ଟୋକନ୍ ଥାଇ ମଧ୍ୟ ଧାନ ବିକ୍ରି କରି ପାରିଲେନି ଚାଷୀ : ଜିଲ୍ଲାପାଳଙ୍କୁ କଲେ ଅଭିଯୋଗ

0
296
ଟୋକନ୍ ଥାଇ

ରିପୋର୍ଟ : ରବିଶଙ୍କର ମହାପାତ୍ର //
ବୋରିଗୁମ୍ମା, (୨୫/୧) : ବୋରିଗୁମ୍ମା ବ୍ଳକ ଅନ୍ତର୍ଗତ କାମରା ଗ୍ରାମରେ ଚାଲିଥିବା ଖରିଫ ଧାନ ମଣ୍ଡିରେ ଟୋକନ୍ ଥାଇ ମଧ୍ୟ ଧାନ ନେବାକୁ ମନା କରିଥିବା ଅଭିଯୋଗ ହୋଇଛି । ଆଜି ବୋରିଗୁମ୍ମା ତହସିଲଦାରଙ୍କ ଜରିଆରେ କୋରାପୁଟ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଗୌଡଗୁଡା ମୌଜା ର ଚାଷୀ ଦୈତାରୀ କୁମ୍ଭାର ।

ତାଙ୍କର ୫ ଏକର ୩୫ ସେଣ୍ଟ ଜମିରେ ସେ ଧାନ ଚାଷ କରିଥିଲେ । ଗତ ୧୯/୧/୨୨ ତାରିଖ ଦିନ ଧାନ ବିକ୍ରି ପାଇଁ ସୂଚନା ଦିଆଯାଇଥିଲା । ସେ ମଣ୍ଡିକୁ ଧାନ ନେଇ ଯାଇଥିଲେ । କିନ୍ତୁ ତାଙ୍କ ଟୋକନ୍ ଥାଇ ମଧ୍ୟ ଉଡିଯାଇଥିବା କହି ତାଙ୍କ ଧାନ ଗ୍ରହଣ କରାଗଲା ନାହିଁ, ଫେରାଇ ଦିଆଗଲା । ଟୋକନ କାହିଁକି ଉଡିଲା, କିଏ ଉଡେଇଲା ତାହାର ତଦନ୍ତ କରି ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲାପାଳଙ୍କୁ ତହସିଲଦାରଙ୍କ ଜରିଆରେ ଲିଖିତ ଅଭିଯୋଗ କରିଛନ୍ତି ଦୈତାରୀ କୁମ୍ଭାର । ଅନୁରୁପ ଭାବେ ବନ୍ଦଲିଗୁଡା ଗ୍ରାମ ର ରତନ ଜାନିଙ୍କ ଅଭିଯୋଗ ପ୍ରକାରେ ମଣ୍ଡି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ସତ୍ତ୍ୱେ ଆଜି ଯାଏଁ ତାଙ୍କର ୧୨ ଏକର ଜମି ର ଉତ୍ପାଦିତ ଧାନ ବିକ୍ରି ପାଇଁ ଟୋକନ ବାହାରି ନାହିଁ ।

ତେଣୁ ରତନ ଜାନି ମଧ୍ୟ ଜିଲ୍ଲାପାଳଙ୍କୁ ତହସିଲଦାରଙ୍କ ଜରିଆରେ ଲିଖିତ ଅଭିଯୋଗ କରିଛନ୍ତି । ଠିକ୍ ସେହିପରି ଜଗତପତି ଭତ୍ରା, ସଦାଶିବ ଗୌଡ, କେଶବ ଗୌଡ, ହାଟଗୁଡା ଗ୍ରାମ ର ତୁଳାରାମ ବିଷୋୟୀ, ମୁଣ୍ଡିଗୁଡାର ପଦ୍ମନ ଜାନି, ଗୌଡଗୁଡା ଗ୍ରାମ ର ସଦନ ସାଆନ୍ତା, ହାଟଗୁଡା ଗ୍ରାମ ର ଉଦ୍ଧବ ବିଷୋଇ ଓ କହ୍ନେଇଜବା ଗ୍ରାମ ର ଧନୁର୍ଜୟ ଗାଦବା ମଧ୍ୟ ଧାନ ବିକ୍ରି କରି ପାରୁନାହାନ୍ତି ।

ପ୍ରକାଶ ଥାଉକି ଏମାନେ ସମସ୍ତେ ବୋରିଗୁମ୍ମା ଲ୍ୟାମ୍ପ୍ସ ଅନ୍ତର୍ଗତ କାମରା ମଣ୍ଡିରେ ପ୍ରତି ବର୍ଷ ଧାନ ବିକ୍ରି କରି ଆସୁଛନ୍ତି, ଚଳିତ ଖରିଫ ମଣ୍ଡି ପାଇଁ ମଧ୍ୟ ପଞ୍ଜୀକୃତ କରିଛନ୍ତି । କିନ୍ତୁ ମଣ୍ଡି ପରିଚାଳନାରେ ବ୍ୟାପକ ଅନିୟମିତତା ଯୋଗୁଁ ଅନେକ ଚାଷୀ ଧାନ ବିକ୍ରୀ କରିପାରୁ ନାହାନ୍ତି । ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।