ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ନିଶ୍ଚିତ କରିବା ପାଇଁ ରାୟଗଡା ଜିଲ୍ଲାପାଳଙ୍କ ଆହ୍ୱାନ

0
223
ଶିଶୁ ସୁରକ୍ଷା ବ୍ୟବସ୍ଥାକୁ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧/୬) : ଜିଲ୍ଲା ପ୍ରଶାସନ ରାୟଗଡା ତରଫରୁ ଜିଲ୍ଲାକୁ ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ନିଶ୍ଚିତ କରିବା ଓ ଏକ ଶିଶୁ ମିତ୍ର ଜିଲ୍ଲା ଭାବେ ଗଢି ତୋଳିବା ସହିତ ଜିଲ୍ଲାକୁ ଏକ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଭାବେ ଗଢି ତୋଳିବା ନିମନ୍ତେ ପ୍ରଚେଷ୍ଟା ଅଭିଯାନ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ଏହି ଅବସରରେ ଜିଲ୍ଲା ପ୍ରଶାସନ, ଆକ୍ସନଏଡ ଓ ୟୁନିସେଫ ଓଡିଶା ର ମିଳିତ ଉଦ୍ଦ୍ୟମରେ ଆଜି ରାୟଗଡା ସ୍ଥିତ ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷ ଠାରେ ରାୟଗଡ ଜିଲ୍ଲା ର ସମସ୍ତ ବ୍ଲକ ର ବିଭିନ୍ନ ଜାତି ସମାଜ ଓ ପାରମ୍ପରିକ ମୁଖିଆମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ନିଶ୍ଚିତ କରିବା ଏବଂ ବାଲ୍ୟ ବିବାହ ରୋକିବା ନିମନ୍ତେ ବିଭିନ୍ନ ଜାତି ସମାଜ ଓ ପାରମ୍ପରିକ ମୁଖିଆମାନଙ୍କର ସହଯୋଗ ଲୋଡିଥିଲେ ।

ବାଲ୍ୟ ବିବାହ ଯୋଗୁଁ ଶିଶୁ ମୃତ୍ୟୁହାର ଓ ମାତୃ ମୃତ୍ୟୁହାର ବଢୁଛି କମ ବୟସରେ ଅନେକ ଶିଶୁ ଓ କିଶୋର କିଶୋରୀ ନିଜର ଭବିଷ୍ୟତ ବିଷୟରେ ଅଧିକ କିଛି ଭାବି ପାରନ୍ତି ନାହିଁ । ଯେଉଁ କିଶୋର ଓ କିଶୋରୀ ଜଣକ ଅଧିକ ପାଠ ପଢି ନିଜର ଜ୍ଞାନ ବଢାଇବା ସହିତ ନିଜର ସମାଜର କିଛି ଉନ୍ନତି କରିପାରିଥାନ୍ତେ ସେମାନେ ବାଲ୍ୟ ବିବାହ ଯୋଗୁଁ ଆଉ ଅଧିକ କିଛି ଚିନ୍ତା କରି ପାରନ୍ତି ନାହିଁ ।

ବିବାହ ଆୟୋଜନ କରିବା ସମୟରେ ପ୍ରତ୍ୟେକ ପରିବାର ଉଭୟ ପୁଅ ଓ ଝିଅ ମାନଙ୍କର ବୟସ ଯାଞ୍ଚ କରିନେବା ଆବଶ୍ୟକ । ପ୍ରକୃତ ବୟସ ଯାଞ୍ଚ କରିବା ପାଇଁ ଜନ୍ମ ପ୍ରମାଣପତ୍ର କିମ୍ବା ବିଦ୍ୟାଳୟ ର ସାର୍ଟିଫିକେଟ ହିଁ ଉପଯୁକ୍ତ ମାଧ୍ୟମ । ଅନେକ ସମୟରେ କମ ବୟସରେ ବାହାଘର ଆୟୋଜନ କରିବା ସମୟରେ ଶିଶୁଟିର ସ୍ୱାସ୍ଥ୍ୟ ପ୍ରତି ବିପଦ ରହୁଛି ।

୧୮ ବର୍ଷ ପୂର୍ବରୁ ଯୌନ ସମ୍ପର୍କକୁ ଯୌନ ଶୋଷଣ ବୋଲି କୁହାଯାଏ ତେଣୁ ସମସ୍ତେ ଏହି ବିଷୟରେ ସଚେତନ ହେବା ସହ ସମସ୍ତ ବ୍ୟକ୍ତି ବିଶେଷ ଓ କିଶୋର କିଶୋରୀ ମାନଙ୍କୁ ଜଣାଇବା ଆବଶ୍ୟକ । ଦକ୍ଷିଣ ଓଡିଶା ର ଅନେକ ପୁଅ ଓ ଝିଅ ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦିତ କରି ସାରିଛନ୍ତି ତେଣୁ ଜଣେ ଜାତି ସମାଜ ର ମୁଖିଆ ହିସାବରେ ନିଜ ନିଜ ଜାତି ସମାଜ ର ପିଲାମାନଙ୍କୁ ମଧ୍ୟ ସେଭଳି ତିଆରି ହେବା ପାଇଁ ପ୍ରସ୍ତୁତ କରିବା ଆବଶ୍ୟକ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର ଆହ୍ଵାନ ଦେଇଥିଲେ ।

କିଏ ବିଜ୍ଞାନୀ ହେବେ ତ କିଏ ପାଇଲଟ ହେବେ କିଏ ଶିକ୍ଷକ ହେବେ ତ କିଏ ପ୍ରଶାସନିକ ଅଧିକାରୀ ହେବେ କିନ୍ତୁ ଯଦି କମ ବୟସରେ ବିବାହ ହେବେ ଏହି ସବୁ ଆଶା ପୂରଣ ହୋଇ ପାରିବ ନାହିଁ । ତେଣୁ ସମସ୍ତେ ନିଜ ଅଞ୍ଚଳର ଶିଶୁ ମାନଙ୍କୁ ଆଗକୁ ଯିବା ପାଇଁ ପ୍ରବର୍ତ୍ତାଇବା ଆବଶ୍ୟକ । ଏହି କର୍ମଶାଳାରେ ସମସ୍ତ ୧୧ଟି ବ୍ଳକ ର ପ୍ରାୟ ୫୦ ଜଣ ଜାତି ସମାଜ ର ମୁଖିଆ ଓ ପାରମ୍ପରିକ ନେତୃତ୍ୱ ନେଉଥିବା ବ୍ୟକ୍ତି ବିଶେଷ ଓ ବିଭିନ୍ନ ଧାର୍ମିକ ସମ୍ପ୍ରଦାୟ ର ମୁଖ୍ୟ ମାନେ ଯୋଗ ଦେଇଥିଲେ ।

ପ୍ରକାଶ ଥାଉକି ଯେ, ରାୟଗଡ ଜିଲ୍ଲା ପ୍ରଶାସନ ବିଭିନ୍ନ ବିଭାଗ ର ମିଳିତ ସମନ୍ଵୟରେ ପ୍ରଚେଷ୍ଟା ଅଭିଯାନ ମାଧ୍ୟମରେ ଜିଲ୍ଲାରେ ପ୍ରତ୍ୟକ ସ୍ତରରେ ସଚେତନ କରାଇବା, ପ୍ରତ୍ୟେକ ଶିଶୁ କିପରି ନିୟମିତ ବିଦ୍ୟାଳୟକୁ ଯିବେ ଓ ପାଠ ପଢିବେ ତାହା ନିଶ୍ଚିତ କରାଇବା, ଅପପୁଷ୍ଟିକୁ ରୋକିବା, ପ୍ରାକ ବିଦ୍ୟାଳୟ ଶିକ୍ଷା ନିଶ୍ଚିତ କରାଇବା, ଶିଶୁ ମାନଙ୍କ ପାଇଁ ଶିଶୁ ଉପଯୋଗୀ ପରିବେଶ ନିଶ୍ଚିତ କରାଇବା, ଶିଶୁ ସୁରକ୍ଷା ର ବିଭିନ୍ନ ବ୍ୟବସ୍ଥା ଗୁଡିକୁ ଉପଲବ୍ଧ କରାଇବା, କିଶୋର ଓ କିଶୋରୀ ମାନଙ୍କୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଗୁଡିକରେ ସାମିଲ କରାଇବା, ସ୍ୱାସ୍ଥ୍ୟ ସୁବିଧାକୁ ନିଶ୍ଚିତ କରାଇବା ଓ କୌଣସି ଶିଶୁ ଯେପରି ଶିଶୁ ଶ୍ରମିକ ନ ହେବେ ସେଥି ପ୍ରତି ଗୁରୁତ୍ୱ ଦେଇ ବିଭିନ୍ନ ବିଭାଗ ସହିତ ମିଳିତ ଆଲୋଚନା କ୍ରମେ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯାଇଛି ।

ଏହି ସବୁ କାର୍ଯ୍ୟକ୍ରମକୁ ପ୍ରତ୍ୟେକ ସ୍ତରରେ ତଦାରଖ କରିବା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ଗଠନ ହୋଇଛି । ଏହି କାର୍ଯ୍ୟ ଖସଡାର ଅଂଶ ସ୍ୱରୁପ ଆଜି ରାୟଗଡ ଜିଲ୍ଲା ର ବିଭିନ୍ନ ଜାତି ସମାଜ ର ମୁଖିଆ ଓ ପାରମ୍ପରିକ ନେତୃତ୍ୱ ନେଉଥିବା ବ୍ୟକ୍ତି ବିଶେଷମାନଙ୍କୁ ନେଇ ଏହି ସବୁ ବିଷୟରେ ଆଲୋଚନା ହୋଇଥିଲା ଏବଂ ପ୍ରସ୍ତାବ କ୍ରମେ ଏକ କାର୍ଯ୍ୟଖସଡା ପ୍ରସ୍ତୁତ ହୋଇଥିଲା ।

ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରବି ନାରାୟଣ ତ୍ରିପାଠୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଉପଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ନିବେଦିତା ପଣ୍ଡା, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ପ୍ରଶାସକ, ଡଙ୍ଗରିଆ କନ୍ଧ ଉନ୍ନୟନ ପରିଷଦ, ଚାଟିକଣା ର ସ୍ୱତନ୍ତ୍ର ଅଧିକାରୀ, ଲାଞ୍ଜିଆ ସୌରା ଉନ୍ନୟନ ପରିଷଦ, ପୁଟାସିଙ୍ଗି ର ସ୍ୱତନ୍ତ୍ର ଅଧିକାରୀ, ଡଙ୍ଗରିଆ କନ୍ଧ ଉନ୍ନୟନ ପରିଷଦ, ପାର୍ସାଲି ର ସ୍ୱତନ୍ତ୍ର ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ବରିହା, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଅଶୋକ କୁମାର ଶତପଥି, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଶ୍ରୀ ରାଜ କିଶୋର ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଯାଜ୍ଞସେନୀ ବେହେରା, ଓରମାସ ର ମନୋଜ କୁମାର ପାତ୍ର, ଓଡିଶା ଜୀବିକା ମିଶନ ର ଜିଲ୍ଲା ପରିଚାଳକ ହେମନ୍ତ କୁମାର ବାଗ ଓ ଆକ୍ସନ ଏଡର ଜିଲ୍ଲା ସଂଯୋଜକ ରତ୍ନେଶ୍ୱର ସାହୁ ଏବଂ ଜିଲ୍ଲାର ସମସ୍ତ ସିଡିପିଓ ମାନେ ଉପସ୍ଥିତ ଥିଲେ ।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ ଶିଶୁ ମାନଙ୍କ ସୁରକ୍ଷା ପାଇଁ ପ୍ରଶାସନ ନେଇଥିବା ପଦକ୍ଷେପ ଗୁଡିକୁ ଆଲୋକପାତ କରିଥିଲେ । ଶେଷରେ ସମନ୍ଵିତ ଶିଶୁ ବିକାଶ ଯୋଜନା ର କାର୍ଯ୍ୟକ୍ରମ ଅଧିକାରୀ କାମାକ୍ଷୀ ମଞ୍ଜରି ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।