ରାଜଧାନୀରେ ପୁଣି ଲୁଟ୍‌, ଘରେ ପଶି କଳାକନା ବୁଲାଇଲେ ଲୁଟେରା

0
31
ରାଜଧାନୀରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୩/୦୪) : ଥମୁନି ରାଜଧାନୀରେ ଆପାର୍ଟମେଣ୍ଟରୁ ଲୁଟ୍‌। ଗୋଟିଏ ପରେ ଗୋଟିଏ ଆପାର୍ଟମେଣ୍ଟ ସହ ଘରକୁ ଟାର୍ଗେଟ କରୁଛନ୍ତି ଲୁଟେରା । ପାତ୍ରପଡ଼ାଠାରୁ ପାହାଳ ।

ଧଉଳିରୁ ନନ୍ଦନକାନନ । ସବୁଠି ମାତିଛନ୍ତି ଲୁଟେରା । ସତେ ଯେମିତି ଲୁଟେରାଙ୍କ ଚରାଭୂଇଁ ପାଲଟିଛି ପୂରା ରାଜଧାନୀ । ଲାଗୁଛି, କାହାକୁ ସେମାନଙ୍କର ଖାତିର ନାହିଁ । ଦୁଇ ଦିନ ତଳେ ପାହାଳ ଥାନା ସାଟେଲାଇଟ ସିଟିର ୪ଟି ଫ୍ଲାଟରେ ଲୁଟେରାମାନେ କଳାକନା ବୁଲାଇଥିବା ବେଳେ ଗତକାଲି ଭୋର ସମୟରେ ସେହି ଅଞ୍ଚଳର ଜୟିପୁରରେ ଶରତ ମହାନ୍ତିଙ୍କ ଘରୁ ହୋଇଛି ଲୁଟ୍‌ । ଶରତ ମହାନ୍ତିଙ୍କ ଘରେ ପଶି ସମସ୍ତଙ୍କୁ ବାହାରପଟୁ ତାଲା ପକାଇ ଘରେ କଳାକନା ବୁଲାଇଛନ୍ତି ଲୁଟେରା । ଆଲମୀରା ଖୋଲି ସେଥିରେ ଥିବା ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ଟଙ୍କା ଲୁଟି ନେଇ ନେଇଛନ୍ତି ।

ସେହିଭଳି ନନ୍ଦନକାନନ ଥାନା ଅଞ୍ଚଳରେ ଥିବା ସ୍ପ୍ରିଙ୍ଗ ଲିଫ ଆପାର୍ଟମେଣ୍ଟର ଏକ ଫ୍ଲାଟରୁ ଗତକାଲି ରାତିରେ ହୋଇଛି ଚୋରି । ଏହି ଆପାର୍ଟମେଣ୍ଟରେ ଉକ୍ତ ଘରେ କେହି ନଥିବା ବେଳେ ରାତି ଅଧରେ ତାଲା ଭାଙ୍ଗି ୧୦ ଲକ୍ଷ ଟଙ୍କାର ସୁନାଗହଣା ଲୁଟି ନେଇଛନ୍ତି ଲୁଟେରା । ଉଭୟ ସ୍ଥାନରେ ସାଇଣ୍ଟିଫିକ ଟିମ ସହ ସନ୍ଧାନୀକୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛି ପୁଲିସ । ହେଲେ ଲୁଟେରାଙ୍କ ଟେର ପାଇନି ।

ରାଜଧାନୀରେ ହାଇସିକ୍ୟୁରିଟି ଜୋନ କୁହାଯାଉଥିବା ଆପାର୍ଟମେଣ୍ଟ ସୁରକ୍ଷା କଲଚରକୁ ଭାଙ୍ଗିରୁଜି ଚୁରମାର କରିଦେଲେଣି ଲୁଟେରା । କିଛି ଦିନ ତଳେ କିଛି ଆପାର୍ଟମେଣ୍ଟ ଲୁଟେରାଙ୍କୁ ଗିରଫ କରି ଲୋକଙ୍କ ମନରୁ ଭୟ ଦୂରେଇବା ପାଇଁ ଚେଷ୍ଟା କରିଥିଲା କମିଶନରେଟ ପୁଲିସ । ହେଲେ ଲୁଟେରା ଗ୍ୟାଙ୍ଗ ଉପରେ ଏହାର ଆଦୌ ପ୍ରଭାବ ପଡ଼ିନାହିଁ ବୋଲି ମନେ ହେଉଛି । ଗତ ୬ ମାସରେ ୧୪ଟି ଆପାର୍ଟମେଣ୍ଟରୁ ପାଖାପାଖି ୩୪ଟି ଫ୍ଲାଟରେ କଳାକନା ବୁଲାଇ ଦେଲେଣି ଲୁଟେରା ।