ହାଇୱା ଧକ୍କାରେ ଛାତ୍ରୀ ମୃତ, ଛାତ୍ର ଗୁରୁତର

0
55
ହାଇୱା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୟାଗଡ଼, (୧୨/୦୩) : ନୟାଗଡ଼ ଜିଲ୍ଲା ଭାପୁର-ରାଜସୁନାଖଳା ରାସ୍ତାର ଗୋଳାପୋଖରୀ ଗାଁ ନିକଟ ରେ ଆଜି ହାଇୱା ଧକ୍କାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଛାତ୍ର ଗୁରୁତର ଆହତ ହୋଇଛନ୍ତି ।

ଏ ନେଇ ଗୋଳାପୋଖରୀ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ l ମୃତକ ଜଣକ ହେଉଛନ୍ତି ଫତେଗଡ଼ ଥାନା ବେଗୁନିଆ ଗାଁ’ର ପୂଜା ପ୍ରଧାନ । ସେହିଭଳି ଗୁରୁତର ଆହତ ଛାତ୍ର ଜଣକ ହେଉଛନ୍ତି ଅବିନାଶ ପ୍ରଧାନ। ଉଭୟ ୮ମ ଶ୍ରେଣୀ ଛାତ୍ରଛାତ୍ରୀ । ଗୋଳାପୋଖରୀ ଗାଁ’ରୁ ଟିୟୁସନ ସାରି ସାଇକେଲ ଯୋଗେ ସାଙ୍ଗ ହୋଇ ଫେରୁଥିଲେ ପୂଜା ଓ ଅବିନାଶଙ୍କ ସମେତ କିଛି ଛାତ୍ରଛାତ୍ରୀ l ଏହି ସମୟରେ ଏକ ବାଲି ବୋଝେଇ ହାଇୱା ପୂଜା ଓ ଅବିନାଶକୁ ଧକ୍କା ଦେଇଥିଲା ।

ସେମାନଙ୍କୁ ତୁରନ୍ତ ଭାପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପୂଜାଙ୍କୁ ମୃତ ଘୋଷଣା କରାଯାଇଥିଲା । ଫତେଗଡ଼ ଥାନା ଅଞ୍ଚଳରେ ବାରମ୍ବାର ହାଇୱା ଧକ୍କାରେ ଜୀବନ ହନି ହେଉଛି । ଗତ କିଛି ମାସ ମଧ୍ୟରେ ୩ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତିl ବାରମ୍ବାର ଅଭିଯୋଗ ପରେ ନିଦାବିଷ୍ଣୁ ପାଲଟିଛି ପ୍ରଶାସନ ।