ବୋଲେରୋରେ ପିଟି ହୋଇ ପଡ଼ିଯିବା ପରେ ଘୋଷାଡ଼ି ନେଲା ହାଇୱା

0
28
ବୋଲେରୋରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଳାହାଣ୍ଡି, (୧୨/୦୪) : ବୋଲେରୋରେ ପିଟି ହୋଇ ତଳେ ପଡ଼ିଯିବା ପରେ ଏକ ହାଇୱା କିଛି ବାଟ ଘୋଷାଡ଼ି ନେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ।

ମୃତକଙ୍କ ନାଁ ସହଦେବ ନାଏକ (୩୫)। ତାଙ୍କ ଘର କଳାହାଣ୍ଡି ଜିଲ୍ଲା ବଳଧିଆମାଳ ଗାଁ’ରେ। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଲୋକେ ମୃତଦେହକୁ ରଖି ରାସ୍ତା ଅବରୋଧ କରିଛନ୍ତି । ପୁଲିସ ସେମାନଙ୍କୁ ବୁଝାସୁଝା କରୁଛି । ଆଜି ସକାଳେ ସହଦେବ ସାଇକଲରେ ପୋଖରୀକୁ ଗାଧୋଇବାକୁ ଯାଉଥିଲେ । ରାସ୍ତାରେ ଗଲାବେଳେ ବାଟରେ ଛିଡ଼ା ହୋଇଥିବା ଏକ ବୋଲେରୋ ହଠାତ ଡୁଅର ଖୋଲି ଦେଇଥିଲା । ଫଳରେ ଡୁଅରରେ ପିଟି ହୋଇ ସେ ରାସ୍ତା ମଝିରେ ପଡ଼ି ଯାଇଥିଲେ । ଠିକ୍‌ ସେହି ସମୟରେ ଅପରପାର୍ଶ୍ୱରୁ ଆସୁଥିବା ଏକ ହାଇୱା ତାଙ୍କୁ କିଛି ବାଟ ଘୋଷାଡ଼ି ନେଇଥିଲା ।

ଘଟଣାସ୍ଥଳରେ ସହଦେବଙ୍କର ମୃତ୍ୟୁ ଘଟିଥିଲା । ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବି କରି ୨୬ ନମ୍ବର ଜାତୀୟ ରାଜପଥରେ ମୃତଦେହ ରଖି ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଫଳରେ ରାସ୍ତାରେ ଶହଶହ ଗାଡ଼ି ଛିଡ଼ା ହୋଇ ରହିଛନ୍ତି । ଘଟଣାସ୍ଥଳରେ ଜୁନାଗଡ଼ ପୁଲିସ ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରିଥିଲେ ବି ସନ୍ଧ୍ୟା ପର୍ଯ୍ୟନ୍ତ ଲୋକେ ରାସ୍ତାରୁ ହଟି ନାହାନ୍ତି ।