ବିଶ୍ୱ ଅର୍ଥନୀତି ଆକାଶରେ ଘୋଟିଛି କଳା ବାଦଲ : ଦୁର୍ଦ୍ଦଶା ଭୋଗିବେ ଲୋକେ

0
158
ବିଶ୍ୱ ଅର୍ଥନୀତି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଋଷ/ନୂଆଦିଲ୍ଲୀ, (୦୪/୦୩) : ୟୁକ୍ରେନ ମଧ୍ୟରେ ଯୁଦ୍ଧ ତୀବ୍ରତର ହେଉଥିବା ବେଳେ ବିଭିନ୍ନ ସାମଗ୍ରୀ ଉପରେ ଏହାର ପ୍ରଭାବ ପଡିବା ଆରମ୍ଭ ହେଲାଣି । ଋଷ ଉପରେ ଆର୍ଥିକ କଟକଣା ଗୁଡିକ ମଧ୍ୟରେ ବିଶ୍ୱ ଅର୍ଥନୀତି ଆକାଶରେ ଯେପରି କଳା ବାଦଲ ଘୋଟି ଆସିଛି ।

ତୈଳ, ପ୍ରାକୃତିକ ଗ୍ୟାସ୍ ଓ ଅନ୍ୟାନ୍ୟ ସାମଗ୍ରୀ ଦର କ୍ଷୀପ୍ର ଗତିରେ ବଢିବାରେ ଲାଗିଛି । ବିଶ୍ୱ ଯୋଗାଣ ଶୃଙ୍ଖଳକୁ ଯୁଦ୍ଧ ଗଭୀର ଭାବେ ପ୍ରଭାବିତ କରୁଥିବାରୁ ଋଷ ଉପରେ ଆମେରିକା, ୟୁରୋପ, ଓ ଅନ୍ୟାନ୍ୟ ସହଯୋଗୀ ରାଷ୍ଟ୍ର ଗୁଡିକର ଆର୍ଥିକ କଟକଣା ପରିସ୍ଥିତି ବିଗିଡିବା ଆରମ୍ଭ କରିଛି । ଯୁଦ୍ଧକୁ ହେଲାଣି ୯ ଦିନ । ଏହା ଭିତରେ ୟୁକ୍ରେନ ଧ୍ୱଂସ ର ସ୍ତୁପ ପାଲଟି ଗଲାଣି । ଏହା ସହ ଭୁଷୁଡିବାକୁ ବସିଲାଣି ବିଶ୍ୱ ଅର୍ଥନୀତି ଅବସ୍ଥା ।

ସୂଚନା ମୁତାବକ, ୟୁରୋପ ର ତୈଳ ଆବଶ୍ୟକତା ର ବୃହତ ଭାଗ ଋଷରୁ ଆମଦାନୀ ହୋଇଥାଏ । ଏଭଳି କ୍ଷେତ୍ରରେ ଋଷ ଉପରେ କଟକଣା ଯୋଗୁଁ ୟୁରୋପରେ ଏକ ବଡ ଧରଣ ର ଶକ୍ତି ସଙ୍କଟ ମୁଣ୍ଡ ଟେକିଛି । ଅନ୍ୟପଟେ ଆଫ୍ରିକାକୁ ବୃହତ ମାତ୍ରାରେ ଗହମ ଓ ଅନ୍ୟାନ୍ୟ ଶସ୍ୟ ଋଷ ଓ ୟୁକ୍ରେନ ରୁ ଯାଇଥାଏ । ଏଭଳି ସ୍ଥିତିରେ ସେଠାରେ ଖାଦ୍ୟ ସଙ୍କଟ ଦେଖାଦେବାର ସୂଚନା ମିଳିଲାଣି ।

କେବଳ ଏତିକି ନୁହେଁ ସାମ୍ପ୍ରତିକ ସମସ୍ୟା ଓ ଅସ୍ଥିରତା ଗୁଡିକ ମଧ୍ୟରେ ଆଗକୁ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ମୁଦ୍ରାସ୍ଫିତି ଉକ୍ରଟ ହେବା ନେଇ ଆଶଙ୍କା କରାଯାଇଛି । ଋଷରୁ ଆମଦାନୀ ହେଉଥିବା ଶକ୍ତିରେ ୟୁରୋପ ର ଘରେ ଘରେ ବିଜୁଳି ଜଳିଥାଏ । କଳ କାରଖାନା ଗୁଡିକ ଚାଲିଥାଏ ଏବଂ ଗ୍ୟାସ ଟାଙ୍କି ଭର୍ତ୍ତି ହୋଇଥାଏ । ଯୁଦ୍ଧ ଯୋଗୁଁ ଦେଖା ଦେଇଥିବା ଅସ୍ଥିିରତା ଯୋଗୁଁ ୟୁରୋପ ର ଅର୍ଥନୀତିରେ ଘୋର ସଙ୍କଟ ଦେଖାଦେବା ର ଯଥେଷ୍ଟ ସମ୍ଭାବନା ସୃଷ୍ଟି ହୋଇଛି ।