ଛତିଶଗଡ଼ ସୀମାରେ ଏକାଧିକ ଶିଳ୍ପ ଫାଇଦାରେ ପଡ଼ିଶା : ବୋଝ ବୋହୁଛି ଓଡ଼ିଶା

0
119
ଛତିଶଗଡ଼

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଝାରସୁଗୁଡ଼ା, (୦୨/୦୪) : ଛତିିଶଗଡ଼ ସରକାର ଓଡ଼ିଶା ସୀମାରେ ଏକାଧିକ ଶିଳ୍ପ କାରଖାନା ପ୍ରତିଷ୍ଠା କରିଛନ୍ତି । ସୀମାନ୍ତକୁ ଲାଗି ରହିିଥିବା ଝାରସୁଗୁଡ଼ା ଜିଲାର ଲଖନପୁର ବ୍ଲକ ବାସିନ୍ଦା ଏସବୁ କାରଖାନା ଯୋଗୁଁ ପ୍ରଦୂଷଣଜନିତ ଗୁରୁତର କୁପ୍ରଭାବ ର ଫଳ ଭୋଗୁଛନ୍ତି ; ମାତ୍ର କାରଖାନା ର ପ୍ରଭାବିତ କ୍ଷେତ୍ର ତାଲିକାରେ ଏମାନେ ଆସୁ ନାହାଁନ୍ତି ।

ଫଳରେ କାରଖାନା ଦ୍ୱାରା କରାଯାଉଥିବା ପାରିପାର୍ଶିକ ଉନ୍ନୟନର ଭାଗିଦାରୀ ମଧ୍ୟ ହୋଇପାରୁ ନାହାଁନ୍ତି । ପୂର୍ବରୁ ପ୍ରତ୍ୟେକ ଥର ପାରିପାର୍ଶ୍ଵିକ ଉନ୍ନୟନ କାମରେ ପ୍ରଭାବିତ ଓଡ଼ିଶା ର ଗ୍ରାମ ଗୁଡ଼ିକୁ ବିଚାରକୁ ନିଆଯାଇ ନ ଥିବା ବେଳେ ସମ୍ପ୍ରସାରଣ ସମୟରେ ମଧ୍ୟ ଏହାକୁ ଅଣଦେଖା କରାଯାଉଛି । ହାକୁ ନେଇ ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ର ସୀମାବର୍ତ୍ତୀ ଅଞ୍ଚଳ ତଥା ଅତାବିରା ପଞ୍ଚାୟତ ସଂଲଗ୍ନ ଏମଏସପି କାରଖାନା ର ସମ୍ପ୍ରସାରଣ ପାଇଁ ଅନୁଷ୍ଠିତ ଜନଶୁଣାଣିରେ ବି ଓଡ଼ିଶାର ପ୍ରକଳ୍ପ ପ୍ରଭାବିତ କ୍ଷେତ୍ରକୁ ଅଣଦେଖା କରାଯିବା ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢାଇଛି । ଗୋଟିଏ ପଟେ ପଡୋଶୀ ଛତିଶଗଡ଼ ଶିଳ୍ପ ପ୍ରତିଷ୍ଠା କରି ଫାଇଦାରେ ଥିବାବେଳେ ପରିବେଶ ପ୍ରଦୂଷଣ ଜନିତ ଗୁରୁତର ସମସ୍ୟା ଭୋଗୁଛନ୍ତି ସୀମାନ୍ତ ଓଡ଼ିଶାବାସୀ ।

ଛତିଶଗଡ଼ ରାୟଗଡ଼ ଜିଲା ଅନ୍ତର୍ଗତ ଜାମଗାଁର ମନୁଅାଁପାଲି ଠାରେ ଏମ୍‌ଏସ୍‌ପି ଷ୍ଟିଲ ଆଣ୍ଡ ପାୱାର କମ୍ପାନୀର ସମ୍ପ୍ରସାରଣ ପାଇଁ ନିକଟରେ ଜନ ଶୁଣାଣି ହୋଇଥିଲା । ହେଲେ ଏଥିରେ ଓଡ଼ିଶାର ସୀମାବର୍ତ୍ତୀ ଅତାବିରା ପଞ୍ଚାୟତ ସମେତ ଆଖପାଖ ଅଞ୍ଚଳ ବିଶେଷ ପ୍ରଭାବିତ ହେବାକୁ ଥିଲେ ହେଁ ଅଞ୍ଚଳ ର କୌଣସି ବ୍ୟକ୍ତିଙ୍କୁ ଜନଶୁଣାଣିରେ ସାମିଲ କରାଯାଇ ନ ଥିଲା ।

ଯାହାକି ସ୍ଥାନୀୟ ନିର୍ବାଚିତ ପ୍ରତିନିଧିଙ୍କ ସମେତ ଅଞ୍ଚଳ ର ସଚେତନ ନାଗରିକ ଏହାକୁ ବିରୋଧ କରି ରାୟଗଡ଼ ଜିଲ୍ଲା ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ ଦେଇଥିଲେ । ଏପରିକି ସମ୍ପ୍ରସାରଣକୁ ଦୃଢ ବିରୋଧ କରିବା ସହିତ ଅତାବିରା ପଞ୍ଚାୟତ ଅଞ୍ଚଳକୁ ପାରିପାର୍ଶ୍ଵିକ ଉନ୍ନୟନରେ ସାମିଲ କରିବାକୁ ଦାବି କରିଥିଲେ । ମାତ୍ର ପଡୋଶୀ ପ୍ରଶାସନ ଏଭଳି ବିରୋଧକୁ କର୍ଣ୍ଣପାତ ନକରି ଜନଶୁଣାଣି କରିଥିଲା ।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଉଛି, କମ୍ପାନୀ ସମ୍ପ୍ରସାରଣ କଲେ ସ୍ଥାନୀୟ ଅଞ୍ଚଳର ଜଙ୍ଗଲ ଓ ପରିବେଶ ଗୁରୁତର ପ୍ରଭାବିତ ହେବ । ହଜାର ହଜାର ବୃକ୍ଷଲତା ଏଥିରେ ବଳି ପଡ଼ିବ । ଫଳରେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ପ୍ରତିପୋଷଣ କରୁଥିବା ଗରିବ ଲୋକେ ରୋଜଗାର ରୁ ବଞ୍ଚିତ ହେବେ । ଚାଷ କାର୍ଯ୍ୟ ପ୍ରଭାବିତ ହେବ । ଏହା ସହିତ ବନ୍ୟଜନ୍ତୁ ପ୍ରଭାବିତ ହେବେ‌ ।

କମ୍ପାନୀ ର କାରଖାନା ଏହି ଅଞ୍ଚଳର ଖୁବ୍ ନିକଟରେ ଥିବାରୁ ବିଷାକ୍ତ ବର୍ଜ୍ୟବସ୍ତୁ, ଧୂଳି ଓ ଧୂଆଁ ଜନିତ ବାୟୁମଣ୍ଡଳ ପ୍ରଦୂଷଣକୁ ବଢାଇଛି । ଏବେ ବି ପାଣି, ପବନ, ଜଙ୍ଗଲ ପରିବେଶ, ଜଳବାୟୁ, ମୃର୍ତ୍ତିକା ସମ୍ପୂର୍ଣ୍ଣ ପ୍ରଦୂଷିତ ହୋଇପଡିଛି । ଆଗକୁ କମ୍ପାନୀର ସଂପ୍ରସାରଣ ଦ୍ବାରା ଏହା ଅଧିକ ଗୁରୁତର ହୋଇପଡିବ ।

ତେବେ ସୀମାନ୍ତ ଓଡ଼ିଶାବାସୀଙ୍କ କାଳ ଏକାକୀ ଏହି କାରଖାନା ନୁହେଁ । ଲଖନପୁର ବ୍ଲକ ସୀମାନ୍ତ କନକତୋରାକୁ ଲାଗି ରହିଥିବା ଓଡ଼ିଶା-ଛତିଶଗଡ ସୀମାରେ ୧୬୦୦ ମେଗାୱାଟ କ୍ଷମତା ବିଶିଷ୍ଟ ରାଷ୍ଟ୍ରୀୟ ତାପଜ ବିଦ୍ୟୁତ୍ ଉତ୍ପାଦନ ପ୍ରକଳ୍ପ(ଏନଟିପିସି) ରହିଛି । ଏହି ପ୍ରକଳ୍ପରୁ ମଧ୍ୟ କନକତୋରା ସମେତ ୧୯ଖଣ୍ଡ ମୌଜାର କଣ୍ଢେଇକେଲା, ରେମତା, ଚାରପାଲି, ପିଥିଣ୍ଡା ଓ ବାଦିମାଲ ପଞ୍ଚାୟତର ୨୭ ଟି ଗ୍ରାମ ର ୨୫ ହଜାର ଲୋକେ ସିଧାସଳଖ ପ୍ରଭାବିତ ହେଉଛନ୍ତି ।

ବାୟୁ ଓ ଜଳପ୍ରଦୂଷଣରେ ଅଞ୍ଚଳବାସୀ ଅତିଷ୍ଠ ହୋଇ ପଡ଼ିଥିଲେ ହେଁ କାରଖାନା ପାରିପାର୍ଶ୍ଵିକ ବିକାଶରୁ କାଣିଚାଏ ମିଳୁନାହିଁ । ଓଲଟା କନକତୋରା ଅଞ୍ଚଳର କିଛି ଲୋକ ଏନଟିପିସିରେ ଚାକିରି କରୁଥିବାକୁ ନେଇ ବିଗତ ଦିନରେ ରାୟଗଡ଼ ବିଧାୟକ ଆପତ୍ତି ଉଠାଇବା ସହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ସମ୍ମୁଖରେ ଏନଟିପିସି ଅଧିକାରୀଙ୍କୁ ସମାଲୋଚନା ଓ ଭର୍ତ୍ସନା କରିଥିଲେ । ସୀମାନ୍ତରେ ପ୍ରତ୍ୟକ୍ଷ ପ୍ରଭାବିତ ଲୋକଙ୍କ ପ୍ରତି ଏଭଳି ବ୍ୟବହାର ହେଉଥିଲେ ହେଁ ଏ ସଂକ୍ରାନ୍ତରେ ଝାରସୁଗୁଡ଼ା ଜିଲା ପ୍ରଶାସନ କିମ୍ବା ରାଜ୍ୟ ସରକାର କେହି ଗୁରୁତ୍ବ ଦେଉ ନ ଥିବା ହେତୁ ଅସନ୍ତୋ​‌ଷ ବଢୁଛି ।

ସରକାର ଏହି ପାରିପାର୍ଶ୍ୱିକ ଅଞ୍ଚଳ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ପ୍ରଦୂଷଣକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହିତ ଏହି ଅଞ୍ଚଳ ର ମୌଳିକ ଆବଶ୍ୟକତା ଯଥା ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ଓ ବିଦ୍ୟୁତ ଯୋଗାଣ ନିମନ୍ତେ ଆବଶ୍ୟକତା ଅନୁଯାୟୀ ପାରିପାର୍ଶ୍ଵିକ ଉନ୍ନୟନ(ସିଏସଆର) ପାଣ୍ଠି ର ବିନିଯୋଗ କରି ଅଞ୍ଚଳରେ ବିକାଶ କରାଇବା ପାଇଁ ଦାବି ହୋଇଛି ।