠ ନାଗରୀକ ସଂଘର କାର୍ଯ୍ୟକର୍ତ୍ତା, ଶ୍ରୀ ଗୋପାଳଜୀ ଯୋଗାଳୟର ସଭ୍ୟ ଓ ବିଭିନ୍ନ ଆଧ୍ୟତ୍ମିକ ଅନୁଷ୍ଠାନର କର୍ମକର୍ତ୍ତା ଓ ସଭ୍ୟାଙ୍କ ସାଧାରଣ ଲୋକ ଯୋଗଦେଇଥିଲେ । ଶେଷରେ ଜିଲ୍ଲା ସାମ୍ବାଦିକ ସଂଘର ସଂପାଦକ ବ୍ୟୋମକେଶ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।