ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ୍ ଅଭିଯୋଗ; ଘୂରି ବୁଲୁଛି ଗଣିତ ପ୍ରଶ୍ନ

0
49
ମାଟ୍ରିକ ପ୍ରଶ୍ନପତ୍ର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୨୬/୦୨) : ମୋବାଇଲରୁ ମୋବାଇଲ୍ ଘୂରି ବୁଲୁଛି ମାଟ୍ରିକ ପ୍ରଶ୍ନପତ୍ର । ବୋର୍ଡର ଶତଚେଷ୍ଟା ସତ୍ତ୍ୱେ ପ୍ରଶ୍ନପତ୍ର ଭାଇରାଲ୍ ପରି ଘଟଣାକୁ ପୂର୍ବ ବର୍ଷ ପରି ଚଳିତ ଥର ମଧ୍ୟ ରୋକାଯାଇପାରି ନାହିଁ ।

ଆଜି ଗଣିତ ପରୀକ୍ଷା ଥିବା ବେଳେ ଏହାର କିଛି ପ୍ରଶ୍ନପତ୍ର କେନ୍ଦୁଝର ଜିଲ୍ଲାରେ ଭାଇରାଲ୍ ହେଉଥିବା ଅଭିଯୋଗ ହୋଇଛି । ଭାଇରାଲ୍ ହେଉଥିବା ପ୍ରଶ୍ନପତ୍ରରେ ସେଟ୍- C ଓ D ଲେଖାଯାଇଛି । ତେବେ ପ୍ରଶ୍ନପତ୍ର କିଏ ଭାଇରାଲ କଲା,ଏତେ କଡ଼ାକଡ଼ି ନିୟମ ସ୍ୱତ୍ତେ କିପରି ପ୍ରଶ୍ନପତ୍ର ଭାଇରାଲ ହେଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପିଲାମାନେ ପରୀକ୍ଷା ଦେବାକୁ ଯିବାର ଯଥେଷ୍ଟ ସମୟ ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଥିଲା ଅନ୍ୟପକ୍ଷରେ ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗକୁ ଖଣ୍ଡନ କରିଛି ବୋର୍ଡ । ମାଧ୍ୟମିକ ଶିକ୍ଷା ବୋର୍ଡ଼ର ଉପସଭାପତି କହିଛନ୍ତି, ପ୍ରଶ୍ନପତ୍ର ଭାଇରାଲ ହୋଇନାହିଁ ।

ଆସିଥିବା ଅଭିଯୋଗ ମିଥ୍ୟା । ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ନେଇ କୌଣସି ସୂଚନା ଆମ ପାଖକୁ ମିଳିନାହିଁ । ଗଣିତ ପ୍ରଶ୍ନପତ୍ରର ଦୁଇଟି ସେଟ୍‌ ଲିକ୍‌ ଅଭିଯୋଗ ନେଇ ପରୀକ୍ଷା ହଲ୍‌ରୁ ବାହାରିବା ପରେ ଚିନ୍ତା ପ୍ରକଟ କରିଛନ୍ତି ପରୀକ୍ଷାର୍ଥୀ । ଜଣେ ପରୀକ୍ଷାର୍ଥୀ କହିଛନ୍ତି, ଗଣିତ C ଓ D ସେଟ୍‌ର ଭାଇରାଲ ପ୍ରଶ୍ନ ଆଜିର ପ୍ରଶ୍ନ ସହ ମିଶୁଛି । ଯେଉଁ ଜିଲ୍ଲାରେ ପ୍ରଶ୍ନପତ୍ର ଭାଇରାଲ ହୋଇଛି, କାର୍ଯ୍ୟାନୁଷ୍ଠାନ ନିଆଯାଉ । ଆମକୁ ଆଉ ଥରେ ପରୀକ୍ଷା ଦେବାକୁ ଚାପ ନ ପକାଯାଉ । ଦୋଷୀକୁ ଚିହ୍ନଟ କରାଯାଇ ତା’ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ।

ଏହା ପୂର୍ବରୁ ବି ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ୍ ହେବା ନେଇ ଖବର ଆସିଥିଲା। ହେଲେ ଏହାକୁ ଖଣ୍ଡନ କରିଥିଲେ ବୋର୍ଡ କତ୍ତୃପକ୍ଷ। ଏବେ ପୁଣି ଥରେ ଭାଇରାଲ୍ ଅଭିଯୋଗ ଅନେକ ପ୍ରଶ୍ନ ଛିଡ଼ା କରିଛି ।ସୂଚନାଯୋଗ୍ୟ, ଆଜି ମାଟ୍ରିକ ପରୀକ୍ଷାର୍ଥୀମାନେ ଗଣିତ ବିଷୟରେ ପରୀକ୍ଷା ଦେଇଥିଲେ। ପରୀକ୍ଷା ହେବାର ଦେଢ଼ ଘଣ୍ଟା ଆଗରୁ ହଲରେ ପ୍ରବେଶ କରିଥିଲେ ଛାତ୍ରଛାତ୍ରୀ । ଏଥର ପ୍ରାୟ ୫ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଉଛନ୍ତି ।