ଅନ୍ତିମ ପର୍ଯ୍ୟାୟରେ ଉଲୁଣ୍ଡା ବ୍ଲକରେ ଶାନ୍ତିପୂର୍ଣ୍ଣ ଭୋଟ ଗ୍ରହଣ : ୮୫.୪୪ ପ୍ରତିଶତ ମତଦାନ

0
119
ଅନ୍ତିମ ପର୍ଯ୍ୟାୟରେ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୋନପୁର, (୨୪/୨) : ସୁବର୍ଣ୍ଣପୁର ଜିଲ୍ଲା ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ଆଜି ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟରେ ଉଲୁଣ୍ଡା ବ୍ଲକରେ ୮୫.୪୪ ପ୍ରତିଶତ ମତଦାନ ସହିତ ଶାନ୍ତିପୂର୍ଣ୍ଣ ଭାବରେ ଭୋଟ ଗ୍ରହଣ ସମାପ୍ତ ହୋଇଛି l

ବ୍ଲକ ରେ ସମୁଦାୟ ୬୮,୩୪୯ ଜଣ ଭୋଟର ୨୩୪ ଟି ମତଦାନ କେନ୍ଦ୍ରରେ ସେମାନଙ୍କ ୱାର୍ଡ ମେମ୍ବର, ୧୭ ସରପଞ୍ଚ, ୧୭ ସମିତି ସଭ୍ୟ ଏବଂ ୨ ଜଣ ଜିଲ୍ଲା ପରିଷଦ ପାଇଁ ପ୍ରତିନିଧି ଚୟନ କରିବା ସୁଯୋଗ ପାଇଥିଲେ l ସମଗ୍ର ବ୍ଲକ କୁ ଦୁଇଟି ଜୋନ୍ ରେ ବିଭକ୍ତ କରାଯାଇ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଡ଼ୋଲାମଣୀ ପଟେଲ ଏବଂ ପ୍ରଶାସନ ର ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ନିରୀକ୍ଷଣ ରେ ଅବାଧ ଏବଂ ଶାନ୍ତିପୂର୍ଣ୍ଣ ଭାବରେ ନିର୍ବାଚନ ସମ୍ପନ୍ନ ହୋଇଛି l

ଅନ୍ତିମ ପର୍ଯ୍ୟାୟରେ କୌଣସି ବୁଥରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇ ନ ଥିଲା l ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଏବଂ ବୀରମହାରାଜପୁର ଉପ ଜିଲ୍ଲାପାଳ ଅଶୋକ କୁମାର ଭୋଇ ଅନେକ ବୁଥ ପରିଦର୍ଶନ ସହିତ ବିଭିନ୍ନ ଅଞ୍ଚଳ ଗସ୍ତ କରି ଅବାଧ ଏବଂ ନିରପେକ୍ଷ ମତଦାନ କୁ ସୁନିଶ୍ଚିତ କରିଥିଲେ l ନୋଡାଲ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ, ଉଲୁଣ୍ଡା ପରିସରରେ ହୋଇଥିବା ଉଭୟ ପିଙ୍କ ବୁଥରେ ବହୁ ସଂଖ୍ୟାରେ ମହିଳା ଭୋଟର ଉତ୍ସାହିତ ହୋଇ ମତଦାନ କରିଥିଲେ l

ବିଭିନ୍ନ ବୁଥ ମାନଙ୍କରେ ସକାଳ ୭ ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇ ଥିବା ବେଳେ ଭୋଟର ମାନେ ନିର୍ଦ୍ଧାରିତ ସମୟରେ କେନ୍ଦ୍ରରେ ଉପସ୍ଥିତ ରହି ଶେଷ ଯାଏଁ ଭୋଟ ଦେଇଥିଲେ l ସମଗ୍ର ବ୍ଲକ ରେ ୩୫,୬୨୫ ଜଣ ପୁରୁଷ ଭୋଟର ଏବଂ ୩୨,୭୨୪ ଜଣ ମହିଳା ଭୋଟର ଥିଲାବେଳେ ଉତ୍ସାହଜନକ ଭାବରେ ୮୫.୪୪ ପ୍ରତିଶତ ମତଦାନ ହୋଇଛି l

ମୋଟା ମୋଟି ଭାବରେ ଶାନ୍ତିପୂର୍ଣ୍ଣ ଭାବରେ ସମଗ୍ର ଜିଲ୍ଲା ର ୬ ଟି ଯାକ ବ୍ଲକ ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ସମ୍ପୂର୍ଣ୍ଣ ହୋଇ ଥିବାରୁ ଜିଲ୍ଲା ପଞ୍ଚାୟତ ଅଧିକାରୀ ଅମୁଲ୍ୟ କୁମାର ନନ୍ଦ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ର ଅଧିକାରୀ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି l ନିର୍ବାଚନରେ ନିୟୋଜିତ ସମସ୍ତ କର୍ମଚାରୀ ସୁନ୍ଦର ଭାବରେ ଏହାକୁ ପରିଚାଳନା କରିଥିବାରୁ ଜିଲ୍ଲାପାଳ ଶ୍ରୀମତୀ ନରୱଣେ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି l