ରାଜଧାନୀର ରାଜରାସ୍ତା ରେ ଆଣ୍ଠେଇ ଓ କାନ ଧରି ଶିକ୍ଷକ ଶିକ୍ଷୟତ୍ରୀଙ୍କ ଅଭିନବ ପ୍ରତିବାଦ

0
158

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୦୭/୦୮) : ପାଠ ପଢି ଆମେ ଭୁଲ୍ କରିଛୁ । ଆମ ବାପା-ମା ଆମକୁ ପାଠ ପଢାଇ ଭୁଲ୍ କରିଛନ୍ତି । ତେଣୁ ତାହାର ପ୍ରାୟଶ୍ଚିତ ସ୍ୱରୂପ ଆଜି ରାଜ ରାସ୍ତାରେ କାନ ଧରି ଆଣ୍ଠେଇ ବସିଛୁ । ଏହା କୌଣସି ଫିଲ୍ମର ଦୃଶ୍ୟ କିମ୍ବା ଡାଇଲକ୍ ନୁହେଁ । ଓଏସଏସଟିଇଟି ପରୀକ୍ଷାରେ ପାସ୍ କରିଥିବା ଆଶାୟୀ ଶିକ୍ଷକ ଶିକ୍ଷୟତ୍ରୀମାନେ ନିଯୁକ୍ତି ଦାବିରେ ଶୁକ୍ରବାର ରାଜଧାନୀର ରାଜରାସ୍ତା ଗାନ୍ଧୀମାର୍ଗ ଠାରେ ଆଣ୍ଠେଇ ଓ କାନ ଧରି ଅଭିନବ ପ୍ରତିବାଦ କରିଛନ୍ତି । ଏମାନେ ହିନ୍ଦୀ, ସଂସ୍କୃତ ଏବଂ କ୍ରୀଡା ଶିକ୍ଷକ ନିଯୁକ୍ତି ପାଇଁ ଆନ୍ଦୋଳନ କରିଛନ୍ତି ।

ଏମାନଙ୍କ ଅଭିଯୋଗ ଅନୁସାରେ ଦୀର୍ଘ ୭ବର୍ଷ ହେଲା ବିଭିନ୍ନ ସମୟରେ ଏମାନେ ଧାରଣା ଦେଇ ଅଭିଯୋଗ ଜଣାଉଛନ୍ତି, ହେଲେ ନିଯୁକ୍ତି ମିଳୁନାହିଁ । ଦୀର୍ଘ ଦିନର ଅପେକ୍ଷା ପରେ ୪ହଜାର ୪୪୫ ହିନ୍ଦୀ, ସଂସ୍କୃତ ଏବଂ କ୍ରୀଡା ଶିକ୍ଷକ ନିଯୁକ୍ତି ପାଇଁ ଅର୍ଥ ମଞ୍ଜୁର ଓ ୪ମାସ ମଧ୍ୟରେ ଶିକ୍ଷକ ନିଯୁକ୍ତି ନେଇ ସୂଚନା ଥିବା ବେଳେ ୭ ମାସ ବିତିଯାଇଥିଲେ ମଧ୍ୟ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇନଥିବା ଅଭିଯୋଗ ହାଇଛି । ଏହାକୁ ନେଇ ରାଜଧାନୀର ରାଜରାସ୍ତା ରେ ଆନ୍ଦୋଳନ କରିଛନ୍ତି ହିନ୍ଦୀ, ସଂସ୍କୃତ ଏବଂ କ୍ରୀଡା ଶିକ୍ଷକ ପାଇଁ ଯୋଗ୍ୟତା ଆଶାୟୀ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ।

ଆନ୍ଦୋଳନକାରୀ ଆଶାୟୀଙ୍କ କହିବା କଥା, ୨୦୧୪ରୁ ୨୦୨୧ ମସିହା ମଧ୍ୟରେ ରାଜ୍ୟ ସରକାର ନିଯୁକ୍ତି ନେଇ କୌଣସି ବିଜ୍ଞାପନ ବାହାର କଲେନାହିଁ । ତାଲିମ ପ୍ରାପ୍ତ ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ନିଯୁକ୍ତି ମିଳୁନାହିଁ । ରାଜ୍ୟ ସରକାରଙ୍କ ଏପରି ନୀତି ବିରୋଧରେ ଶିକ୍ଷିତ ବେକାର ଯୁବକ ଓ ଯୁବତୀମାନେ ଆଜି ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ରେ ଏକତ୍ର ହୋଇଥିଲେ । ପରେ ବିଶାଳ ଶୋଭାଯାତ୍ରାରେ ଯାଇ ଗାନ୍ଧୀ ମାର୍ଗରେ ଆଣ୍ଠେଇ ପ୍ରତିବାଦ କରିଥିଲେ । ୫ ଦଫା ଦାବି ପୂରଣ ପାଇଁ ଦାବି କରିଛନ୍ତି ।

ଦାବି ଗୁଡିକ ହେଲା, ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ୭ ବର୍ଷରୁ ଖାଲି ପଡିଥିବା ହିନ୍ଦୀ, ସଂସ୍କତ ଓ କ୍ରୀଡା ଶିକ୍ଷକ ପଦବୀ ପୂରଣ ପାଇଁ ତୁରନ୍ତ ବିଜ୍ଞାପନ ବାହାର କରାଯାଉ, ସଂରକ୍ଷିତ ପଦବୀ ଗୁଡିକ ଖାଲି ପଡିଲେ ସେ ଗୁଡିକୁ ସବର୍ଣ୍ଣମାନଙ୍କ ଦ୍ୱାରା ପୂର୍ଣ୍ଣ କରାଯାଉ, ଅନ୍ୟ ପ୍ରତିଯୋଗିତା ପରୀକ୍ଷାର ପ୍ରଶ୍ନପତ୍ର ଭଳି ଓଡିଆ, ଇଂରାଜୀ ଓ ହିନ୍ଦୀ ମାଧ୍ୟମରେ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଉ, ପରୀକ୍ଷାର ମୂଲ୍ୟାୟନ ଦୁଇଭାଗରେ ବିଭକ୍ତ ନକରି ସମ୍ପୂର୍ଣ୍ଣ ମାର୍କକୁ ନେଇ ପାସ୍ ମାର୍କ ନିର୍ଦ୍ଧାଣ କରାଯାଉ ଭଳି ପ୍ରମୁଖ ଦାବି ରହିଛି ।