ଓଡ଼ିଶାରେ ବେକାରୀ ହାର ନେଇ ସିଏମଆଇଇ ରିପୋର୍ଟ

0
181
ଓଡିଶାରେ ବେକାରୀ ହାର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୪/୦୪) : ମାସକ ମଧ୍ୟରେ ବଦଳିଗଲା ରାଜ୍ୟ ର ବେକାରୀ ହାର । ସାରା ଦେଶରେ ବେକାରୀ ଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ଓଡ଼ିଶାରେ ବେକାରୀ ହାର ବଢ଼ିଛି ।

ମାର୍ଚ୍ଚରେ ଓଡ଼ିଶାରେ ବେକାରୀ ହାର ୯.୭% କୁ ବୃଦ୍ଧି ପାଇଛି ଯାହା ଫେବୃୟାରୀ ମାସରେ ମାତ୍ର ୧% ଥିଲା । ଘରୋଇ ସଂସ୍ଥା ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି ଜାରି କରିଥିବା ରିପୋର୍ଟରୁ ଏହା ଜଣାପଡ଼ିଛି । ଫେବୃୟାରୀ ମାସରେ ଓଡ଼ିଶା ର ବେକାରୀ ହାର ସାରା ଦେଶରେ ସର୍ବନିମ୍ନ ଥିଲା । ମାର୍ଚ୍ଚରେ ଏହା ୧୭ ତମ ସ୍ଥାନରେ ରହି ଦୁର୍ବଳ ପ୍ରଦର୍ଶନ କରିଛି ।

କରୋନା ମହାମାରୀ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଅର୍ଥନୀତିରେ ଦ୍ରୁତ ସୁଧାର ହେଉଥିବାରୁ ମାର୍ଚ୍ଚରେ ସର୍ବଭାରତୀୟ ବେକାରୀ ହାର ୭.୬ ପ୍ରତିଶତକୁ ହ୍ରାସ ପାଇଛି । ଫେବ୍ରୁଆରିରେ ତାହା ୮.୧୦% ଥିଲା । ଏପ୍ରିଲ୍‌ ୨ ସୁଦ୍ଧା ଦେଶର ବେକାରୀ ହାର ୭.୫%କୁ ହ୍ରାସ ପାଇଛି । ସହରାଞ୍ଚଳ ବେକାରୀ ହାର ୮.୫% ରହିଥିବା ବେଳେ ଗ୍ରାମାଞ୍ଚଳରେ ଏହି ହାର ୭.୧ ପ୍ରତିଶତ ରହିଛି । ଶ୍ରମ ବିଶେଷଜ୍ଞମାନେ କହିଛନ୍ତି ଯେ ଯଦିଓ ଭାରତରେ ବେକାରୀ ହାର ହ୍ରାସ ପାଉଛି, କିନ୍ତୁ ଏକ ଗରିବ ରାଷ୍ଟ୍ର ହୋଇଥିବାରୁ ଏହି ହାରକୁ ଯଥେଷ୍ଟ ଅଧିକ ବୋଲି ବିଚାର କରାଯିବ ।

ବେକାରୀ ସ୍ଥିତିରେ ସୁଧାର ଏହି ସଙ୍କେତ ଦେଉଛି ଯେ ଦୁଇ ବର୍ଷ ଧରି କରୋନା ମହାମାରୀ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଅର୍ଥନୀତି ର କ୍ଷତ ଶୁଖିବା ପ୍ରକ୍ରିୟା ଆରମ୍ଭ ହୋଇଗଲାଣି । ଗ୍ରାମାଞ୍ଚଳରେ ଲୋକମା‌ନେ ଦୀର୍ଘଦିନ ପର୍ଯ୍ୟନ୍ତ ବେକାର ରହି ବଞ୍ଚିବା ଅତ୍ୟନ୍ତ କଷ୍ଟକର । ତେଣୁ ଯାହା ବି କାମ ମିଳୁଛି ତାହା କରିବା ଲାଗି ସେମାନେ ଆଗ୍ରହ ଦେଖାଉଛନ୍ତି ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ଏହି ରାଙ୍କିଂରେ ଓଡିଶା ଦେଶରେ ୧୭ ନମ୍ବର ସ୍ଥାନରେ ରହିଛି । ତେବେ ହରିଆଣାରେ ବେକାରି ହାର ସର୍ବାଧିକ ୨୬.୭ ପ୍ରତିଶତ ରହିଛି । ଏହା ପଛକୁ ୨୫ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ରହିଛି ରାଜସ୍ଥାନ । ଗୁଜରାଟ ଓ କର୍ଣ୍ଣାଟକରେ ବେକାରୀ ହାର ୧.୮ ପ୍ରତିଶତ ଲେଖାଏ ରହିଥିବା ବେଳେ ମଧ୍ରପ୍ରଦେଶରେ ୧.୪ ପ୍ରତିଶତ ରହିଛି । କରୋନା ମହାମାରୀରେ କ୍ଷତିଗ୍ରସ୍ତ ହୋଇଥିବା ଅର୍ଥନୀତିରେ ସୁଧାର ଆସୁଛି ।