କଲବଲ କରିବ ତାତି : ୧୭ ଯାଏଁ ବର୍ଷିବ ନିଆଁ

0
152
କଲବଲ କରିବ ତାତି

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୧୪/୦୪) : ଆଗକୁ ଆହୁରି କଲବଲ କରିବ ତାତି । ଦକ୍ଷିଣ, ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ପ୍ରଚଣ୍ଡ ରୌଦ୍ରତାପ କଲବଲ କରିବ । ୧୭ ତାରିଖ ଯାଏଁ ରାଜ୍ୟ ର ପ୍ରାୟ ସବୁ ଅଞ୍ଚଳରେ ଅସମ୍ଭାଳ ତାତି ଅନୁଭୂତ ହେବ ।

କଲବଲ କରିବ ତାତି ! ବରିଷ୍ଠ ପାଣିପାଗ ବିଜ୍ଞାନୀ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏଭଳି ପୂର୍ବାନୁମାନ କରିଛନ୍ତି । ସେପଟେ କାଳବୈଶାଖୀ ପ୍ରଭାବରୁ ୧୯ ତାରିଖରୁ ରାଜ୍ୟ ର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାକୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ସତର୍କ ସୂଚନା ଜାରି କରିଛନ୍ତି ।

ପ୍ରଫେସର ପଶୁପାଳକଙ୍କ ପୂର୍ବାନୁମାନ କହୁଛି, ଆଜି ପର୍ଯ୍ୟନ୍ତ ଉପକୂଳରେ ବଙ୍ଗୋପସାଗରୀୟ ପବନ ବହୁଥିଲା । ଏଥିପାଇଁ ତାପମାତ୍ରା କମ୍‌ ରହୁଥିଲା । ଆସନ୍ତାକାଲି ଠାରୁ ରାଜ୍ୟକୁ ସିଧାସଳଖ ଉତ୍ତର ପଶ୍ଚିମା ଗରମ ପବନ ପ୍ରବାହିତ ହେବ । ଏଥିପାଇଁ ତାପମାତ୍ରା ବଢ଼ିବ ।

ଉପକୂଳରେ ଆସନ୍ତା ୧୭ ତାରିଖ ଯାଏଁ ଗରମ ଅଧିକ ରହିବ । ୧୫ ବା ୧୬ ରେ ଭୁବନେଶ୍ୱର ତାପମାତ୍ରା ୪୦ ଡିଗ୍ରୀ ପାର୍‌ କରିବ । ତେବେ ୧୮ ତାରିଖ ଠାରୁ ତାପମାତ୍ରା କମିପାରେ । ୧୯ ରୁ ତାପମାତ୍ରା ପୁଣି ୩୬ ବା ୩୭ ଡିଗ୍ରୀକୁ ଖସିଯିବ । ୧୯ ରୁ ୨୧ ତାରିଖ ଯାଏଁ କାଳବୈଶାଖୀ ବର୍ଷା ପ୍ରଭାବ ରହିବ । କିନ୍ତୁ ୨୨ ରୁ ପୁଣି ଗରମ ବଢ଼ିବ ବୋଲି ସେ କହିଛନ୍ତି ।

ସେହିଭଳି ଦକ୍ଷିଣ, ପଶ୍ଚିମ ଓ କେନ୍ଦ୍ରୀୟ ଓଡି଼ଶାରେ ୨୨ ତାରିଖ ଯାଏ ଅସମ୍ଭାଳ ଗରମ ହେବ । ୧୮ ଓ ୧୯ ତାରିଖରେ କିଛି ସ୍ଥାନରେ ସର୍ବାଧିକ ତାପମାତ୍ରା ୪୪ ଡିଗ୍ରୀ ଛୁଇଁପାରେ । ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶାରେ ବି ତାପମାତ୍ରା କ୍ରମଶଃ ବଢ଼ିବ । ୧୭ ରେ ଏହା ସବୁଠୁ ଅଧିକ ରହିବ । ୧୮ ରୁ ଏହା ପୁଣି କମିପାରେ । ୨୧ ରେ କୁଆପଥର ମାଡ଼ ସହ ବର୍ଷା ହୋଇପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।

ସେପଟେ ପାଣିପାଗ ବିଭାଗ ଭିନ୍ନ ଆକଳନ କରିଛି । ୧୪ ରୁ ୧୭ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହୋଇପାରେ । ଉପକୂଳ ଓଡ଼ିଶା ସମେତ ଉତ୍ତର ଓ ଦକ୍ଷିଣ ଓଡ଼ିଶା ର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ୟେଲୋ ସତର୍କତା ଜାରି କରାଯାଇଛି ।

ଗୁରୁବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝରରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବ । ୧୫ ରେ ଉପକୂଳ ଓଡ଼ିଶା ସମେତ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, କେନ୍ଦୁଝର, ମୟୂରଭଞ୍ଜରେ ବର୍ଷା ସମ୍ଭାବନା ଅଛି । ୧୬ ଓ ୧୭ ରେ ଏହି ସମସ୍ତ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି ।