ଜିଲ୍ଲାପାଳଙ୍କ ବାସଭବନ ପରିସରରେ ଭାଲୁ : ଘଉଡ଼େଇଲେ ବନ କର୍ମଚାରୀ

0
186

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆପଡ଼ା,(୧୬/୦୭) : ନୂଆପଡ଼ା ସହରରେ ଭାଲୁ ଆତଙ୍କ । ଗତ ବୁଧବାର ଦିନ ନୂଆପଡ଼ା ଜିଲ୍ଲାପାଳଙ୍କ ବାସଭବନ ପରିସରରେ ପଶିଥିଲା ଗୋଟିଏ କଳା ଭାଲୁ । ଭାଲୁକୁ ଘଉଡ଼ାଇବାକୁ ଯାଇ ବନ କର୍ମଚାରୀ ନାକେଦମ ହୋଇଥିବା ବେଳେ ଗତକାଲି ପୁଣି ସମାନ ଘଟଣାର ପୁନରାବୃତ୍ତି ହୋଇଥିଲା ।

ଗତକାଲି ରାତି ପ୍ରାୟ ୯ଟାରେ ପ୍ରଥମେ ନୂଆପଡ଼ା ମିନି ଷ୍ଟାଡିୟମ ପାଖରେ ଭାଲୁଟି ବୁଲୁଥିବା ଲୋକେ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ଏହାପରେ ବନ ବିଭାଗ କର୍ମଚାରୀ ଘଉଡ଼ାଇବାରୁ ଭାଲୁଟି ସେଠାରୁ ଜାତୀୟ ରାଜପଥ ୩୫୩ ଅତିକ୍ରମ କରି ଇନ୍ଦିରା କଲୋନୀ ଓ ବ୍ଲକ କଲୋନୀ ମଝିରେ ଥିବା ହନୁମାନ ମନ୍ଦିର ପାଖକୁ ଚାଲି ଯାଇ କିଛି ସମୟ ବୁଲାବୁଲି କରିଥିଲା । ଏହାପରେ ସେଠାରୁ ସିଧା ଯାଇ ଜିଲ୍ଲାପାଳଙ୍କ ବାସଭବନ ପରିସରରେ ପଶିଥିଲା ।

ବନ କର୍ମଚାରୀଙ୍କ ଦୀର୍ଘ ସମୟର ପରିଶ୍ରମ ପରେ ଭାଲୁଟି ସେଠାରୁ ବାହାରି ଏସ୍‌ପିଙ୍କ ବାସଭବନର ଗେଟ୍‌ ସମ୍ମୁଖରେ ବୁଲିଥିଲା । ଏହାପରେ ବନ କର୍ମଚାରୀ ଭାଲୁକୁ ୩ ପାର୍ଶ୍ୱରୁ ଘେରିବାରୁ ସେ ରାତି ପ୍ରାୟ ୩ଟାରେ ଜଙ୍ଗଲକୁ ପଳାଇଥିଲା । ଗତ ୮ ତାରିଖରେ ମଧ୍ୟ ସହର ମଧ୍ୟକୁ ଏକ ଭାଲୁ ପଳାଇ ଆସିଥିଲା । ଭାଲୁଟି ପ୍ରଥମେ ଜଳ ବିଭାଜିକା ଅଫିସ ଯାଇଥିଲା । ସେଠାରେ ଦିନ ସାରା ରହିବା ପରେ ରାତିରେ ଜିଲ୍ଲାପାଳଙ୍କ ବାସଭବନ ପରିସରରେ ପଶିଥିଲା । ସେଠାରୁ ବାହାରି ଜିଲ୍ଲା ପ୍ରାଣୀ ସମ୍ପଦ କାର୍ଯ୍ୟାଳୟରେ ପଶିଥିଲା । ଏହାପରେ ବନ କର୍ମଚାରୀ ଘଉଡ଼ାଇବାରୁ ରାତି ୧୧ଟାରେ ଜଙ୍ଗଲକୁ ପଳାଇଥିଲା ।

ସୂଚନାଯୋଗ୍ୟ, ନୂଆପଡ଼ା ସହରକୁ  ଲାଗି ସୁନାବେଡ଼ା ଅଭୟାରଣ୍ୟ ସମେତ ଆହୁରି ବହୁ ଘଞ୍ଚ ଜଙ୍ଗଲ ଥିବାରୁ ଅଧିକାଂଶ ସମୟରେ ସହର ମଧ୍ୟରୁ ଭାଲୁ ପଶି ଆସୁଛନ୍ତି । ଫଳରେ ଲୋକେ ଆତଙ୍କିତ ରହୁଛନ୍ତି ।