ସୁପାରୀ ଦେଇ ପତ୍ନୀଙ୍କୁ ହତ୍ୟା କଲା ରାକ୍ଷସ ସ୍ୱାମୀ

0
49
ସୁପାରୀ ଦେଇ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୨୭/୦୯) : ସ୍ତ୍ରୀ ହତ୍ୟା ପାଇଁ ସ୍ୱାମୀର ସୁପାରୀ ଦେବା ଘଟଣାରେ ଆସିଛି ନୂଆ ମୋଡ଼ । ସୁନୀତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ ।

ଏହି ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ, ସୁନିତାଙ୍କର ମୃତ୍ୟୁ କିଭଳି ହେଲା, ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହେବ ବୋଲି କହିଛନ୍ତି ସଦର ଏସଡ଼ିପିଓ । ସୁନୀତା ଘଣା ହତ୍ୟା ଘଟଣାରେ ସ୍ବାମୀ ସୁରେଶ ପରିଡା ସୁପାରୀ କିଲରଙ୍କ ସାହାଯ୍ୟ ନେଇଥିବା ପୋଲିସ ତଦନ୍ତରୁ ସ୍ପଷ୍ଟ ହୋଇଥିବା ବେଳେ ଏବେ ଏହି ଘଟଣାରେ ଆସିଛି ନୂଆ ମୋଡ଼ । ସୁନିତା ଗତ ୩ ତାରିଖରୁ ନିଖୋଜ ହୋଇଥିବା ବେଳେ ତାଙ୍କର ମୃତଦେହ ୧୮ ତାରିଖ ଦିନ ମଲଦା ନଦୀରୁ ମିଳିଥିଲା । ସୁନୀତାଙ୍କ ମୃତଦେହ ଅର୍ଦ୍ଧନଗ୍ନ ଅବସ୍ଥାରେ ମିଳିଥିଲା । ଏନେଇ ପୋଲିସ ପୂର୍ବରୁ ଅଭିଯୁକ୍ତ ସ୍ୱାମୀଙ୍କୁ ନେଇ ଘଟଣାସ୍ଥଳରେ ସିନ୍ ରିକ୍ରିଏସନ୍ କରିଥିବା ବେଳେ ଆଜି ସକାଳୁ ପୁନର୍ବାର ସୁନୀତାଙ୍କ ପରିବାର ଲୋକ ଏବଂ ଅଭିଯୁକ୍ତମାନଙ୍କୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି ।

ତେବେ ମୃତ ମହିଳାଙ୍କ ପରିବାର ଲୋକଙ୍କ ଅଭିଯୋଗ, ପ୍ରଥମେ ଗୃହବନ୍ଦୀ କରି ରଖିବା ସହ ଗଣଦୁଷ୍କର୍ମ କରାଯାଇଛି ଓ ପରେ ହତ୍ୟା କରାଯାଇଛି । ଏହି ମାମଲାରେ ସୁନୀତାଙ୍କ ସ୍ଵାମୀ ସୁରେଶ ପରିଡ଼ା ଓ ଅନ୍ୟ ଜଣକୁ ଗିରଫ କରାଯାଇଥିବା ବେଳେ ଘଟଣାର ଅନ୍ୟ ଅଭିଯୁକ୍ତମାନଙ୍କୁ ଯଥାଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ସଦର ଏସଡ଼ିପିଓ । ସୁନୀତାଙ୍କ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ କିଭଳି ହେଲା, ସେ ସମ୍ପର୍କରେ ମଧ୍ୟ ଜଣାପଡିବ ବୋଲି ସେ କହିଥିଲେ ।