ଆଇସିସି ଟି-୨୦ ଟିମ୍‌ ରାଙ୍କିଙ୍ଗରେ ଭାରତ ୧ ନଂ

0
150
ଆଇସିସି ଟି-୨୦

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ
ନୂଆଦିଲ୍ଲୀ, (୨୧/୦୨) : ଗତକାଲି ତୃତୀୟ ତଥା ଅନ୍ତିମ ଟି-୨୦ କୁ ରୋହିତ ଶର୍ମାଙ୍କ ଟିମ ଇଣ୍ଡିଆ ୧୭ ରନ୍‌ରେ ଜିତିବା ପରେ ସିରିଜ୍‌କୁ ୩-୦ରେ କ୍ଲିନ ସୁଇପ କରି ଆଇସିସି ଟି-୨୦ ଟିମ୍‌ ରାଙ୍କିଙ୍ଗରେ ଭାରତ ୧ ନଂ ସ୍ଥାନ ଅଡିକର କରିଛି । ଏହା ପୂର୍ବରୁ ଦିନିକିଆ ସିରିଜକୁ ମଧ୍ୟ ରୋହିତ ବାହିନୀ ୩-୦ରେ ମୂଳପୋଛ କରିଥିଲା ।

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ୍‌ କ୍ଲିନ ସୁଇପ ପରେ ଭାରତ ଆଇସିସି ଟି-୨୦ ଟିମ୍‌ ରାଙ୍କିଙ୍ଗରେ ୧ନଂ ସ୍ଥାନରେ ପହଞ୍ଚି ଯାଇଛି । ଶେଷ ଟି-୨୦ ପୂର୍ବରୁ ଭାରତ ୧ ନଂ ସ୍ଥାନରେ ଥିବା ଇଂଲଣ୍ଡ ଠାରୁ ମାତ୍ର ଗୋଟିଏ ପଏଣ୍ଟ ପଛରେ ଥିଲା । ଇଂଲଣ୍ଡ ପାଖରେ ୨୬୯ ପଏଣ୍ଟ ଥିବା ବେଳେ ଭାରତ ୨୬୮ ପଏଣ୍ଟ ସହ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଥିଲା । ରବିବାର ରାତିରେ ଭାରତ ଜିତିଥିବାରୁ ୧ ନଂ ସ୍ଥାନ ଦଖଲ କରି ନେଇଛି । ଆଜି ଆଇସିସି ମଧ୍ୟାହ୍ନ ସମୟରେ ଏ ନେଇ ତାଲିକା ଜାରି କରିବ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦୀର୍ଘ ୬ ବର୍ଷ ପରେ ଭାରତ ଟି-୨୦ ରାଙ୍କିଙ୍ଗ ର ୧ ନଂ ସ୍ଥାନରେ ପହଞ୍ଚିବାକୁ ସକ୍ଷମ ହୋଇଛି । ଭାରତ ଶେଷଥର ପାଇଁ ୨୦୧୬ ଫେବୃଆରୀ ୧୨ ରୁ ୨୦୧୬ ମେ’ ୩ ଯାଏଁ ଟି-୨୦ ରାଙ୍କିଙ୍ଗ ର ୧ ନଂ ସ୍ଥାନରେ ଥିଲା । ଏହି ସମୟରେ ମହେନ୍ଦ୍ର ସିଂହ ଧୋନି ଭାରତର ଅଧିନାୟକ ଥିଲେ । ଏବେ ରୋହିତଙ୍କ କ୍ୟାପ୍ଟେନଶିପରେ ଭାରତ ୧ ନଂ ସ୍ଥାନକୁ ଫେରିବାକୁ ସକ୍ଷମ ହୋଇଛି ।

ଭାରତ କେବଳ ସିରିଜ୍‌ କ୍ଲିନ ସୁଇପ କିମ୍ବା ଟି-୨୦ ରାଙ୍କିଙ୍ଗର ୧ ନଂ ସ୍ଥାନରେ ପହଞ୍ଚିନି, ବରଂ ରୋହିତ ଶର୍ମା ମଧ୍ୟ କ୍ୟାପ୍ଟେନଶିପରେ ନୂଆଁ ରେକର୍ଡ କରିଛନ୍ତି । ସେ ପ୍ରଥମ ଭାରତୀୟ ଅଧିନାୟକ ଭାବେ ୩ କିମ୍ବା ତା’ଠାରୁ ଅଧିକ ଟି-୨୦ ସିରିଜ କୁ ମୂଳପୋଛ କରିବାରେ ସକ୍ଷମ ହୋଇଛନ୍ତି । ରୋହିତଙ୍କ କ୍ୟାପ୍ଟେନଶିପରେ ଟିମ ଇଣ୍ଡିଆ ପ୍ରଥମେ ୨୦୧୭ ରେ ଶ୍ରୀଲଙ୍କା, ୨୦୧୮ ରେ ୱେଷ୍ଟଇଣ୍ଡିଜ, ୨୦୨୧ ରେ ନ୍ୟୁଜିଲ୍ୟାଣ୍ଡ ଓ ୨୦୨୨ ରେ ପୁଣିଥରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଟି-୨୦ ସିରିଜ୍‌ କ୍ଲିନ ସୁଇପ କରିଛି । ରୋହିତ ପାକିସ୍ତାନ ର ସର୍ଫରାଜ ଅହମଦ (୫) ଓ ଆଫଗାନିସ୍ତା ର ଅଶଗର ଆଫଗାନ (୪)ଙ୍କ ପରେ ତୃତୀୟ କ୍ୟାପ୍ଟେନ ଭାବେ ଏପରି କ୍ଲିନ ସୁଇପ ର କୀର୍ତ୍ତିମାନ ସ୍ଥାପନ କରିଛନ୍ତି ।