ସ୍କୁଲ ଯାଉଥିଲେ ଅଷ୍ଟମ ଶ୍ରେଣୀ ଛାତ୍ର, ବାଟରେ ହେଲା ଛୁରା ମାଡ଼

0
35
ସ୍କୁଲ ଯାଉଥିଲେ ଅଷ୍ଟମ

ରିପୋର୍ଟ : ଓଡିଶାଶ ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୨୨/୧୧) : ଘରୁ ହସଖୁସିରେ ସ୍କୁଲ ଯାଇଥିଲା ପୁଅ । ଆଜି ପାଠପଢ଼ା ନ ଥିଲା, ବିଜ୍ଞାନ ମେଳା ଥିବାରୁ ବ୍ୟାଗ ବି ନେଇ ନ ଥିଲା । ହେଲେ କିଛି ସମୟ ପରେ ଘରକୁ ଖବର ଆସିଲା ପୁଅକୁ ହୋଇଛି ଛୁରାମାଡ଼ ।

ଏପରି ଏକ ଅଭାବନୀୟ ଘଟଣା ଆଜି ପୁରୀ ଜିଲ୍ଲା ରେଡକ୍ରସ୍‌ ରୋଡ ନିକଟରେ ଘଟିଛି । ଛୁରା ମାଡ଼ରେ ଗୁରୁତର ହୋଇଥିବା ଛାତ୍ରଜଣକ ମୁନା ସାହୁ ବୋଲି ଜଣାଯାଇଛି । ତାଙ୍କୁ ତୁରନ୍ତ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଉଭୟ ଆକ୍ରମଣକାରୀ ଓ ଆକ୍ରମଣର ଶିକାର ନାବାଳକ ପୁଲିସ୍‌ ଲାଇନ୍‌ ହାଇସ୍କୁଲରେ ଅଷ୍ଟମ ଶ୍ରେଣୀର ଛାତ୍ର ବୋଲି ଜଣାଯାଇଛି । ପୂର୍ବ କଳହ ଏହି ଆକ୍ରମଣର କାରଣ ବୋଲି ଜଣାଯାଇଛି । ମୁନା ଆଜି ସକାଳ ୯ଟା ପରେ ଘରୁ ସ୍କୁଲକୁ ବାହାରିଥିଲେ । ମାତ୍ର ସେ ରେଡକ୍ରସ ରୋଡରେ ପହଞ୍ଚିବା ବେଳକୁ ସେଠାରେ ପୂର୍ବରୁ ଆକ୍ରମଣକାରୀ ଛକି ରହିଥିଲେ । ସେଠାରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।

ଏହାପରେ ଉତ୍ତ୍ୟକ୍ତ ନାବାଳକ ଜଣକ ମୁନାଙ୍କୁ ଛୁରୀ ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ । ମୁନାଙ୍କ ବାମ ହାତରେ ଗଭୀର କ୍ଷତ ହୋଇଥିବା ବେଳେ ରକ୍ତାକ୍ତ ଅବସ୍ଥାରେ ସେ ଚିତ୍କାର କରିଥିଲେ । ଏହା ଦେଖି ଆକ୍ରମଣକାରୀ ଫେରାର ହୋଇ ଯାଇଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ମୁନାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଖବର ପାଇ ପୁଲିସ୍‌, ପରିବାର ଲୋକେ ଓ ସ୍କୁଲ କର୍ତ୍ତୃପକ୍ଷ ମେଡିକାଲରେ ପହଞ୍ଚିଛନ୍ତି । ଆକ୍ରମଣ ପଛର କାରଣ ଜାଣି ନ ଥିବା ମୁନାଙ୍କ ମା’ କହୁଥିବା ବେଳେ ଏହା ପଛରେ ପୂର୍ବ କଳହ ରହିଛି ବୋଲି ଶୁଣିବାକୁ ମିଳୁଛି ।