ଟ୍ରାନ୍ସଫର୍ମର ଅନ୍ତର୍ଦ୍ଧାନ, ସୌଭାଗ୍ୟ ଯୋଜନାର ହିତାଧିକାରୀ ଲୋ ଭୋଲ୍ଟେଜ୍ ସମସ୍ୟାରେ ଅତିଷ୍ଠ

0
218

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୧୮/୦୭) : ବୌଦ୍ଧ ବ୍ଲକ୍ ବାଉଁଶୁଣୀ ଗ୍ରାମ ପଞ୍ଚାୟତ ବୈଦ୍ୟନାଥ ପୁର୍ ଗ୍ରାମରେ ବସିଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମର ଅନ୍ତର୍ଦ୍ଧାନ ହୋଇ ଯାଇଥିବାରୁ ଲୋକେ ନାହିଁ ନଥିବା ଲୋ ଭୋଲ୍ଟେଜ୍ ସମସ୍ୟ|ର ସମ୍ମୁଖିନ ହେଉଥିବା ଅଭିଯୋଗ କରିଛନ୍ତି l

ମିଳିଥିବା ସୂଚନା ଅନୁଯାୟୀ ଦୁଇ ବର୍ଷ ତଳେ ସୌଭାଗ୍ୟ ଯୋଜନାର ଅଧିନରେ ବିଦ୍ୟୁତ୍ ନଥିବା ବୈଦ୍ୟନାଥ ପୁର୍ ଗ୍ରାମର ଶହ ଶହ ପରିବାରକୁ ସରକାର ସୌଭାଗ୍ୟ ଯୋଜନା ରେ ବିଦ୍ୟୁତ୍ ସଂଯୋଗ ଦେଇଥିଲେ | ସେହି ଯୋଜନାରେ ଏକ ଟ୍ରାନ୍ସଫର୍ମର ମଧ୍ୟ ବସିଥିଲା l ଅନେକ ଦିନ ଧରି ସେହି ଟ୍ରାନ୍ସଫର୍ମର ସେମିତି ବସି ରହିବା ପରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ଆଜକୁ ପ୍ରାୟ ୮ ମାସ ତଳେ ଖୋଲି ଅନ୍ୟ କୁଆଡେ ନିଆ ଯାଇଥିଲା l ଆଜି ପର୍ଯ୍ୟନ୍ତ ସେ ଟ୍ରାନ୍ସଫର୍ମର ଆଉ ତା ସ୍ଥାନକୁ ଫେରିଲା ନାହିଁ |

ସୌଭାଗ୍ୟ ଯୋଜନାର ଗ୍ରାହକ ମାନଙ୍କୁ ବିଦ୍ୟୁତ ବିଭାଗ ସବ୍ ଷ୍ଟେସନ ର ଆଉ ଗୋଟିଏ ଫେଜରୁ ଲାଇନ ଦିଆଗଲା l ଶହ ଶହ ଗ୍ରାହକ ଓ ସୌଭାଗ୍ୟ ଯୋଜନାର ହିତାଧିକାରୀ ବିଦ୍ୟୁତ୍ ସଂଯୋଗ ରହିଥିବା ହେତୁ ପଙ୍ଖା ଘୁରିବା ତ ଦୂରର କଥା ବଲବ ଗୋଟିଏ ମଧ୍ୟ ଜଳିବା ଅସମ୍ଭବ ହୋଇ ପଡ଼ିଛି l ଫଳରେ ଶହ ଶହ ଉପଭୋକ୍ତା ଗରମ ଓ ମିଟି ମିଟି ଆଲୁଅରେ ହନ୍ତସନ୍ତ ହେଉଥିବା ଅଭିଯୋଗ କରିଛନ୍ତି l

ଏ ସମ୍ପର୍କରେ ବାଉଁଶୁଣୀ ବିଦ୍ୟୁତ୍ ବିଭାଗ ପାଖରେ ଯେତେ ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରୁନଥିବା ବୈଦ୍ୟନାଥ ପୁର୍ ବାସୀ ଅଭିଯୋଗ କରିଛନ୍ତି | ଏ ସମ୍ପର୍କରେ ବିଦ୍ୟୁତ ବିଭାଗର କର୍ମଚାରୀ ଦୃଷ୍ଟି ଦେଇ ସୌଭାଗ୍ୟ ଯୋଜନାର ଟ୍ରାନ୍ସଫର୍ମର କୁଆଡେ ଗଲା ତଦନ୍ତ କରି ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି |