ଜିଲ୍ଲା ସୀମାନ୍ତ ଅଞ୍ଚଳରେ ଗମନାଗମନ ବ୍ୟବସ୍ଥା ବିପର୍ଯ୍ୟସ୍ତ

0
45
ଜିଲ୍ଲା ସୀମାନ୍ତ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୧/୧୦) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ବାଙ୍କିଘିର୍ଡି ପଞ୍ଚାୟତ ଅନ୍ତର୍ଗତ ହୁତୁମା ରୁ ପଡୋଶୀ ବରଗଡ଼ ଜିଲ୍ଲା ଭେଡେନ ବ୍ଳକ ଅନ୍ତର୍ଗତ ପୁଡାପାଲି ଗାଁ କୁ ସଂଯୋଗ କରୁଥିବା ରାସ୍ତାଟି ମରାମତି ଅଭାବରୁ ବର୍ତ୍ତମାନ ଅତ୍ୟନ୍ତ ଶୋଚନୀୟ ହୋଇପଡିଛି ।

ଏହି ରାସ୍ତାରେ ବିନିକା ବ୍ଳକ ର ହୁତୁମା, ସାରଙ୍ଗପାଲି, ବାଙ୍କିଘିର୍ଡି, କୁକୁଡାଝୋଲି, ଅରିଗାଁ, ଆଖିଦାଦର, ବାବୁପାଲି, ବାଗଡିଆ, ପଲସାପାଲି, ଦେଣ୍ଡୁପଦର, ଖଲିଆପାଲି, ସିଂଘିଯୁବା ସମେତ ବରଗଡ଼ ଜିଲ୍ଲାର ପୁଡାପାଲି, ବରପଦର, ଅଛାଣ୍ଡପାଲି, ଜାମପାଲି, ହୀରୋମୁଣ୍ଡା, ପାଙ୍କେଲଦାଦର, ଲୁହାଖଣ୍ଡି, ଭେଡେନ ଇତ୍ୟାଦି ଅଞ୍ଚଳର ଲୋକେ ବରଗଡ଼ ଓ ସୋନପୁର ଜିଲ୍ଲାର ନିଜ ନିଜର ସମ୍ପର୍କୀୟ ମାନଙ୍କ ଘରକୁ ଯିବା ଆସିବା କରୁଥିବା ବେଳେ ଅନ୍ୟାନ୍ୟ ସ୍ଥାନକୁ ଯାତାୟତ ପାଇଁ ମଧ୍ୟ ନିର୍ଭର କରନ୍ତି।ବାଙ୍କିଘିର୍ଡି, ବାବୁପାଲି, ସାରଙ୍ଗପାଲି, ବାଗଡିଆ, ପଲସାପାଲି ଇତ୍ୟାଦି ଗ୍ରାମର ଛାତ୍ରଛାତ୍ରୀ ମାନେ ବିଭିନ୍ନ ଚାରିଚକିଆ ଗାଡି ଯୋଗେ ବରଗଡ଼ ଜିଲ୍ଲା ଭେଡେନ ର ଶିକ୍ଷାନୁଷ୍ଠାନ ମାନଙ୍କୁ ପାଠ ପଢିବା ପାଇଁ ପ୍ରତ୍ୟହ ଯାଉଥିବା ବେଳେ ରାସ୍ତାର ବିପର୍ଯ୍ୟସ୍ତ ତଥା ବିପଦସଂକୁଳ ସ୍ଥାନ ମାନଙ୍କରେ ଗାଡିରୁ ଓହ୍ଲାଇ କାଦୁଅ ଭିତରେ ଚାଲି ଚାଲି ଯିବାକୁ ପଡୁଥିବା ଭଳି ଗୁରୁତର ଅଭିଯୋଗ ହୋଇଛି ।

ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ ଉଭୟ ଜିଲ୍ଲାର ଏହି ସୀମାନ୍ତ ଅଞ୍ଚଳ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହି ସବୁବେଳେ ଅବହେଳିତ ହୋଇ ପଡିଥିବା ଅଭିଯୋଗ ହେଉଛି । ଉଭୟ ସୋନପୁର ଏବଂ ବରଗଡ଼ ଜିଲ୍ଲା ପ୍ରଶାସନ ଏହି ରାସ୍ତା ଉପରେ ଦୃଷ୍ଟି ଦେଇ ଏକ ନୂତନ ରାସ୍ତା ନିର୍ମାଣ ପାଇଁ ତୁରନ୍ତ ପଦକ୍ଷେପ ନେଲେ ଉଭୟ ଜିଲ୍ଲାର ସୀମାନ୍ତ ଅଞ୍ଚଳ ବାସିନ୍ଦା ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ କ୍ଷେତ୍ରରେ ନିଶ୍ଚିତ ଭାବେ ଉପକୃତ ହୋଇପାରିବେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।