ଶ୍ରୀଜିଉଙ୍କ ଦର୍ଶନ ପାଇଁ ହଟିଲା କୋଭିଡ୍ କଟକଣା

0
135
ଶ୍ରୀଜିଉଙ୍କ ଦର୍ଶନ ପାଇଁ

ରିପୋର୍ଟ : ଓଡିଶା ନ୍ୟୁଜ୨୪ ବ୍ୟୁରୋ
ପୁରୀ, (୨୧/୦୨) : ଶ୍ରୀଜିଉଙ୍କ ଦର୍ଶନ ପାଇଁ ହଟିଲା କୋଭିଡ୍ କଟକଣା । ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଭକ୍ତଙ୍କୁ ଆଉ ଦେଖାଇବାକୁ ପଡ଼ିବନି କୋଭିଡ୍ ଟିକା ର ପ୍ରମାଣପତ୍ର । ତା’ ସହ ଶ୍ରଦ୍ଧାଳୁଙ୍କୁ କିଓସ୍କରେ ଧାଡ଼ିରେ ମଧ୍ୟ ଛିଡ଼ା ହେବାକୁ ପଡିବନି । ନୀତି ସବକମିଟି ଓ ଛତିଶାନିଯୋଗ ବୈଠକରେ ନିଷ୍ପତ୍ତି ପରେ ଶ୍ରୀମନ୍ଦିର ପାଇଁ ଏହି ନୂଆ ମାର୍ଗଦର୍ଶିକା ଜାରି ହୋଇଛି ।

ଶ୍ରୀଜିଉଙ୍କ ଦର୍ଶନ ପାଇଁ ହଟିଲା କୋଭିଡ୍ କଟକଣା । ଏଣିକି ବିନା କଟକଣାରେ ଭକ୍ତମାନେ ସକାଳ ୬ ଟାରୁ ରାତି ୯ ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ । ପୂର୍ବ ଭଳି ଭକ୍ତମାନେ ପୂର୍ବ ଦ୍ୱାରରେ ପ୍ରବେଶ କରି ଦକ୍ଷିଣ ଦ୍ୱାରରେ ପ୍ରସ୍ଥାନ ବ୍ୟବସ୍ଥା ରହିଛି । ତେବେ ବରିଷ୍ଠ ନାଗରିକଙ୍କ ଲାଗି ସ୍ୱତନ୍ତ୍ର ଧାଡ଼ି ର ବ୍ୟବସ୍ଥା କରାଯାଇଛି । କୋରନା ର ପ୍ରକୋପ ଥମିବା ପରେ ଶ୍ରୀମନ୍ଦିରେ ଭକ୍ତଙ୍କ ପାଇଁ କଟକଣା ଉଠାଇ ଦିଆଯାଇଥିବାରୁ ଭକ୍ତ ମହଲରେ ଖୁସିର ଲହରି ଖେଳି ଯାଇଛି । ଏହି ନିଷ୍ପତ୍ତି କୁ ସେମାନେ ସ୍ୱାଗତ କରିଛନ୍ତି ।

ଗତ ୧୪ ତାରିଖରେ ଛତିଶାନିଯୋଗ ଓ ନୀତି ସବକମିଟି ବୈଠକରେ ବିନା କୋଭିଡ ଟିକା ପ୍ରମାଣ ପତ୍ରରେ ଦର୍ଶନ ଅନୁମତି ଦେବାକୁ ନିଷ୍ପତ୍ତି ହୋଇଥିଲା । ସପ୍ତାହ ରେ ୬ ଦିନ ଜଗା ଦର୍ଶନ ର ସୁବିଧା ସୁଯୋଗ ପାଇ ପାରିବେ ଶ୍ରଦ୍ଧାଳୁ । ରବିବାର ଦିନ ଶ୍ରୀମନ୍ଦିର କୁ ସାନିଟାଇଜ କରିବା ଉଦ୍ଦେଶ୍ୟରେ ବନ୍ଦ ରଖାଯିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ । ତେବେ କୋଭିଡ୍ ସଂକ୍ରମଣ ହାର ସମ୍ପୂର୍ଣ୍ଣ ବନ୍ଦ ହୋଇ ନ ଥିବାରୁ ମାସ୍କ ପିନ୍ଧିବା ଓ ସାନିଟାଇଜର ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି ।

ପୂର୍ବରୁ ଅଗଷ୍ଟ ୨୦୨୧ ରେ ଦୀର୍ଘ ୪ ମାସ ଅପେକ୍ଷା ପରେ ଯେତେବେଳେ ଶ୍ରୀମନ୍ଦିର ଖୋଲିଥିଲା, ସେତେବେଳେ କରୋନା ମହାମାରୀ ର ଭୟାବହତା କୁ ଦୃଷ୍ଟିରେ ରଖି ଦୁଇ ଡୋଜ ଟିକା ପ୍ରମାଣ ପତ୍ର କିମ୍ବା କୋଭିଡ ନେଗେଟିଭ ପ୍ରମାଣ ପତ୍ର ଦେଖାଇବା ବାଧ୍ୟତାମୂଳକ ଥିଲା ।