ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି

0
134
ଆଜି ପବିତ୍ର ମହାବିଷୁବ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୧୪/୦୪) : ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଏହି ଦିନକୁ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଏ । ଓଡ଼ିଶା ତଥା ଦେଶ ବିଦେଶରେ ରହୁଥିବା ଓଡ଼ିଆମାନେ ଧୂମଧାମରେ ପାଳନ କରିଥାନ୍ତି ଏହି ଦିନଟିକୁ । ପଣା ସଂକ୍ରାନ୍ତିଠାରୁ ବସନ୍ତ ଋତୁର ଶେଷ ଏବଂ ଗ୍ରୀଷ୍ମ ଋତୁର ଆଗମନ ହୋଇଥାଏ ।

ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସରରେ ଏକ ମାଟି ମାଠିଆରେ ଛୋଟ କଣା କରାଯାଇ ସେଥିରେ ପଣା ରଖାଯାଏ । ଏହି ପଣା ମାଠିଆକୁ ତୁଳସୀ ଚଉରା ଉପରେ ବନ୍ଧାଯାଏ । ମାଠିଆଟିକୁ ଏପରି ଭାବେ ବନ୍ଧା ଯାଏ ଯେମିତି ଟୋପାଏ ଟୋପାଏ ପଣା ତୁଳସୀ ଗଛ ଉପରେ ପଡ଼ିବ ।

କେବଳ ଏତିକି ନୁହେଁ ବିଭିନ୍ନ ଦେବୀ ମନ୍ଦିରଗୁଡ଼ିକରେ ମହାବିଷୁବ ସଂକ୍ରାନ୍ତି ଦିନ ଝାମୁ ଯାତ୍ରା ପାଳନ କରାଯାଏ । ଖୋର୍ଦ୍ଧା ଜିଲ୍ଲା ଚିଲିକା ମଧ୍ୟରେ ଅବସ୍ଥିତ ମାଁ କାଳିଜାଈଙ୍କ ପୀଠରେ ଧୂମଧାମର ସହ ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ପାଳନ କରାଯାଏ । ଏହି ଅବସରରେ ମାଁ କାଳିଜାଈଙ୍କ ପୀଠରେ ଭକ୍ତଙ୍କ ଭିଡ଼ ଜମେ । କୋଭିଡ଼ କଟକଣା ଯୋଗୁଁ ଗତ ଦୁଇ ବର୍ଷ ହେଲା ନିରାଡ଼ମ୍ବରରେ ମାଁଙ୍କ ପୀଠରେ ପଣା ସଂକ୍ରାନ୍ତି ପାଳନ କରାଯାଇଥିଲା । ରାଜ୍ୟରେ କୋଭିଡ କଟକଣା ହଟିବା ପରେ ଚଳିତ ବର୍ଷ ଆଡ଼ମ୍ବର ସହକାରେ ଉତ୍ସବ ଆୟୋଜନ କରାଯିବ ବୋଲି ସୂଚନା ମିଳିଛି ।

ଏହା ସହ କଟକ ଚଣ୍ଡୀ ମନ୍ଦିର, ଯାଜପୁରର ବିରଜା ମନ୍ଦିର, ସମ୍ବଲପୁର ର ସମଲେଶ୍ଵରୀ ମନ୍ଦିର ଏବଂ ଗଞ୍ଜାମର ତାରାତାରିଣୀ ମନ୍ଦିରରେ ମଧ୍ୟ ବଡ଼ ଆକରରେ ଉତ୍ସବ ପାଳନ କରାଯାଉଥିବାରୁ ଭକ୍ତଙ୍କ ଭିଡ଼ ଜମେ ।

ଉତ୍ତର ଓଡ଼ିଶାରେ ମହାବିଷୁବ ସଂକ୍ରାନ୍ତିକୁ ଚଡ଼କ ପର୍ବ ବୋଲି ମଧ୍ୟ କୁହାଯାଏ । ଦକ୍ଷିଣ ଓଡ଼ିଶାରେ ପଣା ସଂକ୍ରାନ୍ତି ଅବସରରେ ଦଣ୍ଡନାଥ ଉତ୍ସବ ଅନୁଷ୍ଠିତ ହୋଇଥାଏ । ମହାବିଷୁବ ସଂକ୍ରାନ୍ତିକୁ ବର୍ଷର ପ୍ରାରମ୍ଭ ବୋଲି ଗ୍ରହଣ କରାଯାଏ । ଓଡ଼ିଆ ଲୋକମାନେ ଏହି ଦିନ ଦେବଦେବୀଙ୍କ ଠାରେ ସ୍ଵତନ୍ତ୍ର ପୂଜାବିଧି, ଭୋଗ ଏବଂ ହୋମ ଯଜ୍ଞ ଆଦି କରିଥାନ୍ତି ।

ମହାବିଷୁବ ସଂକ୍ରାନ୍ତିରେ ମହାବୀର ହନୁମାନଙ୍କ ଜନ୍ମ ହୋଇଥିଲା । ବିଭିନ୍ନ ରାମ ମନ୍ଦିର ଏବଂ ହନୁମାନ ମନ୍ଦିର ଗୁଡ଼ିକରେ ମଧ୍ୟ ଏହି ଅବସରରେ ଆଡ଼ମ୍ବର ସହକାରେ ହନୁମାନ ଜୟନ୍ତୀ ପାଳନ କରାଯାଏ ।

ବେଲ, ଆମ୍ବ, ଗୁଡ଼, ନଡ଼ିଆ ତଥା ବିଭିନ୍ନ ଫଳ ଆଦି ପକାଇ ପଣା ପ୍ରସ୍ତୁତ କରାଯାଏ । ଠାକୁରଙ୍କଠାରେ ପଣା ଭୋଗ କରାଯିବା ସହ ପରିବାର ସଦସ୍ୟ, ବନ୍ଧୁବାନ୍ଧବ ଏବଂ ପଡୋଶୀଙ୍କୁ ପଣା ବଣ୍ଟନ କରାଯାଏ । ପଣା ସଂକ୍ରାନ୍ତିଠାରୁ ବୃକ୍ଷ ଜଗତ ଏବଂ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ଏହି ସଂକ୍ରାନ୍ତିକୁ ଜଳ ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଇଥାଏ ।