ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ : ୨୫% ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା

0
122
ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ

ରିପୋର୍ଟ : ଆରୁଶ୍ରୀ //
ନୂଆଦିଲ୍ଲୀ, (୦୪/୦୨) : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରୁଥିବା ଅମିତ ଶାହ ଆଜି ବୁଲନ୍ଦସରରେ ଉଦ୍‌ବୋଧନ ଦେବା ସମୟରେ ଆର୍‌ଏଲ୍‌ଡି (ରାଷ୍ଟ୍ରୀୟ ଲୋକ ଦଳ) ନେତା ଜୟନ୍ତ ଚୌଧୁରୀଙ୍କୁ ସତର୍କ କରାଇଥିଲେ ।

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆର୍‌ଏଲ୍‌ଡି ସପା ସହ ମେଣ୍ଟ୍‌ କରିବା ପ୍ରସଙ୍ଗରେ ଶାହ ଜୟନ୍ତ ଚୌଧୁରୀଙ୍କୁ ଏହାର ପରିଣାମ ସଂପର୍କରେ କହିଛନ୍ତି । ଶାହ କହିଛନ୍ତି, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଜୟନ୍ତ ଚୌଧୁରୀଙ୍କୁ ତାଙ୍କ ସହ ରହିବାପାଇଁ ବୁଝାଇଛନ୍ତି । କିନ୍ତୁ ଯଦି ସପା ସରକାର ଗଠନ କରେ ତେବେ ତାଙ୍କ ସ୍ୱର ଶୁଭିବନି । ଜୟନ୍ତ ଚୌଧୁରୀଙ୍କ ସ୍ୱର ଡୁବିଯିବ ।

ଯିଏ ନିଜ ବାପା ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ କଥା ଶୁଣୁନାହାନ୍ତି ସେ ତୁମ କଥା କିଭଳି ଶୁଣିବେ ବୋଲି ଶାହ ଜୟନ୍ତ ଚୌଧୁରୀଙ୍କୁ ପ୍ରଶ୍ନ କରିଛନ୍ତି । ଶାହ କହିଛନ୍ତି, ଆଜମ ଖାନ୍‌ ଜେଲ୍‌ରୁ ବାହାରି ଆସି ଅଖିଳେଶଙ୍କ ପାଖରେ ବସିବେ । ଶାହ ଦ୍ଵିତୀୟ ଥର ପାଇଁ ଜୟନ୍ତ ଚୌଧୁରୀଙ୍କୁ ସମର୍ତ କରିଛନ୍ତି । ଜାନୁଆରି ୨୬ ତାରିଖରେ ଶାହ ଜାଟ୍‌ ଭୋଟରମାନଙ୍କ ପାଖରେ ପହଞ୍ଚି କହିଥିଲେ, ଜୟନ୍ତ ଚୌଧୁରୀ ଭୁଲ୍ ଘର ବାଛିଛନ୍ତି ।

ତେବେ ବିଜେପିରେ ତାଙ୍କ ପାଇଁ ଦ୍ୱାର ଖୋଲା ଅଛି ବୋଲି ସେ କହିଥିଲେ । କିନ୍ତୁ ୨ ଦିନ ପରେ ଜୟନ୍ତ ଚୌଧୁରୀ ବିଜେପି ର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ । ବି‌ଜେପି ସାମ୍ପ୍ରଦାୟିକ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରୁଛି ଏବଂ ସେ‌ କେବେ ବି ବିଜେପିରେ ଯୋଗ ଦେବେ‌ନି ବୋଲି କହିଥିଲେ ।

ଉତ୍ତରପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୪୬ ପ୍ରତିଶତ କୋଟିପତି । ଏମାନଙ୍କ ହାରାହାରି ସମ୍ପତ୍ତି ୩.୭୨ କୋଟି । ଅନ୍ୟପକ୍ଷେ ୬୧୫ ପ୍ରାର୍ଥୀଙ୍କ ମଧ୍ୟରୁ ୧୫୬ ତଥା ୨୫ ପ୍ରତିଶତ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ୧୨୧ ଜଣଙ୍କ ବିରୋଧରେ ହତ୍ୟା ଏବଂ ଦୁଷ୍କର୍ମ ଭଳି ଅତ୍ୟନ୍ତ ଗୁରୁତର ଅପରାଧିକ ମାମଲା ରହିଛି ।

ଏଡିଆର୍‌ (ଆସୋସିଏସନ୍‌ ଫର୍‌ ଡିମୋକ୍ରାଟିକ୍‌ ରିଫର୍ମ‌୍‌ସ) ର ରିପୋର୍ଟ ଅନୁଯାୟୀ ପଶ୍ଚିମ ଉତ୍ତରପ୍ରଦେଶର ୫୮ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଦୌଡ଼ରେ ଥିବା ୬୧୫ ପ୍ରାର୍ଥୀ ସେମାନଙ୍କ ନିର୍ବାଚନ ସତ୍ୟପାଠ ଦାଖଲ କରିଛ ନ୍ତି। ଏମାନଙ୍କ ମଧ୍ୟରୁ ୨୮୦ ଜଣ ନିଜକୁ କୋଟିପତି ଘୋଷଣା କରିଛନ୍ତି । ଆରଏଲ୍‌ଡି ର ୨୮ ଜଣ ପ୍ରାର୍ଥୀଙ୍କର ୧ କୋଟିରୁ ଅଧିକ ସମ୍ପତ୍ତି ଅଛି । ବିଜେପି ର ୫୭ ପ୍ରାର୍ଥୀଙ୍କ ମଧ୍ୟରୁ ୫୫ ଜଣ କୋଟିପତି । ୫୬ ବିଏସ୍‌ପି ପ୍ରାର୍ଥୀଙ୍କ ମଧ୍ୟରୁ ୫୦ ଜଣ କୋଟିପତି ।

ସମାଜବାଦୀ ପାର୍ଟି ର ୨୮ ପ୍ରାର୍ଥୀଙ୍କ ମଧ୍ୟରୁ ୨୩ ଜଣ କୋଟିପତି, କଂଗ୍ରେସ ର ୫୮ ପ୍ରାର୍ଥୀଙ୍କ ମଧ୍ୟରୁ ୩୨ ଜଣ କୋଟିପତି ଏବଂ ଆପ୍‌ର ୫୨ ପ୍ରାର୍ଥୀଙ୍କ ମଧ୍ୟରୁ ୨୨ ଜଣ କୋଟିପତି । ଆକଳନରୁ ଏହା ଜଣାପଡ଼ିଛି ଯେ, ପ୍ରତି ସପା ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ର ମୂଲ୍ୟ ୧୩.୨୩ କୋଟି । ବିଜେପି ପାଇଁ ଏହା ୧୨.୦୧ କୋଟି , ଆରଏଲ୍‌ଡି ପାଇଁ ୮.୩୨ କୋଟି, ବିଏସ୍‌ପି ପାଇଁ ୭.୭୧ କୋଟି, କଂଗ୍ରେସ ପାଇଁ ୩.୦୮ କୋଟି ଏବଂ ଆପ୍‌ ପାଇଁ ୧.୨୩ କୋଟି ରହିଛି ।