ପୋଲିସ ଏନକାଉଣ୍ଟର ନୁହେଁ ହାଇଦରକୁ ଯୋଜନା ବଦ୍ଧ ହତ୍ୟା କରାଯାଇଛି : ପରିବାର ଲୋକଙ୍କ ଅଭିଯୋଗ

0
176

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୨୬/୦୭) : ପୋଲିସ ଏନକାଉଣ୍ଟର ଗ୍ୟାଙ୍ଗଷ୍ଟର ସେକ୍ ହାଇଦରର ଗତ କାଲି ବାଲେଶ୍ୱର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଆଜି ହାଇଦର ମୃତଦେହ ବ୍ୟବଚ୍ଛେଦ କରାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତା’ ଦେହରେ କେଉଁଠି ଗୁଳି ବାଜିଛି ଏବଂ କେତାଟି ଗୁଳି ବାଜିଛି ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିବ ।

ହେଲେ ହାଇଦରର ଦେହରେ ଚାରିଟି ଗୁଳି ବାଜିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏପଟେ ଘଟଣା ସ୍ଥଳରୁ ଦୁଇଟି ଖୋକା ଜବତ କରିଛି ପୋଲିସ । ଏପରି ସ୍ଥଳେ ପୋଲିସ ର ଏନକାଉଣ୍ଟାରକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପାରିପାର୍ଶ୍ଵିକ ଦୃଷ୍ଟି କୋଣରୁ ଦେଖିଲେ ହାଇଦରକୁ ଏନକାଉଣ୍ଟର ନୁହେଁ ହତ୍ୟା କରାଯାଇଥିବା ମନେ ହେଉଛି ।

ହାଇଦର ଭଳି ଜଣେ ହାର୍ଡକୋର ଅପରାଧି ତଥା ଗ୍ୟାଙ୍ଗଷ୍ଟରକୁ ନେବା ବେଳେ ପୋଲିସ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା କଥା । ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ପ୍ରୋଟକଲ ଅନୁଯାୟୀ ହାଇଦରକୁ ନେବା ବେଳେ ତା ହାତରେ ହ୍ୟାଣ୍ଡକପ ମଧ୍ୟ ପଡିବା କଥା । ତା’ ସହ ୪ ଜଣ ବନ୍ଧୁକଧାରୀ ସୁରକ୍ଷାକର୍ମୀ ରହିବା କଥା । ହାତରେ ହ୍ୟାଣ୍ଡକପ ପକାଇଯାଇଥିବା ବେଳେ ହାଇଦର ସୁରକ୍ଷାକର୍ମୀଙ୍କ ହାତରୁ ବନ୍ଧୁକ ଛଡାଇ ଏକା ଏକା ଫେରାର ହୋଇଯିବାକୁ ଚେଷ୍ଟା କରିବା ଆଦୌ ସମ୍ଭବ ନୁହେଁ ।

କାରଣ ହାଇଦର ଦିର୍ଘ ଦିନ ଧରି ଅସୁସ୍ଥ ରହିଥିବା କାରଣରୁ ସେ ପ୍ରଥମେ ସମ୍ବଲପୁର ପରେ କଟକ ମେଡିକାଲ ସ୍ଥାନାନ୍ତର ହୋଇଥିଲା । ପରେ ସେ କରୋନାରେ ଆକ୍ରାନ୍ତ ହୋଇ ଦିର୍ଘ ଦିନ ଧରି ଚିକିତ୍ସହିତ ହେଉଥିଲା । ହାଇଦରର ବୟସ ୬୧ ବର୍ଷରୁ ଅଧିକ ହୋଇଥିବା ବେଳେ ବିନା କୌଣସି ଯୋଜନାରେ ଏକା ଏକା ପୋଲିସ ବନ୍ଧୁକ ଛଡାଇ ଫେରାର ହେବାକୁ ଚେଷ୍ଟା କରିବା ଘଟଣାକୁ କେହି ବି ବିଶ୍ୱାସ କରି ପାରୁ ନାହାନ୍ତି ।

ଯଦି ହାଇଦରର କିଛି ସହଯୋଗୀ ଯୋଜନା କରି ହାଇଦରକୁ ନେଇଯିବାକୁ ଚେଷ୍ଟା କରିଥାନ୍ତା, ତେବେ ତାହା ଅଲଗା କଥା । କିନ୍ତୁ ହାଇଦର ଏକା ଏକା ଫେରାର ହେବାକୁ ଚେଷ୍ଟା କରିବା ଆଦୌ ସମ୍ଭବ ନୁହେଁ । ଏପେଟ ଯଦି ବି ହାଇଦର ଖସିଯିବାକୁ ଚେଷ୍ଟା କରୁଥିଲା ସୁରକ୍ଷା କର୍ମୀମାନେ ତା’ ହାତ, ଗୋଡକୁ ଗୁଳି କରିବା କଥା । ହେଲେ ପେଟକୁ କାହିଁକି ଗୁଳି କଲେ ତାଙ୍କୁ ନେଇ ପ୍ରଶ୍ନବାଚୀ ହୋଇଛି । ଏସବୁ ଅନୁଧ୍ୟାନ କଲେ ହାଇଦରକୁ ଏନକାଉଣ୍ଟର ନୁହେଁ ହତ୍ୟା କରାଯାଇଛି ବୋଲି କହିବା ଆଦୌ ଭୁଲ ହେବ ନାହିଁ ।

ସୂଚନାଯୋଗ୍ୟ, ଗତକାଲି ହାଇଦରକୁ କଟକ ଚୌଦ୍ୱାର ଜେଲରୁ ବାରିପଦା ଜେଲ ନେଉଥିବା ବେଳେ ବାଲେଶ୍ୱର ଜିଲ୍ଲା ସିମୁଳିଆ ପାଖରେ ତାଙ୍କୁ ଏନକାଉଣ୍ଟର କରାଯାଇଥିଲା । ଏହା ପରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରୟଦର୍ଶୀ ଏବଂ କଟକ ଡିସିପି ପ୍ରତୀକ ସିଂ କହିଥିଲେ, ହାଇଦର ଚୌଦ୍ୱାର ଜେଲରେ ପୂର୍ବରୁ ରହୁଥିଲା । ଏଠାରେ ତା’ର ବହୁ ସହଯୋଗୀ ମଧ୍ୟ ଥିଲେ । ତେଣୁ ତାକୁ ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଉଥିଲା ।

୧୬ ନମ୍ବର ଜାତୀୟ ରାଜପଥ ବାଲେଶ୍ୱର ସିମୁଳିଆ ନିକଟରେ ହାଇଦର ପରିଶ୍ରା କରିବାକୁ କହିଥିଲା । ସୁରକ୍ଷା କର୍ମୀମାନେ ଗାଡି ରଖିବାରୁ ସେ ତଳକୁ ଓହ୍ଲାଇ ଜଣେ ସୁରକ୍ଷାକର୍ମୀଙ୍କ ବନ୍ଧୁକ ଛଡାଇ ଫେରାର ହୋଇଯିବାକୁ ଚେଷ୍ଟା କରିଥିଲା । ପାଖରେ ଥିବା ସୁରକ୍ଷା କର୍ମୀମାନେ ତାକୁ ବନ୍ଧୁକ ତଳେ ପକାଇ ଦେବାକୁ କହିଥିଲେ ମଧ୍ୟ ସେ କିଛି ଶୁଣି ନ ଥିଲା । ଓଲଟା ପୋଲିସ ଉପରକୁ ଗୁଳି ଚଳାଇବାକୁ ବାହାରିଥିଲା ।

ଶେଷରେ ବାଧ୍ୟ ହୋଇ ପୋଲିସ ତା’ ଉପରକୁ ଗୁଳି ଚଳାଇଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନନ୍ତର କରାଯାଇଥିବା ବେଳେ ସେଠାରେ ତା’ର ମୃତ୍ୟୁ ହୋଇଯାଇଥିଲା ।