ଭାରତର ଅବସ୍ଥା ଭୟଙ୍କର : ମହଙ୍ଗା ମାଡ଼ ସାଙ୍ଗକୁ ଅଭିବୃଦ୍ଧି କମୁଛି, ବେକାରି ସଂଖ୍ୟା ବଢ଼ିବାରେ ଲାଗିଛି

0
127
ଭାରତର ଅବସ୍ଥା ଭୟଙ୍କର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୩/୦୫) : ଗତ ଦୁଇବର୍ଷ ଧରି କରୋନା ମହାମାରୀ ଯୋଗୁଁ ସାରା ଦୁନିଆ ର ସାମାଜିକ ଓ ଅର୍ଥନୈତିକ ସ୍ଥିତିକୁ ଦୋହଲାଇ ଦେଇଛି । କୋଭିଡ୍ ସଂକ୍ରମଣ ଧୀରେଧୀରେ ହ୍ରାସ ଘଟିବା ପରେ ଜନସାଧାରଣଙ୍କର ଜୀବନ ଧାରଣର ମାନ ସୁଧୁରିବାରେ ଲାଗିଛି । ତେବେ ଭାରତର ଅବସ୍ଥା ବର୍ତ୍ତମାନ ସଙ୍କଟଜନକ ଅବସ୍ଥାରେ ରହିଥିବା ଏକ ରିପୋର୍ଟରୁ ଜଣା ପଡ଼ିଛି ।

ଦେଶରେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ସିଲିଣ୍ଡର, ଖାଇବା ତେଲର ଦର ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ଅଭିବୃଦ୍ଧି ହାର କମିବାରେ ଲାଗିଛି । ଏହାଫଳରେ ଦେଶରେ ଦିନକୁ ଦିନ ବେକାରୀ ସଂଖ୍ୟା ବଢ଼ିବାରେ ଲାଗିଛି । ଭାରତର ଅବସ୍ଥା ସଙ୍କଟଜନକ ଅବସ୍ଥାରେ ରହିଛି ।

ସଦ୍ୟ ପ୍ରାପ୍ତ ରିପୋର୍ଟ ମୁତାବକ, ଦେଶରେ ଗତ ଏପ୍ରିଲ ମାସରେ ବେରୋଜଗାରୀ ହାର ବୃଦ୍ଧି ପାଇ ୭.୮୩ ପ୍ରତିଶତରେ ପହଞ୍ଚି ଯାଇଛି । ଗତ ମାର୍ଚ୍ଚରେ ଏହି ହାର ୭.୬୦ ପ୍ରତିଶତ ରହିଥିଲା । ସହରାଞ୍ଚଳରେ ଏପ୍ରିଲ ମାସରେ ବେକାରୀ ହାର ୯.୨୨ ପ୍ରତିଶତ ରହିଥିବା ବେଳେ ମାର୍ଚ୍ଚ ମାସରେ ୮.୨୮ ପ୍ରତିଶତ ରହିଥିଲା । ଅନ୍ୟପକ୍ଷରେ ଗ୍ରାମାଞ୍ଚଳରେ ବେକାରୀ ହାର ଏପ୍ରିଲରେ ୭.୧୮ ପ୍ରତିଶତ ରହିଥିବା ବେଳେ ମାର୍ଚ୍ଚରେ ୭.୨୯ ପ୍ରତିଶତ ରହିଥିଲା । ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ଦୃଷ୍ଟିପାତ କରି ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମଆଇଇ) ପକ୍ଷରୁ ପ୍ରଦତ୍ତ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି ।

ସିଏମଆଇ ମୁତାବକ, ହରିୟାଣାରେ ସବୁଠାରୁ ଅଧିକ ବେକାରୀ ହାର ୩୪.୫ ପ୍ରତିଶତ ରହିଛି । ଏହାପରେ ରାଜସ୍ଥାନରେ ୨୮.୮ ପ୍ରତିଶତ, ବିହାରରେ ୨୧.୧ ପ୍ରତିଶତ, ଜମ୍ମୁ କଶ୍ମୀରରେ ୧୫.୬ ପ୍ରତିଶତ ରହିଛି । ତେବେ ଏପ୍ରିଲ ମାସରେ ରୋଜଗାର ହାର ୩୭.୦୫ ପ୍ରତିଶତରେ ପହଞ୍ଚି ଯାଇଛି, ଯାହାକି ମାର୍ଚ୍ଚରେ ୩୬.୪୬ ପ୍ରତିଶତ ରହିଥିଲା ବୋଲି ସିଏମଆଇ ର ପ୍ରବନ୍ଧ ନିର୍ଦ୍ଦେଶକ କହିଛନ୍ତି ।