ଜିଲ୍ଲା ସାମ୍ବାଦିକ ଭବନ ରେ ବିଶ୍ଵମାତୃ ଭାଷା ଦିବସ ପାଳିତ : କୋଶଳୀ ଭାଷାକୁ ସାମ୍ବିଧାନିକ ମାନ୍ୟତା ଦାବି

0
118
ଜିଲ୍ଲା ସାମ୍ବାଦିକ ଭବନ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୨୧/୦୨) : ଆଜି ବିଶ୍ୱ ମାତୃଭାଷା ଦିବସ ପାଳନ ଅବସରରେ କୋଶଳ ସାହିତ୍ୟ ସଂସ୍କୃତି ଏକାଡେମୀ ତରଫରୁ ଜିଲ୍ଲା ସାମ୍ବାଦିକ ଭବନ ଠାରେ କୋଶଳୀ ମାତୃଭାଷା ଦିବସ ସମାରୋହରେ ପାଳିତ ହୋଇଥିଲା ।

ଏହି ଉପଲକ୍ଷେ ଅନୁଷ୍ଠିତ ଏକ ସାଧାରଣ ସଭାରେ ବକ୍ତାମାନେ ସମସ୍ୱରରେ କୋଶଳୀ ଭାଷା ର ସାମ୍ବିଧାନିକ ମାନ୍ୟତା ଦାବୀ କରିଥିଲେ । ବିଶ୍ଵମାତୃ ଭାଷା ଦିବସ ପାଳନ ଅବସରରେ ଜିଲ୍ଲା ସାମ୍ବାଦିକ ଭବନ ରେ କୋଶଳୀ ଭାଷା ସଂସ୍କୃତି ର ସୁରକ୍ଷା ଓ ସମୃଦ୍ଧି ଦିଗରେ ରାଜ୍ୟ ସରକାର, ପ୍ରଶାସନ ତଥା ପୂର୍ବ ଓଡ଼ିଶା ର ମୁଷ୍ଟିମେୟ ବୁଦ୍ଧିଜୀବୀ ମହଲ ଘୋର ଅନ୍ତରାୟ ସୃଷ୍ଟି କରିଛନ୍ତି ବୋଲି ବକ୍ତାମାନେ ଅଭିଯୋଗ କରିଥିଲେ ।

ଅପରପକ୍ଷରେ କେତେକେ ଗୋଷ୍ଠୀ କୋଶଳୀ ଭାଷା ସଂସ୍କୃତି ତଥା କୋଶଳୀ ଅସ୍ମୀତା ଓ ପରିଚିତି କୁ ସମ୍ପୂର୍ଣ୍ଣ କବର ଦେଇ ଦେବାକୁ ହୀନ ଚକ୍ରାନ୍ତ କରୁଥିବା ଦୃଷ୍ଟାନ୍ତ ଦେଇଥିଲେ । କୋଶଳୀ ଭାଷା କୁ ଶୀଘ୍ର ମାନ୍ୟତା ନ ଦେଲେ ଗଣ ଆନ୍ଦୋଳନ ହେବ ବୋଲି ଏକ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିଲା । ଏକାଡେମୀ ର ସଭାପତି ପଦ୍ମଶ୍ରୀ ଡ. ଶ୍ରୀନିବାସ ଉଦ୍‌ଗାତା ସଭାରେ ଅଧ୍ୟକ୍ଷତା କରିଥିଲେ ।

ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଡ. ନରସିଂହ ପ୍ରସାଦ ଗୁରୁ ଏବଂ ସମ୍ମାନିତ ଅତିଥି ଭାବେ ପଦ୍ମଶ୍ରୀ ଡ. ହଳଧର ନାଗ ଯୋଗଦେଇ ଭାଷା ସଂସ୍କୃତି ଉପରେ ସୁଚିନ୍ତିତ ମନ୍ତବ୍ୟ ଦେଇଥିଲେ । ସମ୍ମାନିତ ବକ୍ତା ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, କୋଶଳୀ ଭାଷା ସାହିତ୍ୟ ଗବେଷକ ରାମଭକ୍ତ ଫରିକାର, ଭାଷାକର୍ମୀ ଡ. ସାକେତ ଶ୍ରୀଭୂଷଣ ସାହୁ, ବରିଷ୍ଠ ସାମ୍ବାଦିକ ବିରେନ୍ଦ୍ର କୁମାର ଝାଙ୍କର, ପ୍ରାଧ୍ୟାପିକା ମୀନା ମହାରଣା, କବୟିତ୍ରୀ ଚନ୍ଦ୍ରବତୀ ପାଣ୍ଡେ ପ୍ରମୁଖ କୋଶଳୀ ଭାଷା ସଂସ୍କୃତି ର ଉତ୍କର୍ଷତା ସଂପର୍କରେ ଆଲୋକପାତ କରିଥିଲେ ।

ସଭା ପ୍ରାରମ୍ଭରେ ଦେବୀ କୋଶଳେଶ୍ୱରୀ ଙ୍କ ପୂଜାର୍ଚ୍ଚନା କରାଯାଇଥିଲା ଏବଂ କୋଶଳୀ ଜାତୀୟ ସଂଗୀତ ଗାନ କରାଯାଇଥିଲା । ଶେଷରେ ଗବେଷିକା ସୀମାରାଣୀ ରଥ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମ ଟିକୁ ଏକାଡେମୀ ସାଧାରଣ ସମ୍ପାଦକ ଗୋରେଖନାଥ ସାହୁ ସଂଯୋଜନା କରିଥିଲେ ।