ମେଡ଼ିକାଲ୍‌ କଲେଜରେ ସିକ୍ୟୁରିଟି ଗାର୍ଡ ମାପୁଛି ବ୍ଲଡ୍‌ ପ୍ରେସର

0
52
ମେଡ଼ିକାଲ୍‌

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୦୧/୧୦) : ପଶ୍ଚିମ ଓଡ଼ିଶାର ବଡ଼ ଡାକ୍ତରଖାନା ହେଉଛି ବୁର୍ଲା ବୀର ସୁରେନ୍ଦ୍ର ସାଏ ଆୟୁବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭୀମସାର) ।

ହେଲେ ଏଠି ଦେଖିବାକୁ ମିଳିଛି ଅଜବ ଚିତ୍ର । ମେଡ଼ିକାଲ୍‌ କର୍ମଚାରୀଙ୍କ ବଦଳରେ ସୁରକ୍ଷା ଦାୟିତ୍ୱରେ ଥିବା ସିକ୍ୟୁରିଟି ଗାର୍ଡ ରୋଗୀଙ୍କ ବ୍ଲଡ୍‌ ପ୍ରେସର ମାପୁଛନ୍ତି । ତାହା ପୁଣି ହୃଦରୋଗ ବିଭାଗରେ । ଯାହାର ଭିଡିଓ ଏବେ ଶୋସାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି । ଭାଇରାଲ୍‌ ହେଉଥିବା ଭିଡିଓରେ ଦେଖାଯାଉଛି, ୟୁନିଫର୍ମରେ ଥିବା ଜଣେ ସିକ୍ୟୁରିଟି ଗାର୍ଡ ଜଣକ ବ୍ଲଡ ପ୍ରେସ୍‌ର ମାପିବା ସହିତ ଲେଖି ରଖୁଛନ୍ତି । ଏହାଛଡ଼ା ଆହୁରି ଅନେକ ରୋଗୀ ବ୍ଲଡ୍‌ପ୍ରେସର ମାପିବା ପାଇଁ ଧାଡ଼ିରେ ଅପେକ୍ଷା କରିଥିବା ଦେଖିବାକୁ ମିଳିଛି । ଭିଡିଓଟି ଶୁକ୍ରବାର ମଧ୍ୟାହ୍ନ ସମୟର ବୋଲି ଅନୁମାନ କରାଯାଉଛି ।

ହୃଦରୋଗ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ସିକ୍ୟୁରିଟି ଗାର୍ଡ ରୋଗୀଙ୍କ ବ୍ଲଡ୍‌ପ୍ରେସର ମାପିବାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଏନେଇ ହୃଦରୋଗ ବିଭାଗର ମୁଖ୍ୟ ପ୍ରଫେସର ସୁନୀଲ ଶର୍ମା କହିଛନ୍ତି, ଭାଇରାଲ୍‌ ହେଉଥିବା ଭିଡିଓ ସେ ଦେଖିଛନ୍ତି । ସେମିତି ହେବା କଥା ନୁହେଁ । ସିକ୍ୟୁରିଟି ଗାର୍ଡଙ୍କ କାମ ହେଲା ସୁରକ୍ଷା ଦାୟିତ୍ଵ ବୁଝିବା । ଡାକ୍ତର କିମ୍ଵା ସ୍ୱାସ୍ଥ୍ୟ କର୍ମଚାରୀମାନେ ରୋଗୀଙ୍କ ବ୍ଲଡପ୍ରେସର ମାପିବା କଥା । ତେବେ କେଉଁ ପରିସ୍ଥିତିରେ ସିକ୍ୟୁରିଟି ଗାର୍ଡକୁ କିଏ ବ୍ଲଡ ପ୍ରେସର ମାପିବା ପାଇଁ ଅନୁମତି ଦେଲା, ତାହାର ଅନୁଧ୍ୟାନ କରାଯିବ ବୋଲି ଡାକ୍ତର ଶର୍ମା କହିଛନ୍ତି ।