ଜଙ୍ଗଲୀ ହାତୀ ଆତଙ୍କ : ପୁଣି ଜଣଙ୍କର ଜୀବନ ନେଲା ଗଜରାଜ

0
217
ଜଙ୍ଗଲୀ ହାତୀ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୨୦/୦୬) : କିଛିଦିନ ର ବ୍ୟବଧାନ ପରେ ପୁଣି ନିଜର ସ୍ଥିତି ଜାହିର କରିଛନ୍ତି ଜଙ୍ଗଲୀ ହାତୀ ପଲ । ପୁଣି ଜଣେ ଆଦିବାସୀ ବ୍ୟକ୍ତିଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି ।

ମୃତକ ଜଣଙ୍କ ହେଲେ ଗୁଣପୁର ବ୍ଲକ ଟଲଣା ପଞ୍ଚାୟତ ରେଗିଡିଗର୍ଭାର ଇରିଣ୍ଡ ଶବର (୩୦) । ଇରିଣ୍ଡ ସବୁ ଦିନ ପରି ଜଙ୍ଗଲକୁ କାମ ପାଇଁ ଯାଇଥିଲେ । କାମ ସାରି ଫେରୁଥିବା ସମୟରେ ଇରିଣ୍ଡ ଜଙ୍ଗଲୀ ହାତୀ ସାମନାରେ ପଡି ଯାଇଥିଲେ । ହାତୀ ଘଟଣା ସ୍ଥଳରେ ତାଙ୍କୁ ମାରି ଦେଇଥିଲା ବୋଲି ଇରିଣ୍ଡଙ୍କ ପତ୍ନି ମିନତି ଶବର ପୁଟାସିଂ ଥାନାକୁ ଲିଖିତ ଭାବରେ ଜଣାଇଛନ୍ତି ।

ଘଟଣା ସମ୍ପର୍କରେ ଖବର ପାଇ ଗୁଣପୁର ବନ ବିଭାଗ ର ରେଞ୍ଜର ରଞ୍ଜନ କୁମାର ମହାନ୍ତି, ଡେପୁଟି ରେଞ୍ଜର ନିଳ ମାଧବ ପାଢୀଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଁଞ୍ଚିଥିଲେ । ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ସେଠାରେ ତାଙ୍କ ମୃତ ଦେହ ରହିଥିଲା । ପରେ ଗୁଣପୁର ଅଣାଯାଇ ଶବ ବ୍ୟବଚ୍ଛେଦ କରାଯାଇଥିବା ଡେପୁଟି ରେଞ୍ଜର ପାଢୀ ସୂଚନା ଦେଇଛନ୍ତି ।

ଏହାକୁ ମିଶାଇ ଗତ କିଛି ମାସ ମଧ୍ୟରେ ଗୁଣପୁର ଅଞ୍ଚଳରେ ୩ ଜଣଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି । ଅତ୍ୟଧିକ ମାତ୍ରାରେ ଗଛ କଟା ସାଙ୍ଗକୁ ଜଙ୍ଗଲ ଅଞ୍ଚଳରେ ଜନବସତି ଗଢିଉଠୁଥିବାରୁ ଏଭଳି ଦୁର୍ଘଟଣାମାନ ଘଟୁଥିବା ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି । ତେବେ ବନ ବିଭାଗ ଏହି ଦୁର୍ଗମ ଅଞ୍ଚଳର ଆଦିବାସୀ ମାନଙ୍କୁ ଜଙ୍ଗଲୀ ହାତୀ କବଳରୁ କିପରି ସୁରକ୍ଷା ପ୍ରଦାନ କରୁଛି ଦେଖିବାକୁ ବାକି ରହିଲା ।