ଲତା ମଙ୍ଗେଶକର ଙ୍କ ପରଲୋକରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କଲେ କେନ୍ଦ୍ର ସରକାର

0
113
ଲତା ମଙ୍ଗେଶକର

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ, (୦୬/୦୨) : ୨ ଦିନ ପାଇଁ ଅର୍ଦ୍ଧନମିତ ରହିବ ଜାତୀୟ ପତାକା । ଲତା ମଙ୍ଗେଶକର ଙ୍କ ପରଲୋକରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କଲେ କେନ୍ଦ୍ର ସରକାର । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଆଜି ସନ୍ଧ୍ୟା ସାଢ଼େ ୬ ଟାରେ ମୁମ୍ବାଇର ଶିବାଜୀ ପାର୍କରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଶେଷକୃତ୍ୟରେ ଯୋଗ ଦେବେ ବୋଲି ଜଣାପଡ଼ିଛି ।

ଲତା ମଙ୍ଗେଶକର ତିନି ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ । ଏହା ସହିତ ପ୍ରଚ୍ଛଦପଟ୍ଟ ଗାୟିକା ଭାବେ ୪ ଥର ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ । ଦୁଇ ଥର ତାଙ୍କୁ ଫିଲ୍ମ ଫେୟାର ସ୍ପେଶାଲ୍ ପୁରସ୍କାର ଦିଆଯାଇଥିଲା । ତାଙ୍କୁ ଫିଲ୍ମ ଫେୟାର ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ଆୱାର୍ଡରେ ମଧ୍ୟ ସମ୍ମାନିତ କରାଯାଇଥିଲା ।

ଗତ ଜାନୁଆରୀ ମାସରେ କୋଭିଡ୍‌ରେ ଆକ୍ରାନ୍ତ ହେବା ପରେ ମୁମ୍ବାଇର ବ୍ରିଚ୍‌କ୍ୟାଣ୍ଡି ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ ଲତା ମଙ୍ଗେଶକର । ସେ ନିମୋନିଆରେ ବି ପୀଡ଼ିତ ହୋଇଥିଲେ । ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । କିଛି ଦିନ ତଳେ ତାଙ୍କୁ ଭେଣ୍ଟିଲେଟରରୁ ବାହାର କରାଯାଇଥିଲା । ତେବେ ଗତକାଲି ତାଙ୍କ ଅବସ୍ଥା ପୁଣି ବିଗିଡ଼ି ଯାଇଥିଲା । ତେଣୁ ତାଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଥିଲା । ଆଉ ଆଜି ସକାଳ ୮ ଟା ୧୨ ମିନିଟ୍‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।

୧୯୬୯ ରେ ଲତା ମଙ୍ଗେଶକରଙ୍କୁ ପଦ୍ମ ଭୂଷଣ ପୁରସ୍କାର ପ୍ରଦାନ କରାଯାଇଥିଲା । ୧୯୮୯ ରେ ଭାରତ ସରକାର ତାଙ୍କୁ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରିଥିଲେ । ୧୯୯୯ ରେ ତାଙ୍କୁ ପଦ୍ମ ବିଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ୨୦୦୧ ରେ ତାଙ୍କୁ ଭାରତରତ୍ନରେ ସମ୍ମାନିତ କରାଯାଇଥିଲା । ଲତାଙ୍କୁ ଫ୍ରାନ୍ସ ର ସର୍ବୋଚ୍ଚ ବେସାମରିକ ସମ୍ମାନ ମଧ୍ୟ ମିଳିଥିଲା । ଫ୍ରାନ୍ସ ସରକାର ତାଙ୍କୁ ଅଫିସର ଅଫ୍ ଦ ଲିଜିୟନ ଅଫ୍ ଅନରରେ ସମ୍ମାନିତ କରିଥିଲେ । ମଧ୍ୟ ପ୍ରଦେଶ ସରକାର ତାଙ୍କ ନାଁରେ ଏକ ପୁରସ୍କାର ମଧ୍ୟ ଦେଉଛନ୍ତି ।