ମଦ ନିଶାରେ ଶ୍ରେଣୀ ଗୃହ ଆଗରେ ଗଡ଼ୁଛନ୍ତି ପ୍ରଧାନଶିକ୍ଷକ

0
46
ମଦ ନିଶାରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୨୮/୦୯) : ପ୍ରଧାନ ସାରଙ୍କର ମନ ହେଲା । ସେଥିପାଇଁ ବିଦ୍ୟାଳୟ ଆସିଲା ବେଳେ ଟିକେ ହାଲ୍‌କେଇ ଟେକିଦେଇ ଆସିଥିଲେ । ହେଲେ ବିଦ୍ୟାଳୟରେ ପହଞ୍ଚିଲା ବେଳେକୁ ସାରଙ୍କ ମୁଣ୍ଡକୁ ଉଠି ଯାଇଥିଲା ନିଶା ।

ମଦ ନିଶାରେ ଶ୍ରେଣୀ ଗୃହ ଆଗରେ ଗଡ଼ୁଛନ୍ତି ପ୍ରଧାନଶିକ୍ଷକ । କଷ୍ଟେମଷ୍ଟେ ଗେଟ୍‌ ଖୋଲି ବିଦ୍ୟାଳୟ କ୍ୟାମ୍ପସରେ ପଶିଲେ  । ଆଉ ଶ୍ରଣୀ ଗୃହ ସମ୍ମୁଖରେ ତଳେ ପଡ଼ି ବାଉଳି ଚାଉଳି ହେଉଥିଲେ । ଏପରି ଚିତ୍ର ଆସିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଅଞ୍ଚଳରୁ । ହରିଚନ୍ଦନପୁର ବ୍ଲକ୍‌ ବଡ଼ପଳାଶ ପାଳ ପଞ୍ଚାୟତ ଗରହଡ଼ ବାହାଳରେ ରହିଛି ଏକ ପ୍ରାଥମିକ ବିଦ୍ୟାଳୟ । ସେଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ପ୍ରଧାନଶିକ୍ଷକ ବସନ୍ତ କୁମାର ମୁଣ୍ଡାଙ୍କୁ ମିଶାଇ ବିଦ୍ୟାଳୟରେ ଦୁଇ ଜଣ ଶିକ୍ଷକ ଅଛନ୍ତି । ଆଜି ସକାଳେ ବିଦ୍ୟାଳୟ ଆସୁଥିଲେ ପ୍ରଧାନଶିକ୍ଷକ ଶ୍ରୀ ମୁଣ୍ଡା । ବିଦ୍ୟାଳୟ ଆସିଲା ବେଳେ ସେ ନିଶା ସେବନ କରି ଆସିଥିଲେ ।

ବିଦ୍ୟାଳୟରେ ପହଞ୍ଚିଲା ବେଳକୁ ନିଶା ତାଙ୍କ ମୁଣ୍ଡକୁ ଉଠି ଯାଇଥିଲା । ସେ ଚାଲିବା ଅବସ୍ଥାରେ ନଥିଲେ । କଷ୍ଟମଷ୍ଟେ ଗେଟ୍‌ ଖୋଲି ବିଦ୍ୟାଳୟ କ୍ୟାମ୍ପସ ଭିତରକୁ ଯାଇଥିଲେ । ହେଲେ ଶ୍ରେଣୀ ଗୃହ ଓ ଅଫିସ୍‌ର ତାଲା ଖୋଲି ପାରିଲେ ନାହିଁ । ତେଣୁ ସେ ଶ୍ରେଣୀ ଗୃହ ଆଗରେ ନିଶାରେ ଗଡ଼ୁଥିଲେ । ଛାତ୍ରଛାତ୍ରୀ ମାନେ ନିର୍ଦ୍ଧାରିତ ସମୟରେ ବିଦ୍ୟାଳୟ ଆସିଥିଲେ । ସେତେବେଳେ ସାର୍‌ଙ୍କ ଏପରି ଅବସ୍ଥା ଦେଖି ପିଲାମାନେ କିଛି ବୁଝି ପାରିନଥିଲେ । ସେମାନେ ସଙ୍ଗେ ସଙ୍ଗେ ଅଭିଭାବକଙ୍କୁ ଜଣାଇଥିଲେ ।

ଅଭିଭାବକମାନେ ବିଦ୍ୟାଳୟରେ ପହଞ୍ଚି ପାଣି ଛିଞ୍ଚାଛିଞ୍ଚି କରିଥିଲେ । ହେଲେ ନିଶାରେ ଥିବାରୁ ସାର୍‌ ଉଠିବା ଅବସ୍ଥାରେ ନଥିଲେ । ମଦ୍ୟପ ସାରଙ୍କ ଏପରି ଅବସ୍ଥାର ଚିତ୍ରକୁ ଭିଡ଼ିଓରେ କଏଦ କରିଥିଲେ ଅଭିଭାବ । ଆଉ ସେହି ଭିଡିଓକୁ ସୋଶାଲ୍‌ ମିଡ଼ିଆରେ ଛାଡ଼ି ଦେଇଥିଲେ । ଭିଡିଓ ଭାଇରାଲ୍‌ ହୋଇ ଶିକ୍ଷା ବିଭାଗ ହାତରେ ପଡ଼ିଥିଲା । ଘଟଣାର ତଦନ୍ତ ପାଇଁ ହରିଚନ୍ଦନପୁର ବ୍ଲକ ଶିକ୍ଷା ଅଧିକାରୀ ଚିନ୍ମୟ କୁମାର ରାଉତ ସିଆର୍‌ସିସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏନେଇ ପ୍ରଧାନଶିକ୍ଷକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।