ପାର୍ବଣ ଋତୁ ପାଇଁ କେନ୍ଦ୍ରର ଗାଇଡଲାଇନ : ମାସେ ବଢିଲା କଟକଣା, କଡାକଡି ପାଳନ ହେବ ନିୟମ

0
159

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ,(୨୯/୦୯) : ଦେଶରେ ପାର୍ବଣ ଋତୁ ଆସୁଥିବାରୁ କେନ୍ଦ୍ର ସରକାର କରୋନା କଟକଣାକୁ ଆଉ ମାସେ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି । ଏହା ସହ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ଲାଗୁ କଟକଣାକୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛି ।

କେନ୍ଦ୍ର ଗୃହ ମନ୍ତ୍ରାଳୟ ଏନେଇ ଜାରି କରିଛି ଗାଇଡଲାଇନ୍ । ମେଳା ମହୋତ୍ସବ ସମୟରେ ଅଧିକ ଜନଗହଳି ହେଲେ, ତାହା ପୁଣି କରୋନା ସଂକ୍ରମଣ ବଢ଼ାଇବା ଆଶଙ୍କା ରହିଛି । ଏଣୁ ପାର୍ବଣ ଋତୁ ସମୟରେ ଯେପରି ଅଧିକ ଜନଗହଳି ନହୁଏ, ଲୋକମାନେ କୋଭିଡ ନିୟମାବଳୀ ପାଳନ କରନ୍ତି ତାହା ନିଶ୍ଚିତ କରିବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି । କେନ୍ଦ୍ର ଗାଇଡଲାଇନରେ କୁହାଯାଇଛି ଯେ, ରାଜ୍ୟ ସରକାରଗୁଡ଼ିକ କରୋନା ପଜିଟିଭିଟି ହାର, ପ୍ରତି ଜିଲ୍ଲାରେ ଥିବା ହସପିଟାଲଗୁଡ଼ିକର ଶଯ୍ୟା ଓ ଆଇ.ସି.ୟୁ.ରେ କେତେ ରୋଗୀ ରହୁଛନ୍ତି, ତାହା ଉପରେ ତୀକ୍ଷଣ ଦୃଷ୍ଟି ରଖନ୍ତୁ ।

କୌଣସି ସ୍ଥାନରେ ସଂକ୍ରମଣ ବଢ଼ିଲେ ପ୍ରଶାସନ ଅବିଳମ୍ବେ କଣ୍ଟେନମେଣ୍ଟ ପାଇଁ ପଦକ୍ଷେପ ନେବା ଉଚିତ । ରାଜ୍ୟଗୁଡ଼ିକ କରୋନା ମୁକାବିଲା ପାଇଁ ପରୀକ୍ଷା, ଚିକିତ୍ସା, ଟୀକାକରଣ ଓ କୋଭିଡ୍ ନିୟମାବଳୀ ପାଳନ ଉପରେ ଗୁରୁତ୍ବ ଦେବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଗାଇଡଲାଇନ୍ ଜାରି କରିଛି ।