ପୋଲିସ ବିରୋଧରେ ପୁଣି ହାଜତ ମୃତ୍ୟୁ ଅଭିଯୋଗ : କୋର୍ଟ ଚାଲାଣର ଦିନକ ପରେ ବନ୍ଦୀ ମୃତ

0
116
ପୋଲିସ ବିରୋଧରେ

ରିପୋର୍ଟ : ରାମନାଥ ଗନ୍ତାୟତ
ବ୍ରହ୍ମପୁର, (୦୪/୦୬) : ପୁଣି ଥରେ ଚର୍ଚ୍ଚ ଓ ସନ୍ଦେହ ଘେରକୁ ଆସିଛି ବ୍ରହ୍ମପୁର ଜିଲ୍ଲା ର ଗୋଳନ୍ଥରା ଥାନା । କୋର୍ଟ ଚାଲାଣ ହେବାର ଦିନକ ପରେ ବନ୍ଦୀ ମୃତ । ପୋଲିସ ବିରୋଧରେ ଆସିଛି ହାଜତ ମୃତ୍ୟୁ ଭଳି ସଙ୍ଗୀନ ଅଭିଯୋଗ ।

ସୂଚନା ମୁତାବକ ଗିରଫ ଅଭିଯୁକ୍ତ ମିଟୁ ବେହେରା କୋର୍ଟ ଚାଲାଣ ହେବା ପରେ ଜେଲରେ ଅସୁସ୍ଥ ହୋଇ ପଡିଥିଲେ । ଏହା ପରେ ତାଙ୍କୁ ବଡ ମେଡିକାଲ ପଠାଯାଇଥିଲା, ହେଲେ ସେଠାରେ ତାଙ୍କ ମୃତ୍ୟୁ ଘଟିଛି । ଅପରପକ୍ଷେ ପୋଲିସ ହାଜତରେ ମାଡ ଯୋଗୁଁ ମିଟୁର ମୃତ୍ୟୁ ଘଟିଥିବା ନେଇ ପରିବାର ଲୋକେ ପୋଲିସ ବିରୋଧରେ ହାଜତ ମୃତ୍ୟୁ ଅଭିଯୋଗ କରିଛନ୍ତି । ମିଟୁର ସନ୍ଦେହଜନକ ମୃତ୍ୟୁକୁ ନେଇ ଏମକେସିଜି ମେଡିକାଲରେ ମୃତକଙ୍କ ସମ୍ପର୍କୀୟ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ।

ଖବର ପାଇ ଟାଉନ୍ ଏସଡିପିଓ ବିଷ୍ଣୁ ପ୍ରସାଦ ପତି, ସଦର ଏସଡିପିଓ ଶିବଶଙ୍କର ମହାପାତ୍ର ପହଞ୍ଚି ସେମାନଙ୍କୁ ବୁଝାସୁଜା କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ବେଆଇନ୍ ମଦ କାରବାର ଅଭିଯୋଗରେ ଗତ ୧ ତାରିଖରେ ଗୋଳନ୍ଥରା ଥାନା ପୋଲିସ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ସେମାନଙ୍କ ମଧ୍ୟରେ ମିଟୁ ବ୍ରହ୍ମପୁର ମଣ୍ଡଳ କାରଗାରରେ ବିଚାରଧୀନ ବନ୍ଦୀ ଥିଲେ । ତେବେ କୋର୍ଟ ଚାଲାଣର ଗୋଟେ ଦିନ ପରେ ମିଟୁ ର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନାହାଁନ୍ତି ପରିବାର । ପରିବାର ଲୋକେ ଅଭିଯୋଗ କରିଛନ୍ତି, ପୋଲିସ ତାଙ୍କୁ ମିଥ୍ୟା ମାମଲାରେ ଗିରଫ କରି ମାଡ ମାରିବା ଯୋଗୁଁ ମୃତ୍ୟୁ ଘଟିଛି ।