ଅବହେଳିତ ସୁବର୍ଣ୍ଣପୁର ଜିଲ୍ଲା : ଜିଲ୍ଲା ଗଠନ ର ୨୭ ବର୍ଷ ପରେ ମଧ୍ୟ ଠିକ୍ ଭାବରେ ହୋଇପାରୁନାହିଁ ବିକାଶ

0
187

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୋନପୁର, (୨୬/୧୨) : ସ୍ୱାଧୀନତା ର ଦୀର୍ଘ ୭୫ ବର୍ଷ ଓ ଜିଲ୍ଲା ଗଠନ ର ୨୭ ବର୍ଷ ପରେ ମଧ୍ୟ ସୁବର୍ଣ୍ଣପୁର ଜିଲ୍ଲା ସମୂହ ଉନ୍ନତି ଦୃଷ୍ଟିରୁ ଅବହେଳିତ ହୋଇପଡ଼ିଥିବା ରୁ ସାଧାରଣ ଜନତା କ୍ଷୋଭ ପ୍ରକାଶ କରିଛନ୍ତି ।WhatsApp Image 2021 12 26 at 8.47.05 PM 1 ଅବହେଳିତ ସୁବର୍ଣ୍ଣପୁର ଜିଲ୍ଲା : ଜିଲ୍ଲା ଗଠନ ର ୨୭ ବର୍ଷ ପରେ ମଧ୍ୟ ଠିକ୍ ଭାବରେ ହୋଇପାରୁନାହିଁ ବିକାଶ

ଆଜି ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇ ଠାରେ ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଂଘ ର ସାଧାରଣ ପରିଷଦ ବୈଠକରେ ଜିଲ୍ଲା ର ସମସ୍ତ ବ୍ଲକ ର ସଭ୍ୟମାନେ ଯୋଗଦେଇ ନିଜ ନିଜ ଅଞ୍ଚଳ ର ଲୋକମାନଙ୍କ ଅସନ୍ତୋଷ ବ୍ୟକ୍ତ କରିଥିଲେ । ସର୍ବ ପ୍ରଥମେ ଅବହେଳିତ ପାତାଳୀ ରୋପ – ୱେ ବିଷୟ ସାମ୍ବାଦିକମାନେ ଉଠାଇ ଥିଲେ । ଏହି ରୋପ – ୱେ ନିର୍ମାଣ କାର୍ଯ୍ୟ ପର୍ଯ୍ୟଟକ ମାନଙ୍କ ସଂଖ୍ୟା ଉପରେ ନିର୍ଭରଶୀଳ ବୋଲି ଜାଣିବାକୁ ପାଇବାରେ ସାମ୍ବାଦିକମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ ।

କାରଣ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକମାନଙ୍କୁ ନେଇ ଶତାଧିକ ଗାଡ଼ି ମଟରମାନ ଏଠାକୁ ଆସୁଥିବାର ଦେଖିବାକୁ ମିଳିଥାଏ । ରୋପ – ୱେ ହେଲେ ଏହି ସଂଖ୍ୟା ଶତଗୁଣ ବୃଦ୍ଧି ପାଇବ ବୋଲି ବକ୍ତାମାନେ ମତ ଦେଇଥିଲେ । ଠିକ୍ ସେହିପରି ବଲାଙ୍ଗୀର – ଖୋର୍ଦ୍ଧା ରେଳ ଲାଇନ୍ ଏବଂ ବଲାଙ୍ଗିର – ଖୋର୍ଦ୍ଧା ଜାତୀୟ ରାଜପଥ ନିର୍ମାଣ ଏହି ଜିଲ୍ଲାବାସୀଙ୍କ ସକାଶେ ଆକାଶ କୟାଁ ଚିଲିକା ମାଛ ସଦୃଶ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା ର ଏକମାତ୍ର ଶିଳ୍ପାନୁଷ୍ଠାନ ସୋନପୁର ସୂତାକଳ ସମେତ ଅଙ୍ଗ ଜଳସେଚନ ଯୋଜନା ଓ ଠେଙ୍ଗୋ ଜଳସେଚନ ପ୍ରକଳ୍ପ ଆଜି ଉନ୍ନତି କ୍ଷେତ୍ରରେ ସୁଦୂର ପରାହତ ହୋଇଛି ।

ଜିଲ୍ଲା ରୁ ଦୁଇଜଣ କ୍ୟାବିନେଟ୍ ମନ୍ତ୍ରୀ ଥିବା ସତ୍ତ୍ୱେ ଏ ପ୍ରକାର ସରକାରୀ ଅବହେଳାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇଛି । ଅପର ପକ୍ଷରେ ମହାନଦୀରେ ରିଙ୍ଗ ରୋଡ, ବିନିକା ଓ ତରଭା ଠାରେ ରିଙ୍ଗ ରୋଡ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ପଡ଼ିଛି । ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଏ ନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀ ତଥା ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ ବାରମ୍ବାର କରାଯାଇଛି । ଶୀଘ୍ର ଏକ ପ୍ରତିନିଧି ଦଳ ଯାଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା ।

ସଭାରେ ସଂଘର ସଭାପତି ଗୋରେଖନାଥ ସାହୁ ଅଧ୍ୟକ୍ଷତା କରିଥିଲେ । ଆଜିର ଏହି ସାଧାରଣ ବୈଠକରେ ସର୍ବ ସମ୍ମତି କ୍ରମେ ବର୍ତ୍ତମାନ କମିଟି ର କାର୍ଯ୍ୟକାଳ ବୃଦ୍ଧି କରାଯିବା ସହିତ ବରିଷ୍ଠ ସାମ୍ବାଦିକ ଯୁଗଳ କିଶୋର ମିଶ୍ର ଙ୍କୁ ଜିଲ୍ଲା ସାମ୍ବାଦିକ ସଙ୍ଘ ର ସଂଯୋଜକ ଭାବରେ ଭାବରେ ଚୟନ କରାଗଲା । ସମ୍ପାଦକ ବ୍ୟୋମକେଶ ଦାଶ ବିବରଣୀ ପାଠ କରିଥିଲେ ଓ ଧନ୍ୟବାଦ ଅର୍ପଣ କରିଥିଲେ ।

ସଭାରେ ପାତାଳୀ ଶ୍ରୀକ୍ଷେତ୍ର କମିଟି ର ପୂର୍ଣ୍ଣଚନ୍ଦ୍ର ପାଢ଼ୀ ବିଭିନ୍ନ ଅଭାବ ଅସୁବିଧା ସଂପର୍କରେ ଆଲୋକପାତ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ସାହୁ, ନନ୍ଦ କିଶୋର ମିଶ୍ର, ବାସୁଦେବ ପଣ୍ଡା, ବ୍ରଜ ମୋହନ ଦାନି, ଅକ୍ଷୟ କୁମାର ବାଘ, ଘନଶ୍ୟାମ ମେହେର, ରତ୍ନାକର ସେଠୀ, ଧୃବରାଜ ମିଶ୍ର, କମଳ ପରିଛା, ରବିନ୍ଦ୍ର କୁମାର ହୋତା, ସତ୍ୟ ବାନ ପୁରୋହିତ, ଶେଷଦେବ ବାରିକ, ରାମଶଙ୍କର ଭୋଇ, ସନ୍ତୋଷ ମିଶ୍ର, ମନରଞ୍ଜନ ପାଣିଗ୍ରାହୀ, ସୁଧିର କୁମାର ବିଶ୍ୱାଳ, ନିରଞ୍ଜନ ଭୋଇ, ଯୁଗଳ କିଶୋର ମିଶ୍ର ପ୍ରମୁଖ ଆଲୋଚନା ରେ ଭାଗ ନେଇଥିଲେ ।