କାଗଜ କଲମରେ ଜମିକୁ ଜଳସେଚନ କରି DMF ଟଙ୍କା ଚଳୁ

0
101
କାଗଜ କଲମରେ

ରିପୋର୍ଟ : ରାମନାଥ ଗନ୍ତାୟତ
ଭୁବନେଶ୍ୱର, (୨୭/୦୫) : ମହାନଦୀ କୂଳରେ ମହୁଲପାଲି ପ୍ରକଳ୍ପ ପାଇଁ DMF ରୁ ଖର୍ଚ୍ଚ ହୋଇଛି ୨୫ କୋଟି ୩୪ ଲକ୍ଷ ୩୮ ହଜାର ଟଙ୍କା । କାଗଜ କଲମରେ ଜମିକୁ ଜଳସେଚନ କରି DMF ଟଙ୍କା ଚଳୁ ଅଭିଯୋଗ ।

ଏହି ପ୍ରକଳ୍ପ ଦ୍ଵାରା ୨୦୧୯ ଖରିଫରେ ୧୨୦୦ ହେକ୍ଟର ଜମି ଜଳସେଚିତ ହୋଇଛି ବୋଲି ସରକାର ବିଧାନସଭାରେ କହିଛନ୍ତି । ଏଠି ଲାଗିଥିବା ଫଳକରେ ବି ସେଇ ଏକା ତଥ୍ୟ । କାଗଜ କଲମରେ ଜମିକୁ ଜଳସେଚନ କରି DMF ଟଙ୍କା ଚଳୁ କରା ଯାଇଛି । ଫରକ୍ ଏତିକି ଯେ ବିଧାନସଭାରେ ଜଳସମ୍ପଦ ମନ୍ତ୍ରୀ କହିଛନ୍ତି ଏଥିପାଇଁ ଖର୍ଚ୍ଚ ହୋଇଛି ୨୯ କୋଟି ୩୦ ଲକ୍ଷ । କିନ୍ତୁ ଫଳକରେ ଲେଖା ଅଛି ପ୍ରକଳ୍ପ ସରିବା ସୁଦ୍ଧା ଖର୍ଚ୍ଚ ହୋଇଛି ୨୫ କୋଟି ୩୪ ଲକ୍ଷ ।

ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା ୨୦୧୬ ଡିସେମ୍ବର ୨୨ ରେ । ସରିଲା ୨୦୧୯ ଜୁନ ୨୫ ରେ । ୨୦୧୯ ରେ ମୁଖ୍ୟମନ୍ତ୍ରୀ ଏହାକୁ ଲୋକାର୍ପଣ କରିଥିଲେ । ବଡ ପ୍ରଶ୍ନ, କାମ ସରିବା ପରେ ବି ପୁଣି କେମିତି ୪ କୋଟି ଅଧିକ ଖର୍ଚ୍ଚ ହେଲା ? ଏବେ ଦେଖନ୍ତୁ ଜଳସେଚନ ର ବାସ୍ତବତାକୁ । ସରକାର କହୁଛନ୍ତି ଏଇଠୁ ମହାନଦୀ ର ପାଣି ଉଠି ୧୨୦୦ ହେକ୍ଟର ଚାଷଜମି ଜଳସେଚିତ ହେଉଛି । ହେଲେ ଚାଷୀ ଓ ସ୍ଥାନୀୟ ଲୋକେ କଣ କହୁଛନ୍ତି ଶୁଣନ୍ତୁ ।

ମହୁଲପାଲି ପାଖରେ ମହାନଦୀରେ ପାଣି ଶୁଖି ଆସିଲାଣି । ସରକାର କହୁଛନ୍ତି ଏହି ପାଣି ଚାଷୀଙ୍କ କ୍ଷେତକୁ ଯାଉଛି । ହେଲେ ଆମ କ୍ୟାମେରା ଧରିଥିଲା ସରକାରଙ୍କ ମିଛକୁ । କେଉଁଠୁ ପାଣି ଚାଷୀଙ୍କ ଜମିକୁ ଯାଉଛି ଖୋଜି ଥିଲା ଆମ କ୍ୟାମେରା ଟିମ୍ । ଦେଖିଲୁ ନଦୀ ଭିତରେ ଥିବା ଇନ୍ ଟେକ୍ ୱେଲ ଶୁଖିଲା ।

ଏଠି ପ୍ରଶ୍ନ ଉଠୁଛି, DMF ରୁ ଯେଉଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି କାହା ସ୍ୱାର୍ଥରେ ? କାଗଜ କଲମରେ ଜମିକୁ ପାଣି ଦେଇ ଟଙ୍କା ଚଳୁ କରି ନାହାଁନ୍ତି ତ ସରକାରୀ ବାବୁ ଓ ନେତା ? ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା ଅଧିନରେ ଖଣି ଅଞ୍ଚଳର ଲୋକଙ୍କ ବିକାଶ ପାଇଁ ଉଦ୍ଦିଷ୍ଟ DMF ର ବାଟମାରଣାକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରାଜ୍ୟ ସରକାରଙ୍କୁ ନିଶାନା କରିଥିବା ବେଳେ ଏହାର ସମୀକ୍ଷା କରି ରିପୋର୍ଟ ମାଗିବେ ବୋଲି କହିଛନ୍ତି କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ।

୨୦୨୧ ଅଗଷ୍ଟ ୨୮ରେ ଝାରସୁଗୁଡା ଜିଲ୍ଲାପାଳ ଏଠାକୁ ଆସି ସ୍ଥିତି ଅନୁଧ୍ୟାନ କଲା ବେଳେ ଏମିତି ଢଙ୍ଗରେ କ୍ଷୋଭ ପ୍ରକାଶ କରିଥିଲେ ସ୍ଥାନୀୟ ଚାଷୀ । ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପରେ ସରକାର ପୂରା ରାଜ୍ୟରେ ୨ ଲକ୍ଷ ୪୧ ହଜାର ହେକ୍ଟର ଜମି ଜଳସେଚନ କରିଛନ୍ତି ବୋଲି କହୁଛନ୍ତି । ହେଲେ ଭାତହାଣ୍ଡିରୁ ଗୋଟିଏ ଚିପିବା ପରି ମହାନଦୀରେ ମହୁଲପାଲି ର ସତ ସରକାରଙ୍କ ଜଳସେଚନ ପ୍ରତାରଣା ର ପୋଲ ଖୋଲିଛି ।