କାଶୀନଗର ରେ ଭାରତ ବନ୍ଦ ସଫଳ

0
55
କାଶୀନଗର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୬/୦୨) : କାଶୀନଗର ବ୍ଲକ୍ ଓ ଏନ୍ ଏ ସିରେ ଭାରତ ବନ୍ଦ ପ୍ରାୟ ସଫଳ ହୋଇଛି । ସକାଳ ୬ଟା ରୁ ଅପରାହ୍ନ ୪ଟା ଯାଏଁ ସବୁ ଦୋକାନ ବଜାର ଓ ଯାନବାହନ ଚଳାଚଳ ବନ୍ଦ ଥିଲା ।

ତେବେ ଅତ୍ୟାବଶ୍ୟକୀୟ ସେବା ଓ ଛାତ୍ରଛାତ୍ରୀଙ୍କ ପରୀକ୍ଷା ପ୍ରଭାବିତ ହୋଇ ନଥିଲା । କୃଷକ ନେତା କେଦାର ଶବର, କାର୍ତ୍ତିକ ଶବର, ସୁମ୍ଭାରା ଶବର, ଆର . ଲୋକନାଥମ୍, କେ. ମୀନା ରାଓ, ୱାଇ. ଲକ୍ଷ୍ମୀନାରାୟଣା ପ୍ରମୁଖ ନେତୃତ୍ୱ ନେଇଥିଲେ । ଶିଆଳି ପଞ୍ଚାୟତ ସରପଞ୍ଚ ତଥା ସ୍ଥାନୀୟ ବରିଷ୍ଠ କଂଗ୍ରେସ ନେତା ରାମ ପ୍ରସାଦ ପଟ୍ଟନାୟକ ଅଂଶ ଗ୍ରହଣ କରିଥିଲେ । ବନ୍ଦପାଳନକାରୀଙ୍କୁ ବହୁ ସଚେତନ ନାଗରିକ ଓ ବୁଦ୍ଧିଜୀବୀଙ୍କ ସମର୍ଥନ ବି ମିଳିଥିଲା । ସୂଚନା ଯୋଗ୍ୟ ଯେ, ସ୍ୱାମୀନାଥନ୍ କମିଟିର ସୁପାରିଶ ଅନୁଯାୟୀ ସମସ୍ତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ସକାଶେ ଆଇନଗତ ଗ୍ୟାରେଣ୍ଟି, ସରକାରୀ ଭାବେ ଫସଲ ସଂଗ୍ରହକୁ ସୁନିଶ୍ଚିତ କରିବା, ଶ୍ରମିକ ସ୍ୱାର୍ଥ ବିରୋଧୀ ଶ୍ରମ କୋଡ୍ ବାତିଲ୍, ମନରେଗା ଶ୍ରମିକମାନଙ୍କୁ ୨୦୦ ଦିନର କାମ ଓ ସେମାନଙ୍କ ଦୈନିକ ମଜୁରୀ ୬୦୦ ଟଙ୍କାକୁ ବୃଦ୍ଧି କରିବା ।

ବିଦ୍ୟୁତ ବିଭାଗୀୟ ସ୍ମାର୍ଟ ମିଟର ପ୍ରଚଳନ ବନ୍ଦ, ରାଷ୍ଟ୍ରାୟତ ଉଦ୍ୟୋଗଗୁଡିକର ଘରୋଇକରଣ ନକରିବା, ମହିଳାମାନଙ୍କ ଉପରେ ହେଉଥିବା ଉତ୍ପୀଡ଼ନ ଓ ଅତ୍ୟାଚାର ରୋକିବା ପାଇଁ ଥିବା ଆଇନଗୁଡିକର କଡାକଡି ପ୍ରଚଳନ, ଜନବିରୋଧୀ ନୂତନ ଶିକ୍ଷାନୀତି – ୨୦୨୦ର ପ୍ରତ୍ୟାହାର, ଦରବୃଦ୍ଧି ନିୟନ୍ତ୍ରଣ, ଲକ୍ଷ୍ମୀପୁର କୃଷକ ଗଣହତ୍ୟା ଷଡଯନ୍ତ୍ରରେ ଅଭିଯୁକ୍ତ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ତେନିଙ୍କୁ ମନ୍ତ୍ରୀପଦରୁ ବହିଷ୍କାର କରିବା ପ୍ରଭୃତି ଦାବି ନେଇ କୃଷକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି . ଆନ୍ଦୋଳନର ଅଂଶ ସ୍ୱରୂପ ଶୁକ୍ରବାର ଦିନ ବନ୍ଦ ପାଳନ କରା ଯାଇଛି । କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ ।