ରାନ୍ଧିଲା ବେଳେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର, ୧୧ ଆହତ

0
32
ରାନ୍ଧିଲା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୦୯/୦୪) : ରାନ୍ଧିଲା ବେଳେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର । ଆଜି ସନ୍ଧ୍ୟା ବେଳେ ଏପରି ଭୟଙ୍କର ବିସ୍ଫୋରଣ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକରେ ଜଣଙ୍କ ଘରେ ଘଟିଛି ।

ବିସ୍ଫୋରଣରେ ୧୧ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି । ଆଜି ସନ୍ଧ୍ୟା ବେଳେ ପାତ୍ରପୁର ବ୍ଲକ୍‌ ଆମୁଣ୍ଡି ଗାଁ’ର ପ୍ରଶାନ୍ତ କୁମାର ବେହେରାଙ୍କ ଘରେ ରୋଷେଇ ହେଉଥିଲା । ଘରର ଜଣେ ମହିଳା ଗ୍ୟାସ୍‌ରେ ରାନ୍ଧୁଥିଲେ । ଠିକ୍‌ ସେହି ସମୟରେ ଗ୍ୟାସ୍‌ ଲିକ୍‌ ହୋଇ ନିଆଁ ଲାଗି ଯାଇଥିଲା । ନିଆଁ ଲାଗିଥିବା ଦେଖି ମହିଳା ଜଣକ ବାହାରକୁ ଆସି ସାହି ପଡ଼ିଶାଙ୍କୁ କହିଥିଲେ। ଧୀରେ ଧୀରେ ନିଆଁ ବ୍ୟାପୀ ଥିଲା । ଗାଁ ଲୋକେ ନିଆଁ ଲିଭାଇବା ପାଇଁ ଘରେ ପଶିବା ବେଳେ ଗ୍ୟାସ୍‌ ସିଲିଣ୍ଡରଟି ବ୍ଲାଷ୍ଟ କରିଥିଲା ।

ଗ୍ୟାସ୍‌ ସିଲିଣ୍ଡର ବ୍ଲାଷ୍ଟ କରିବାରୁ ନିଆଁ ଲିଭାଇବାକୁ ଯାଇଥିବା ଶଙ୍କର ମହାନ୍ତି, ପ୍ରଶାନ୍ତ କୁମାର ମହାନ୍ତି, ଶ୍ରୀକାନ୍ତ କୁମାର ବେହେରା, ସିଧେଶ୍ୱର ବେହେରା, କିରଣ ବିଷୋୟୀ, ଅମନ ପଟ୍ଟନାୟକ, ରିଙ୍କୁ ବେହେରା, ଗଣେଶ ବେହେରା, ସୁଜିତ ବେହେରା, ଶିବରାମ ବେହେରା ଓ ଜଗନ୍ନାଥ ପଣ୍ଡା ପ୍ରମୁଖ ଆହତ ହୋଇଥିଲେ । ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିବା ସହିତ ଆହତଙ୍କୁ ଉଦ୍ଧାର କରି ଚିକିଟି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲା । ସେଠାରେ ୪ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି ।