ଜିଲ୍ଲା ଉନ୍ନୟନ ଓ ତଦାରଖ କମିଟି ବୈଠକ: ବିକାଶ ପାଇଁ ପରସ୍ପର ସହ ସମନ୍ୱୟ ରଖିବାକୁ ଗୁରୁତ୍ୱାରୋପ

0
175

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୋନପୁର , (୧୩/୭) : ସୁବର୍ଣ୍ଣପୁର ଜିଲ୍ଲା ଉନ୍ନୟନ ଓ ତଦାରଖ କମିଟି (ଦିଶା) ବୈଠକ କମିଟି ଅଧ୍ୟକ୍ଷା ତଥା ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲାପାଳ କାର୍ଯ୍ୟାଳୟର ସଭାକକ୍ଷରେ ଅନୁଷ୍ଠିତ ଜିଲ୍ଲା ଉନ୍ନୟନ ବୈଠକରେ ମାନ୍ୟବର ମନ୍ତ୍ରୀ ଅର୍ଥ ଓ ଅବକାରୀ ନିରଞ୍ଜନ ପୂଜାରୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା  ଉଷା କୁମାରୀ, ଜିଲ୍ଲାପାଳ  ଅଵୋଲୀ ସୁନିଲ ନରୱଣେ,  ଡ଼ି.ଆର.ଡି.ଏ. ପ୍ରକଳ୍ପ ନିର୍ଦ୍ଦେଶକ ଡୋଳାମଣି ପଟେଲ, ଉପଜିଲ୍ଲାପାଳ ସୋନପୁର ନିହାର ରଞ୍ଜନ କଁହର, ଉପଜିଲ୍ଲାପାଳ ବୀରମହାରାଜପୁର ଅଶୋକ କୁମାର ଭୋଇ, ବିଭିନ୍ନ ବ୍ଲକ୍‌ର ଅଧ୍ୟକ୍ଷ/ଅଧ୍ୟକ୍ଷା, ଜିଲାସ୍ତରୀୟ ଅଧିକାରୀ, ଦିଶା କମିଟି ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ ।

ଜିଲ୍ଲାପାଳ ଶ୍ରୀମତୀ ନରୱଣେ ସ୍ୱାଗତ ବକ୍ତବ୍ୟ ରଖି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଉନ୍ନୟନ ପ୍ରକଳ୍ପର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ । ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ଦିଗରେ ସମସ୍ତ ବିଭାଗ ଓ ଅଧିକାରୀଙ୍କ ମଧ୍ୟରେ ଉପଯୁକ୍ତ ସମନ୍ଵୟ ରଖି ଯୋଜନା କାର୍ଯ୍ୟକାରୀ କରାଯିବାକୁ ଏମ.ପି. ଶ୍ରୀମତୀ ସିଂଦେଓ ଗୁରୁତ୍ୱାରୋପ କରିଥିଲେ ।

କେନ୍ଦ୍ରୀୟ ଯୋଜନାରେ ଆବଣ୍ଟିତ ପାଣ୍ଠି ଜରିଆରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡିକର ସଠିକ୍ କାର୍ଯ୍ୟକାରିତା ଓ ଉପଯୁକ୍ତ ପାଣ୍ଠି ବିନିଯୋଗ ଉପରେ ସେ ଗୁରୁତ୍ୱାରୋପ କରିବା ସହ ଧାର୍ଯ୍ୟ ସମୟ ମଧ୍ୟରେ ସମାପନ କରିବାକୁ ପରାମର୍ଶ ଦେଇଛନ୍ତି । ବୈଠକରେ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ନିର୍ମାଣ ହେଉଥିବା ରାସ୍ତା ଓ ପୋଲ ନିର୍ମାଣ ଉପରେ ସମାକ୍ଷା କରାଯାଇ କାର୍ଯ୍ୟ ର ଗୁଣାତ୍ମକ ମାନ ଉପରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ ବୋଲି ଗୁରୁତ୍ୱାରୋପ କରିଛନ୍ତି ।

ଜାତୀୟ ସାମାଜିକ ସହାୟତା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ ଓ ସହରାଞ୍ଚଳ), ନିର୍ମାଣ ଶ୍ରମିକ ଯୋଜନା, ଖୋର୍ଦ୍ଧା ବଲାଙ୍ଗୀର ରେଲୱେ ପ୍ରକଳ୍ପ ର ଅଗ୍ରଗତି, ଜାତୀୟ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଯୋଜନା, ସ୍ୱଚ୍ଛ ଭାରତ ମିଶନ, ଜାତୀୟ ଉଦ୍ୟାନ ମିଶନ ଓ ଅନ୍ୟାନ୍ୟ ଯୋଜନା ଉପର ସମୀକ୍ଷା ହୋଇଥିଲା ।

ଶେଷରେ ଡ଼ି.ଆର.ଡି.ଏ. ପିଡି ଡୋଳାମଣି ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ |