ବଜେଟରେ ରାଉରକେଲା ରେଳ ଡିଭିଜନ ଦାବିକୁ ସବୁଜ ସଙ୍କେତ ମିଳିବ କି ?

0
140
ବଜେଟରେ ରାଉରକେଲା

ରିପୋର୍ଟ : ଆରୁଶ୍ରୀ //
ରାଉରକେଲା/ସୁନ୍ଦରଗଡ଼, (୦୧/୦୨) : ବଜେଟରେ ରାଉରକେଲା ର ବହୁ ପ୍ରତୀକ୍ଷିତ ରେଳ ଡିଭିଜନ୍‌ ଦାବିକୁ ସବୁଜ ସଙ୍କେତ ମିଳିବ କି ?

ସ୍ୱତନ୍ତ୍ର ରେଳ ଡିଭିଜନ ପାଇଁ ରାଉରକେଲା ହେଉଛି ଉପଯୁକ୍ତ ସ୍ଥାନ । ଏଥିପାଇଁ ଆବଶ୍ୟକୀୟ ଭିତ୍ତିଭୂମି ରହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ପ୍ରାୟ ୫୦ ବର୍ଷ ତଳେ ରାଉରକେଲାରେ ସ୍ୱତନ୍ତ୍ର ରେଳ ଡିଭିଜନ ପାଇଁ ରାଉରକେଲା ଉପକଣ୍ଠରେ ଥିବା ବନ୍ଧମୁଣ୍ଡାରେ ୫,୫୦୦ ଏକର ଓ ରାଉରକେଲାରେ ୫୦୦ ଏକର, ଏମିତି ମୋଟ୍‌ ୬,୦୦୦ ଏକର ଜମି ରେଳବାଇକୁ ହସ୍ତାନ୍ତର କରିଥିଲେ ।

ବନ୍ଧମୁଣ୍ଡାରେ ଏବେ ଏଆର୍‌ଏମ୍‌ (ଆସିଷ୍ଟାଣ୍ଟ ରେଲୱେ ମ୍ୟାନେଜର) ଅଫିସ୍‌ ରହିଛି । ୱାଗନ୍‌ କାରଖାନା ମଧ୍ୟ ରହିଛି । ତେବେ ରେଳବାଇ ର ଆହୁରି ଶହ ଶହ କ୍ୱାଟର୍ସ ଖାଲି ପଡିଛି । ତେଣୁ ଡିଆର୍‌ଏମ୍‌ (ଡିଭିଜନାଲ୍‌ ରେଲୱେ ମ୍ୟାନେଜର) ଅଫିସ ର କର୍ମଚାରୀ ରହିବାର କୌଣସି ସମସ୍ୟା ରହିବ ନାହିଁ । ଏଣୁ ବଜେଟରେ ରାଉରକେଲା ରେଳ ଡିଭିଜନ ଦାବିକୁ ମାନିବ ଉଚିତ ।

ସେମିତିରେ ଏଠାରେ ଏସିଆ ମହାଦେଶର ଦ୍ବିତୀୟ ଦୀର୍ଘ ମାର୍ଶଲିଂ ୟାର୍ଡ ମଧ୍ୟ ରହିଛି, ଯେଉଁଠି ପ୍ରତିବର୍ଷ ପ୍ରାୟ ୨୦୦ ରୁ ଅଧିକ ରେଳ ଲୋକୋମୋଟିଭ, ଡିଜେଲ୍‌ ଓ ଇଲେକ୍‌ଟ୍ରିକ୍‌ ଇଞ୍ଜିନ୍‌ ମରାମତି ହେଉଛି । ଚକ୍ରଧରପୁର ଡିଭିଜନ୍‌ ଅଧୀନରେ ଝାଡ଼ଖଣ୍ଡ ର ପୂର୍ବ ସିଙ୍ଘଭୂମ, ପଶ୍ଚିମ ସିଙ୍ଘଭୂମ, ସଢ଼େଇକେଳା-ଖରସୁଆଁ, ସିମ୍‌ଡେଗା ଆଦି ଅଞ୍ଚଳ ରହିଛି ।

ସେଥିରେ ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡା, କେନ୍ଦୁଝର ଓ ମୟୂରଭଞ୍ଜ ଆସୁଛି । ଏହାର ମୋଟ୍‌ ୭୪୧.୭୦୫ କି.ମି. ରେଳ ଲାଇନ ଭିତରୁ ଅଧାରୁ ଅଧିକ ୪୦୫.୯୦୭ କିମି. ଓଡ଼ିଶାରେ ଅଛି । ଚକ୍ରଧରପୁର ମଣ୍ଡଳ ବାର୍ଷିକ ଯେଉଁ ପ୍ରାୟ ୧୨ ହଜାର କୋଟି ଟଙ୍କା ରାଜସ୍ୱ ପାଉଛି, ଏଥିରୁ ଶିଳ୍ପ ଓ ଖଣି ଜିଲ୍ଲା ସୁନ୍ଦରଗଡ଼, କେନ୍ଦୁଝର ଓ ଝାରସୁଗୁଡା ଜିଲ୍ଲାରୁ ଆୟ ହେଉଛି ୭ ହଜାର କୋଟିରୁ ଅଧିକ । ତେଣୁ ରାଉରକେଲାକୁ ସ୍ୱତନ୍ତ୍ର ଡିଭିଜନ କରିବା ସବୁ ଦୃଷ୍ଟିରୁ ଯୁକ୍ତିଯୁକ୍ତ ।

ଉଲ୍ଲେଖଯୋଗ୍ୟ ଯେ ରାଉରକେଲା ରେଳବାଇ ଡିଭିଜନ ଆକ୍ସନ କମିଟି (ଆର୍‌ଆର୍‌ଡିଏସି) ଦକ୍ଷିଣ ପୂର୍ବ ରେଳବାଇ ଚକ୍ରଧରପୁର ଅଧୀନରେ ଥିବା ରାଉରକେଲାକୁ ପୂର୍ବ ଉପକୂଳ ରେଳବାଇ ଜୋନ୍‌ରେ ସାମିଲ କରି ସ୍ବତନ୍ତ୍ର ଡିଭିଜନ କରିବାକୁ ଆନ୍ଦୋଳନ ଜାରି ରଖିଛନ୍ତି ।