ଆସନ୍ତାକାଲି ଠୁ କୋଭିଡ୍ ଗାଇଡଲାଇନ୍ ପାଳନ କରି ସବୁ ରୁଟରେ ଗଡିବ ‘ମୋ ବସ୍’

0
151

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୦୧/୦୮) : କରୋନା ମହାମାରୀ ଯୋଗୁ ବନ୍ଦ ଥିବା ‘ମୋ ବସ୍’ ସେବା ଗତ ଜୁଲାଇ ୧୬ ତାରିଖରୁ ଆରମ୍ଭ ହୋଇଥିଲେ ମଧ୍ୟ ସବୁ ରୁଟରେ ବସ ଚାଲି ନ ଥିଲା । କୋଭିଡ୍ କଟକଣା କୋହଳ ହେବା ପରେ ଆସନ୍ତାକାଲି ଠୁ ୨ ତାରିଖ ସୋମବାରରୁ ପୁଣିଥରେ ସବୁ ରୂୁଟରେ ବସ୍ ଚଳପ୍ରଚଳ କରିବ ।

ରାଜ୍ୟ ସରକାରଙ୍କ କୋଭିଡ୍ ଗାଇଡଲାଇନ୍ ପାଳନ କରି ଆସନ୍ତାକାଲି ଠୁ ଏହି ବସ୍ ଚଳାଚଳ ଆରମ୍ଭ କରାଯିବ ବୋଲି କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ) ଜେନେରାଲ ମ୍ୟାନେଜର ଦୀପ୍ତି ମହାପାତ୍ର କହିଛନ୍ତି ।

ଶ୍ରୀ ମହାପାତ୍ର କହିଛନ୍ତି ଯେ, ଆସନ୍ତା ସୋମବାରରୁ ସମସ୍ତ ୨୫ଟି ରୁଟରେ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ‘ମୋ ବସ୍’ ଚାଲିବ । ସୋମବାରୁ ଶୁକ୍ରବାର ପର୍ଯ୍ୟନ୍ତ ଏସବୁ ମାର୍ଗରେ ମୋଟ ୧୯୪ଟି ବସ୍ ଚଳପ୍ରଚଳ କରିବ । ସାପ୍ତାହିକ ଶଟଡାଉନ୍ ଯୋଗୁ ଶନିବାର ଓ ରବିବାର ବସ୍ ସେବା ବନ୍ଦ ରହିବ । କିନ୍ତୁ ଏହି ସମୟରେ ବିମାନବନ୍ଦରରୁ ରେଳଷ୍ଟେସନ ପର୍ଯ୍ୟନ୍ତ ବସ୍ ସେବା ଜାରି ରହିବ ।

ତେବେ ସୋମବାରଠୁ ସବୁ ମାର୍ଗରେ ବସ୍ ଚଳପ୍ରଚଳ କଲେ ମଧ୍ୟ ବସରେ କୌଣସି ଯାତ୍ରୀଙ୍କୁ ଠିଆ ହୋଇ ଯିବାକୁ ସୁଯୋଗ ମିଳିବ ନାହିଁ । ସମସ୍ତ ଯାତ୍ରୀଙ୍କ ପାଇଁ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । ବିନା ମାସ୍କରେ ବସ ଭିତରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ । ମୋ ବସରେ ଯାତାୟତବେଳେ ଯାତ୍ରୀମାନେ ନିଜ ଆଡ଼ୁ ସତର୍କତାମୂଳକ ପଦକ୍ଷେପ ନିଅନ୍ତୁ ବୋଲି ଶ୍ରୀ ମହାପାତ୍ର ଅନୁରୋଧ କରିଛନ୍ତି ।

ମୋ ବସ୍’ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଦୁଇ ଡୋଜ୍ ଟିକା ନେଇସାରିଛନ୍ତି । ନିୟମିତ ଭାବେ ବସଗୁଡ଼ିକ ସାନିଟାଇଜ୍ କରାଯାଉଛି ଓ ଯାତ୍ରୀଙ୍କ ନିରାପତ୍ତାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି ବୋଲି ସୂଚନା ଦିଆଯାଇଛି ।