ଟଲଣା ସ୍କୁଲରେ ଛାତ୍ରଙ୍କ ରହସ୍ୟ ଜନକ ମୃତ୍ୟୁ ଘଟଣା

0
277
ଟଲଣା

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୫/୪) : ସର୍ଗିଆସିଂ ଗ୍ରାମର ୫ମ ଶ୍ରେଣୀର ଛାତ୍ର ଜୁଦାସ ଶବର (୧୧)ଙ୍କ ସ୍କୁଲ ଶ୍ରେଣୀ ଗୃହରେ ଫାଶୀ ହୋଇ ମୃତ୍ୟୁବରଣ କରିଥିବା ଘଟଣା ବର୍ତ୍ତମାନ ସୁଦ୍ଧା ରହସ୍ୟ ଘେରରେ ରହିଛି ।WhatsApp Image 2024 04 04 at 5.35.17 PM ଟଲଣା ସ୍କୁଲରେ ଛାତ୍ରଙ୍କ ରହସ୍ୟ ଜନକ ମୃତ୍ୟୁ ଘଟଣା

ସ୍କୁଲ କର୍ତ୍ତୃପକ୍ଷ, ଶିକ୍ଷା ବିଭାଗ ଓ ପୋଲିସ ପ୍ରଶାସନର ନିରବତା ଛାତ୍ର ମୃତ୍ୟୁ ଘଟଣାଟିକୁ ଆହୁରି ରହସ୍ୟମୟ କରିଛି । ସୂଚନା ମୁତାବକ ଗୁଣପୁର ବ୍ଲକ ଅନ୍ତର୍ଗତ ପୁଟାସିଙ୍ଗ ଥାନା ଟଲଣା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ହଷ୍ଟେଲରେ ରହି ଜୁଦେଶ ଶଵର ୫ମ ଶ୍ରେଣୀରେ ପଢୁଥିଲେ । ମାର୍ଚ୍ଚ ୨୨ ତାରିଖରେ ଜୁଦେଶ ସ୍କୁଲରୁ ପଢା ସାରି ହଷ୍ଟେଲକୁ ଫେରିଥିଲେ ଓ ରାତ୍ର ଭୋଜନ ମଧ୍ୟ ଖାଇଥିଲେ କିନ୍ତୁ ଶୁକ୍ରବାର ସକାଳୁ ଶ୍ରେଣୀଗୃହ ସଫା କରିବାକୁ ପିଅନ ଯାଇଥିବା ବେଳେ ଶ୍ରେଣୀ ଗୃହରେ ଛାତ୍ରଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ପରେ ପୁଟାସିଙ୍ଗ ପୋଲିସ, ଶିକ୍ଷା ବିଭାଗ ଅଧିକାରୀମାନେ ଛାତ୍ରର ଶଵ ଜବତ କରି ଗୁଣପୁର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ ଓ ଶଵ ବ୍ୟବଛେଦ ପରେ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରିଥିଲେ ।

ଛାତ୍ର ମୃତ୍ୟୁ ଘଟଣାଟିକୁ ଦିର୍ଘ ୧୫ ଦିନ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର ରହସ୍ୟ ଉପରୁ ପରଦା ଉଠାଇ ପାରିନି ପୋଲିସ୍ ବିଭାଗ । ସ୍କୁଲ କର୍ତ୍ତୃପକ୍ଷ ଓ ଶିକ୍ଷା ବିଭାଗର ନୀରବତା, ପୋଲିସ ବିଭାଗର ତଦନ୍ତରେ ଅବହେଳା ଯୋଗୁଁ ମୃତକଙ୍କ ବାପା ପ୍ରଦୀପ ଶବର ଭାରତୀୟ ମାନବାଧିକାର ସଂରକ୍ଷଣ ପରିଷଦର ଦ୍ଵାରସ୍ଥ ହୋଇଛନ୍ତି । ପ୍ରଦୀପ ଅଭିଯୋଗ କରିଛନ୍ତି କି, ତାଙ୍କ ପୁଅ ଜୁଦେଶ କୁ ହତ୍ୟା କରି ଝୁଲାଇ ଦିଆଯାଇଛି, ତେଣୁ ଏହାର ଉଚିତ ତଦନ୍ତ କରି ଦୋଷିକୁ କଠୋର ଦଣ୍ଡ ଦିଆଯାଉ । ତେବେ ଏଠାରେ ପ୍ରଶ୍ନ ଉଠେ ଯେ, ରାତ୍ର ସମୟରେ ସମସ୍ତ ଶ୍ରେଣୀ ଗୃହରେ ତାଲା ପଡ଼ୁଥିବା ବେଳେ ସେ ଦିନ କାହିଁକି ଉକ୍ତ ଶ୍ରେଣୀ ଗୃହରେ ତାଲା ପଡ଼ିନଥିଲା ।

ହଷ୍ଟେଲର ଜଣେ ଛାତ୍ର ରାତ୍ରି ସମୟରେ ହଷ୍ଟେଲ ଛାଡି ସ୍କୁଲରେ ପହଞ୍ଚିଲେ କିପରି , ହଷ୍ଟେଲ ରେ ଜଣେ ଶିକ୍ଷକ ରହିବାର କଥା ସେଦିନ ହଷ୍ଟେଲରେ କିଏ ଥିଲେ, ହଷ୍ଟେଲ ପିଅନ ରାତ୍ରି ସମୟରେ ପିଲାମାନଙ୍କ ଦେଖା ରଖା କରିବା କଥା ସେ କେଉଁଠି ଥିଲେ , ଛାତ୍ରର ଉଚ୍ଚତା ୪ଫୁଟ ଥିବା ବେଳେ ୧୨ ଫୁଟ ଉଚ୍ଚକୁ ଚଢି ସେ ଗାମୁଛା ବାନ୍ଧିଲେ କିପରି, ମୃତ ଛାତ୍ରର ବାପା କହିବା ଅନୁଯାୟୀ ଜୁଦେଶ ଅତ୍ୟନ୍ତ ଶାନ୍ତଶିଷ୍ଟ ପିଲା ତେବେ ବିନା କାରଣରେ ଜଣେ ଫାଶୀ ହେବ ଏହା ଯୁକ୍ତିଯୁକ୍ତ କି, ଜୁଦେଶର ଗୋଟିଏ ଚପଲ ଶ୍ରେଣୀ ଗୃହର ବାହାରେ ଥିବାବେଳେ ଗୋଟିଏ ଚପଲ ମୃତଦେହ ପାଖରେ ଥିଲା ଏହାର ରହସ୍ୟ କ’ଣ , ବିନା ମାନସିକ କି ଶାରୀରିକ ନିର୍ଯ୍ୟାତନାରେ କିଏ ଏପରି ଚରମ ପଦକ୍ଷେପ ନିଏନି ଯଦି ଏହା ଆତ୍ମହତ୍ୟା ତେବେ ଛାତ୍ରଟିକୁ କିଏ ନିର୍ଯ୍ୟାତନା ଦେଉଥିଲେ ।

ଏଭଳି ଅନେକ ଅସମାହିତ ପ୍ରଶ୍ନ ଛାତ୍ର ମୃତ୍ୟୁକୁ ସନ୍ଦେହ ଘେରକୁ ଟାଣି ନେଉଛି । ଶଵ ଵ୍ୟବଚ୍ଛେଦ ନିକଟରେ ସ୍କୁଲ କର୍ତ୍ତୃପକ୍ଷ ଓ ଶିକ୍ଷା ବିଭାଗ ଅଧିକାରୀମାନଙ୍କ ଅନୁପସ୍ଥିତି ଘଟଣାଟିକୁ ଆହୁରି ରହସ୍ୟମୟ କରିଛି । ତେବେ ଏଠାରେ ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ସମ୍ପୁର୍ଣ୍ଣ ଭାବେ ଦାୟି ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ଏହା ହତ୍ୟା ନା ଆତ୍ମହତ୍ୟା ଏହା ଲୋକ ଲୋଚନକୁ ଆସିବା ଜରୁରୀ ହୋଇପଡିଛି ।