ଜୁନରେ ଆସୁଛି ବିଗ୍ ବଜେଟର ଦୁଇଟି ନୂଆ ଓଡିଆ ଚ୍ୟାନେଲ : ‘ଷ୍ଟାର କିରଣ’ ଓ ‘ଷ୍ଟାର କିରଣ ଏଚଡି’

0
150
ଜୁନରେ ଆସୁଛି

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୧/୦୫) : ଓଡିଶା ମନୋରଂଜନ ଜଗତରେ ଧୂମ ମଚାଇ ଆସୁଛି ଡିସ୍ନି ଷ୍ଟାର ନେଟୱାର୍କ ର ନୂଆ ଓଡିଆ ଚ୍ୟାନେଲ ‘ଷ୍ଟାର କିରଣ’ । ଜୁନରେ ଆସୁଛି ଏହି ବିଗ ବଜେଟ ଚ୍ୟାନେଲ । ଜୁନ୍ ପ୍ରଥମ ସପ୍ତାହରେ ଏହାର ପ୍ରସାରଣ ଆରମ୍ଭ କରିବ ବୋଲି ଜଣାପଡିଛି । ଏଥିସହିତ ‘ଷ୍ଟାର କିରଣ ଏଚଡି’ ଚ୍ୟାନେଲ ମଧ୍ୟ ଏକା ସମୟରେ ପ୍ରସାରଣ ହେବ ।

ଜୁନରେ ଆସୁଛି ବିଗ୍ ବଜେଟର ଦୁଇଟି ନୂଆ ଓଡିଆ ଚ୍ୟାନେଲ । ସେଥିପାଇଁ ଭୁବନେଶ୍ୱରରେ ଥିବା ‘ଷ୍ଟାର କିରଣ‘ ଟିମ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଓଡିଆ ଦର୍ଶକମାନଙ୍କୁ ନୂତନ ଧରଣ ର ମନୋରଂଜନ ପ୍ରଦାନ କରିବା ପାଇଁ କଂପାନୀ ତରଫରୁ ଉଦ୍ୟମ ଜାରୀ ରହିଛି । ସେଥିପାଇଁ ପ୍ରାୟ ଚାରି ମାସ ଧରି ଓଡିଶା ର ବିଭିନ୍ନ ସ୍ଥାନରେ ହାଇ ବଜେଟ ସୁଟିଂ ଚାଲିଛି ।

ପ୍ରଥମ ଥର ପାଇଁ ଓଡିଶା ର ଦର୍ଶକମାନେ ଏକ ଏଚଡି ଚ୍ୟାନେଲ ଦେଖିବାର ସୁଯୋଗ ପାଇବେ । ପୂର୍ବରୁ ଜାତୀୟ ସ୍ତରରେ ବିଭିନ୍ନ ମନୋରଂଜନ ଚ୍ୟାନେଲ ଏଚଡି ଫର୍ମାଟରେ ପ୍ରସାରଣ କରୁଛନ୍ତି । ଏପରିକି ଆଞ୍ଚଳିକ ସ୍ତରରେ ମଧ୍ୟ କେତେକ ଚ୍ୟାନେଲ ମଧ୍ୟ ଏଚଡି ଫର୍ମାଟରେ ପ୍ରସାରଣ କରୁଛନ୍ତି । ହେଲେ ଓଡିଶା ଦର୍ଶକ ଏହି ଏଚଡି କ୍ୱାଲିଟି ଚ୍ୟାନେଲ ଦେଖିବାର ସୁଯୋଗ ନ ଥିଲା । ବର୍ତ୍ତମାନ ‘ଷ୍ଟାର କିରଣ ଏଚଡି’ ସେହି ଅଭାବକୁ ପୂରଣ କରିବାକୁ ଯାଉଛି ।

ଷ୍ଟାର କିରଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରୁଥିବା ପ୍ରଯୋଜକମାନେ ଏହାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି । ସେମାନଙ୍କର କହିବା କଥା ଯେ, ଷ୍ଟାର ଟିଭି ବର୍ତ୍ତମାନ ଯେଉଁ ପ୍ରକାର ର କାର୍ଯ୍ୟକ୍ରମ ଆଣୁଛି ତାହା ଓଡିଆ ମନୋରଂଜନ ଜଗତରେ କେବେ ବି ହୋଇ ନ ଥିଲା । ଏଥିସହିତ କଂପାନୀ ଗୋଟିଏ ଗୋଟିଏ ଧାରାବାହିକ ପଛରେ ଯେତେ ପଇସା ଖର୍ଚ୍ଚ କରୁଛି ତାହା ଓଡିଶାରେ କେହି କରି ନାହାଁନ୍ତି । ଏପରି ହାଇ ବଜେଟ କାର୍ଯ୍ୟକ୍ରମ ଓଡିଶା ଦର୍ଶକଙ୍କ ମହଲରେ ହଇଚଇ ସୃଷ୍ଟି ହେବ ବୋଲି ସେମାନେ କହିଛନ୍ତି ।

ଓଡିଶା ର ମନୋରଂଜନ ଶିଳ୍ପରେ ବର୍ତ୍ତମାନ ପାଞ୍ଚୋଟି ଚ୍ୟାନେଲ ମଧ୍ୟରେ ପ୍ରତିଯୋଗୀତା ଚାଲିଛି । ସେଗୁଡିକ ହେଉଛି ତରଙ୍ଗ, ଜୀ ସାର୍ଥକ, କଲରସ ଓଡିଆ, ସିଦ୍ଧାର୍ଥ ଟିଭି ଏବଂ ମଞ୍ଜରୀ ଟିଭି । ଏଗୁଡିକ ମଧ୍ୟରୁ ତରଙ୍ଗ ଏବଂ ଜୀ ସାର୍ଥକ ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇପାରିଥିବା ବେଳେ ଅନ୍ୟ ଚ୍ୟାନେଲଗୁଡିକ ସଂଘର୍ଷ ଚଳାଇଛନ୍ତି । ଏହି ପ୍ରତିଯୋଗୀତାରେ ଷ୍ଟାର ପରି ଜାତୀୟ ସ୍ତରର ଚ୍ୟାନେଲ ସାମିଲ ହେବ ।

ଦେଶରେ ଡିସ୍ନି ଷ୍ଟାର ନେଟୱାର୍କ ର ବର୍ତ୍ତମାନ ଛଅଟି ଆଞ୍ଚଳିକ ଭାଷାର ଚ୍ୟାନେଲ ରହିଛି । ସେଗୁଡିକ ହେଲା ମାଲାୟାଲମ୍, କନ୍ନଡ, ତେଲୁଗୁ, ତାମିଲ, ବଙ୍ଗଳା ଏବଂ ମରାଠୀ । ଏହା ଯଥାକ୍ରମେ ଏସିଆନେଟ୍, ଷ୍ଟାର୍ ସୁବର୍ଣ୍ଣା, ଷ୍ଟାର୍ ମା, ଷ୍ଟାର୍ ବିଜୟ, ଷ୍ଟାର୍ ଜଲସା ଏବଂ ଷ୍ଟାର୍ ପ୍ରଭା ବ୍ରାଣ୍ଡରେ ଚାଲିଛି । ଷ୍ଟାର କିରଣ, ଏହି ନେଟୱାର୍କ ର ସପ୍ତମ ଆଞ୍ଚଳିକ ଭାଷା ର ଚ୍ୟାନେଲ ହେବ ।