ମେ ୪ ତାରିଖରେ ଲଞ୍ଚ ହୋଇପାରେ ଏଲଆଇସି ଆଇପିଓ

0
158
ମେ ୪

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୬/୦୪) : ମେ ମାସ ୪ ତାରିଖରେ ଲଞ୍ଚ ହୋଇପାରେ ଏଆଇସି ର ବହୁପ୍ରତୀକ୍ଷିତ ଆଇପିଓ ବା ପ୍ରାରମ୍ଭିକ ସର୍ବସାଧାରଣ ଅଫର । ମେ ୯ ତାରିଖ ଆବେଦନର ଶେଷ ଦିନ ରହିଛି । ଯଦିଓ ଏ ନେଇ ବିଧିବଦ୍ଧ ଭାବେ ଏଲଆଇସି କିଛି ଘୋଷଣା କରିନାହିଁ, ତେବେ ଆଜି ଏଲଆଇସି ବୋର୍ଡ ବୈଠକରେ ଏହି ତାରିଖ ଉପରେ ମୋହର ବାଜିବା ସମ୍ଭାବନା ରହିଛି ।

ମେ ୪ ତାରିଖରେ ଏଲଆଇସି ପ୍ରାୟ ୨୧ ହଜାର କୋଟି ଟଙ୍କାର ଆଇପିଓ ଅର୍ଥାତ ୨୨ ଦଶମିକ ୧୪ କୋଟି ସେୟାର ବଜାରକୁ ଛାଡିବ । ପ୍ରତ୍ୟେକ ସେୟାରର ମୂଲ୍ୟ ୯୫୦ ରୁ ହଜାରେ ଟଙ୍କା ମଧ୍ୟରେ ରହିପାରେ ବୋଲି ସୂଚନା ମିଳିଛି । ୩ ଦଶମିକ ୫ ପ୍ରତିଶତ ଅଂଶଧନ ବିକ୍ରି କରିବାକୁ ସ୍ଥିର କରିଛି ଏଲଆଇସି ।

ପୂର୍ବରୁ ଏଲଆଇସିର ଅଂଶଧନ ୫ ପ୍ରତିଶତ ବିକ୍ରି ହେବ ବୋଲି ଘୋଷଣା କରାଯାଇଥିଲେ ବି ପରେ ଏହାକୁ କମାଇ ଦିଆଯାଇଛି । ପୂର୍ବରୁ ମାର୍ଚ୍ଚରେ ଏଲଆଇସି ର ଆଇପିଓ ଲଞ୍ଚ ହେବ ବୋଲି ସରକାର ଘୋଷଣା କରିଥିଲେ । କିନ୍ତୁ ରୁଷ୍-ୟୁକ୍ରେନ ଯୁଦ୍ଧ ଓ ଆର୍ଥିକ ସ୍ଥିତି କାରଣରୁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା ।

ଗତ ମାସରେ ଆଇପିଓ ପାଇଁ ନୂଆ ଡ୍ରାଫ୍ଟ କାଗଜପତ୍ର ଦାଖଲ କରାଯାଇଥିଲା । ଆଉ ଏହି ଅଫର ଆରମ୍ଭ କରିବା ପାଇଁ କେନ୍ଦ୍ର ପାଖରେ ମେ ୧୨ ତାରିଖ ସମୟ ଅଛି । ଏହା ପରେ ସରକାରଙ୍କୁ ସେବି ନିକଟରେ ତାଜା କାଗଜପତ୍ର ଦାଖଲ କରିବାକୁ ପଡିବ । ଏଲଆଇସିର ଆଇପିଓ କିଣିବାକୁ ନିବେଶକଙ୍କ ମଧ୍ୟରେ ଉତ୍ସାହ ବଢିଛି ।