ତାତିରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି; କାଳବୈଶାଖୀ ନେଇ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

0
30
ତାତିରୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୮/୦୪) : ରାଜ୍ୟବାସୀଙ୍କୁ ଗରମ ଓ ଗୁଳୁଗୁଳିରୁ ମିଳିଛି ସାମାନ୍ୟ ଆଶ୍ୱସ୍ତି । ଆଜି ସକାଳେ ଟ୍ୱିନ୍‌ ସିଟି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଖରାର ପ୍ରକୋପ କମିଛି ।

ତାତିରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି ରାଜ୍ୟରେ କାଳବୈଶାଖୀ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବ । ଏହାସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବୋହିବ । ଏଥିପାଇଁ ୧୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ କରାଯାଇଛି ।

ସେହି ଜିଲ୍ଲା ଗୁଡ଼ିକ ହେଲା ମୟୂରଭଂଜ, କେନ୍ଦୁଝର, ଦେବଗଡ଼, ସମ୍ବଲପୁର, ଅନୁଗୋଳ, ନୟାଗଡ଼, ସୁବର୍ଣ୍ଣପୁର, କନ୍ଧମାଳ, ଗଂଜାମ, ଗଜପତି, ରାୟଗଡ଼ା ଏବଂ କଳାହାଣ୍ଡି । ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ରାଜ୍ୟର ତାପମାତ୍ରା ୩୫ ତଳେ ରହିଛି। ଚାନ୍ଦବାଲିରେ ତାପମାତ୍ରା ୩୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱର ୩୨.୮, ବାଲେଶ୍ୱର ୩୨.୪‌ଓ କେନ୍ଦୁଝରରେ ୨୫.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଅନ୍ୟପକ୍ଷରେ ଆସନ୍ତା କାଲିଠାରୁ ରାଜ୍ୟରେ ତାପମାତ୍ରା ପୁଣି ବଢ଼ିବ ବୋଲି ପୁର୍ବନୁମାନ କରିଛି ପାଣିପାଗ କେନ୍ଦ୍ର ।