ମେ’ ୧୦ ରେ ବାତ୍ୟା ! ଓଡିଶା ଉପକୂଳରେ କରିପାରେ ଲ୍ୟାଣ୍ଡଫଲ୍

0
145
ମେ' ୧୦

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୩୦/୦୪) : ଦାନା ବାନ୍ଧୁଛି ବାତ୍ୟା । ସ୍ଥିତି ବି ଅନୁକୂଳ । ଯଦି ପ୍ରାକ୍‌ ଆକଳନ ଠିକ୍‌ ହୁଏ, ତେବେ ଆସନ୍ତା ମେ’ ୧୦ ତାରିଖ ବେଳକୁ ଆସିପାରେ ଆଉ ଏକ ଗ୍ରୀଷ୍ମକାଳୀନ ବାତ୍ୟା ।

ଏହି ଖରା ଦିନିଆ ସମ୍ଭାବ୍ୟ ବାତ୍ୟା ଆଶଙ୍କା ଚିନ୍ତା ବଢ଼ାଇଛି ପ୍ରାକୃତିକ ଦୁର୍ବିପାକ ର ସହଜ ଠିକଣା ଓଡ଼ିଶା ପାଇଁ । ସମ୍ଭାବ୍ୟ ବାତ୍ୟାକୁ ନେଇ ଭିନ୍ନଭିନ୍ନ ଆକଳନ କରିଛନ୍ତି ବିଭିନ୍ନ ପାଣିପାଗ ସଂସ୍ଥା ମଡେଲ । ମେ’ ୧୦ ତାରିଖ ବେଳକୁ ଆସିପାରେ ବାତ୍ୟା । ଅଧିକାଂଶ ମଡେଲ ଅନୁସାରେ ସମ୍ଭାବ୍ୟ ବାତ୍ୟା ଭୀଷଣ (ସିଭିୟର) ରୂପ ନେଇପାରେ । ଏହା ଆସନ୍ତା ୧୦/୧୧ ତାରିଖ ବେଳକୁ ଉତ୍ତର ଆନ୍ଧ୍ର ଉପକୂଳ ଛୁଇଁବା ସମ୍ଭାବନା ଅଧିକ । କିମ୍ବା ଦକ୍ଷିଣ ଓଡ଼ିଶା ଉପକୂଳରେ ମାଡ଼ ହୋଇପାରେ ।

କେତେକ ମଡେଲ ଅନୁସାରେ ଏହା ଓଡ଼ିଶା କିମ୍ବା ପଶ୍ଚିମବଙ୍ଗ ର ସୁନ୍ଦରବନ ଛୁଇଁପାରେ । ଏପରିକି ଏହା ଦିଗ ବଦଳାଇ ବାଂଲାଦେଶ ଆଡ଼କୁ ବି ଯାଇପାରେ । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି, ଆସନ୍ତା ୪ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି । ୫ ତାରିଖରେ ଏହା ଲଘୁଚାପରେ ପରିଣତ ହେବ । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇପାରେ । ଆଇଏମଡିର ବିସ୍ତାରିତ ପୂର୍ବାନୁମାନ ଅନୁଯାୟୀ ସମ୍ଭାବ୍ୟ ଲଘୁଚାପ ଅବପାତ (ଡିପ୍ରେସନ୍‌) ରୂପ ନେବ ।

ଲଘୁଚାପ ଓ ବାତ୍ୟା ସୃଷ୍ଟି ନେଇ ବିଭିନ୍ନ ମଡେଲ ଗତ ୩ ଦିନ ହେବ ଭିନ୍ନ ଭିନ୍ନ ଆକଳନ କରିଛନ୍ତି । ମାତ୍ର ଆଜି ଅପରାହ୍ନରେ ଜିଏଫଏସ୍‌ ଓ ଇସିଏମଡବ୍ଲ୍ୟଏଫ୍‌ ମଡେଲ୍‌ ଆକଳନରେ ଅନେକ ସମାନତା ଦେଖିବାକୁ ମିଳିଛି । ମେ’ ୪ ରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୫ ରେ ଦକ୍ଷିଣ-ପୂର୍ବ ବଙ୍ଗେପେସାଗରରେ ଆଣ୍ଡାମାନର ଦକ୍ଷିଣରେ ଲଘୁଚାପ ସୃଷ୍ଟି ହେବ । ଉଭୟ ସମୁଦ୍ର ଓ ବାୟୁମଣ୍ଡଳର ପରିସ୍ଥିତି ଏହାକୁ ଶୀଘ୍ର ଘନୀଭୂତ କରିବା ପାଇଁ ସହାୟକ ହେବ ।

ଫଳତଃ ମେ’ ୬ ରେ ଅବପାତ, ୭ରେ ବାତ୍ୟା ଓ ୮ରେ ଭୀଷଣ ବାତ୍ୟା (ସିଭିୟର ସାଇକ୍ଲୋନ) ରୂପ ନେଇପାରେ । ବର୍ତ୍ତମାନ ମଡେଲ କହୁଛି, ମେ’ ୬ ରେ ଗତିପଥ ଉତ୍ତର-ପଶ୍ଚିମ ବା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆନ୍ଧ୍ରପ୍ରଦେଶ ର ଦକ୍ଷିଣ ଉପକୂଳ ଆଡ଼କୁ ମୁହାଁଇବ । ଯଦି ଏହା ହୁଏ, ତେବେ ୮ ତାରିଖରୁ ଉପକୂଳ ଓଡ଼ିଶାରେ ପାଗରେ ପରିବର୍ତ୍ତନ ସହିତ କିଛି ବର୍ଷା ଆରମ୍ଭ ହୋଇପାରେ ।

୧୦ ତାରିଖରେ ଆନ୍ଧ୍ର ଉପକୂଳ ଛୁଇଁବା ସମ୍ଭାବନା ବର୍ତ୍ତମାନ ଅଧିକ ପରିଲକ୍ଷିତ ହେଉଛି । ତେବେ ଓଡ଼ିଶା ଉପକୂଳ ଛୁଇଁବା ସମ୍ଭାବନାକୁ ସମ୍ପୂର୍ଣ୍ଣ ଏଡ଼ାଇ ଦିଆଯାଇ ନପାରେ । ଅନ୍ୟପକ୍ଷରେ ଅଷ୍ଟ୍ରେଲିଆର ଏକ ମଡେଲ୍‌ କହୁଛି, ଏହା ୮ ତାରିଖରେ ବୁଲି ଯାଇ ଦିଗ ବଦଳାଇବା ସମ୍ଭାବନା ଅଛି । ଏମିତି ହେଲେ ସମ୍ଭାବ୍ୟ ବାତ୍ୟା ବାଂଲାଦେଶ ଉପକୂଳ ଆଡ଼କୁ ମୁହାଁଇପାରେ । ଲଘୁଚାପ ସୃଷ୍ଟି ହେବା ପରେ ଠିକ୍‌ ଚିତ୍ର ମିଳିପାରିବ ବୋଲି ଡକ୍ଟର ପଶୁପାଳକ କହିଛନ୍ତି ।

ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ପ୍ରାକ୍‌ ଆକଳନ ହେଲା, ବର୍ତ୍ତମାନ ପାଣିପାଗ ବାତ୍ୟା ସୃଷ୍ଟି ପାଇଁ ଅନୁକୂଳ ସ୍ଥିତି ସୃଷ୍ଟି କରିଛି । ସମୁଦ୍ର ପୃଷ୍ଠ ତାପମାତ୍ରା ୩୧-୩୨ ଡିଗ୍ରୀ ରହୁଛି । ସମୁଦ୍ର ଜଳପତ୍ତନର ତାପମାତ୍ରା ୨୬ ଡିଗ୍ରୀରୁ ଅଧିକ ହେଲେ ବାତ୍ୟା ସୃଷ୍ଟି ହେବାକୁ ପାଗ ଅନୁକୂଳ ହୋଇଥାଏ । ସେହିପରି ସମୁଦ୍ର ଭିତରେ ତାପଜ ଶକ୍ତି ବି ଅନୁକୂଳ ସ୍ଥିତି ସୃଷ୍ଟି କରୁଛି । ତେଣୁ ବାତ୍ୟା ହେବା ସମ୍ଭାବନା ରହିଛି ।

ପ୍ରାକ ଆକଳନ ଅନୁସାରେ ଆସନ୍ତା ୧୦ ତାରିଖରେ ବାତ୍ୟା ଆନ୍ଧ୍ର-ଓଡ଼ିଶା ଉପକୂଳ କିମ୍ବା ପଶ୍ଚିମବଙ୍ଗ ର ସୁନ୍ଦରବନ ଛୁଇଁପାରେ । ବାତ୍ୟା ଅତି ବେଶିରେ ସିଭିୟର ସାଇକ୍ଲୋନ (ଭୀଷଣ ବାତ୍ୟା) ରୂପ ନେଇପାରେ । ଏହା ପ୍ରଭାବରେ ୧୦୦ କିମି ପର୍ଯ୍ୟନ୍ତ ପବନ ଆଶଙ୍କା ରହିଛି । ଓଡ଼ିଶାରେ ୮ ରୁ ପାଗ ବଦଳିବା ସହ ୯ ରୁ ବର୍ଷା ହୋଇପାରେ । ତେବେ ସମ୍ଭାବ୍ୟ ବାତ୍ୟା ର ଗତିପଥ ନେଇ ଏବେ ସ୍ପଷ୍ଟ ଆକଳନ କରିବା ସହଜ ନୁହେଁ ।

ବିଦେଶୀ ପାଣିପାଗ ସଂସ୍ଥା ୟୁରୋପିଆନ ସେଣ୍ଟର ଫର୍‌ ମିଡିୟମ ରେଞ୍ଜ ୱେଦର ଫୋରକାଷ୍ଟ (ଇସିଏମଡବ୍ଲ୍ୟୁଏଫ୍‌) ପୂର୍ବାନୁମାନରେ ଯେଉଁ ସମ୍ଭାବ୍ୟ ଚିତ୍ର ଦେଖାଇଛି, ତାହା ଓଡ଼ିଶା ପାଇଁ ଆଶଙ୍କା ବଢ଼ାଇଛି । ଏହି ପୂର୍ବାନୁମାନ ଚିତ୍ର ଅନୁସାରେ ସମ୍ଭାବ୍ୟ ବାତ୍ୟା ଓଡ଼ିଶାରେ ମାଡ଼ ହେବା ସମ୍ଭାବନା ଅଧିକ । ସୂଚନାଯୋଗ୍ୟ, ୨୦୧୯ ରେ ଓଡ଼ିଶାବାସୀ ପ୍ରଥମ ଥର ପାଇଁ ଗ୍ରୀଷ୍ମକାଳୀନ ବାତ୍ୟ ସାମ୍ନା କରିଥିଲେ ।

୨୦୧୯ ମେ’ ୩ ରେ ଓଡ଼ିଶା ଉପକୂଳକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଥିଲା ପ୍ରଳୟଙ୍କାରୀ ଫୋନି । ୨୦୨୦ ମେ’ ରେ ଅମ୍ପାନ, ୨୦୨୧ ରେ ୟାସ୍‌ ବାତ୍ୟା ଆସିଥିଲା । ୨୦୨୨ ରେ ପୁଣି ଗ୍ରୀଷ୍ମକାଳୀନ ବାତ୍ୟା ଆଶଙ୍କା ଦେଖାଦେଲାଣି ।