ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ବାନ୍ଧିଲା ଇଡି : ସହଯୋଗୀଙ୍କ ଘରୁ ମିଳିଥିଲା ୨୦ କୋଟି

0
296
ଶିଳ୍ପ ମନ୍ତ୍ରୀ ପାର୍ଥ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
କୋଲକାତା, (୨୩/୦୭) : ପଶ୍ଚିମବଙ୍ଗ ର ପୂର୍ବତନ ଶିକ୍ଷା ମନ୍ତ୍ରୀ ତଥା ବର୍ତ୍ତମାନ ର ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ରାଜ୍ୟରେ ଶିକ୍ଷକ ନିଯୁକ୍ତିରେ ହୋଇଥିବା ଅନିୟମିତତା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ଶୁକ୍ରବାର ବିଭିନ୍ନ ସ୍ଥାନରେ ଇଡି ପକ୍ଷରୁ ରେଡ୍‌ କରାଯାଇଥିଲା ।

ରେଡ୍‌ ବେଳେ ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ୨୦ କୋଟି ଟଙ୍କା ମିଳିଥିଲା । ରେଡ୍‌ର ଦିନକରେ ପରେ ଇଡି ପାର୍ଥଙ୍କୁ ଗିରଫ କରିଛି । ସେହିପରି ଆଜି ମଧ୍ୟ ପାର୍ଥଙ୍କ ସମେତ ତାଙ୍କ ସହଯୋଗୀ ଓ ଟିଏମସି ର କିଛି ନେତାଙ୍କ ଘରେ ରେଡ ଜାରି ରହିଛି ।

ଇଡି ଅର୍ପିତାଙ୍କ ଘରୁ ୨୦ କୋଟି ଟଙ୍କା ଜବତ କରିବା ଖବର ପ୍ରକାଶ ପାଇବା ପରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ରାଜ୍ୟରେ କ୍ଷମତାସୀନ ମମତା ବାନାର୍ଜୀଙ୍କ ଟିଏମସିକୁ ଟାର୍ଗେଟ କରିଥିଲେ । ସେ ଇଡି ରେଡକୁ ନେଇ କହିଥିଲେ ଯେ “ଏହା କେବଳ ଟ୍ରେଲର, ଆଗକୁ ପୂରା ଫିଲ୍ମ ଦେଖିବାକୁ ମିଳିବ ।” ତାଙ୍କର ଏହି ଟ୍ୱିଟ ପରେ ହିଁ ଇଡି ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରିଛି ।

ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ରାତି ତମାମ ଶିକ୍ଷା ନିଯୁକ୍ତିରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ଇଡିର ଅଧିକାରୀମାନେ ପାର୍ଥ ଚାଟାର୍ଜୀଙ୍କୁ ପଚରାଉଚରା କରିଥିଲେ । ଏହାପରେ ତାଙ୍କୁ ଗିରଫ କରାଯାଇ ଇଡି ଅଫିସକୁ ଅଣାଯାଇଛି । ପାର୍ଥ ଶିକ୍ଷା ମନ୍ତ୍ରୀ ଥିବା ବେଳେ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା ।

ଏହି ଘଟଣାରେ ସିବିଆଇ ତାଙ୍କୁ ଏପ୍ରିଲ ୨୬ ଓ ମେ’ ୧୮ରେ ଦୁଇ ଥର ଜେରା କରିଥିଲା । ଏହାପରେ ଇଡି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ଇଡି ଶୁକ୍ରବାର ପାର୍ଥ ଚାଟାର୍ଜୀଙ୍କ ସମେତ ବେଙ୍ଗଲ ର ଶିକ୍ଷା ରାଜ୍ୟ ମନ୍ତ୍ରୀ ପରେଶ ସି ଅଧିକାରୀ, ବିଧାୟକ ତଥା ପଶ୍ଚିମବଙ୍ଗ ର ପ୍ରାଥମିକ ଶିକ୍ଷା ବୋର୍ଡ ର ପୂର୍ବତନ ସଭାପତି ମାନିକ ଭଟ୍ଟାଚାର୍ଯ୍ୟ, ଅର୍ପିତା ମୁଖାର୍ଜୀ ଓ ଅନ୍ୟ କିଛି ନେତାଙ୍କ ଠିକଣାରେ ରେଡ୍‌ କରିଥିଲେ ।

ଅର୍ପିତା ମୁଖାର୍ଜୀ ହେଉଛନ୍ତି ପାର୍ଥଙ୍କ ଘନିଷ୍ଠ ସହଯୋଗୀ । ସେ ୨୦୧୯ ଓ ୨୦୨୦ ରେ ପାର୍ଥଙ୍କ ଦୁର୍ଗା ପୂଜା କମିଟି ର ବିଜ୍ଞାପନ ଦାୟିତ୍ୱରେ ଥିଲେ । ଅର୍ପିତା ମୁଖାର୍ଜୀ ଏକାଧିକ ଓଡ଼ିଆ ସିନେମାରେ ମଧ୍ୟ ଅଭିନୟ କରିଛନ୍ତି । ଏଥିସହ ଅନେକ ସମୟରେ ପାର୍ଥ ଓ ତାଙ୍କୁ ବିଭିନ୍ନ ସ୍ଥାନରେ ଏକାଠି ଦେଖିବାକୁ ମିଳେ ।

ଏହି କାରଣରୁ ଇଡି କାଲି ଅର୍ପିତାଙ୍କ ଠିକଣାରେ ରେଡ୍‌ କରିଥିଲେ । ଏହି ସମୟରେ ସେଠାରୁ ନଗଦ ୨୦ କୋଟି ଟଙ୍କା ମିଳିଛି । ଏହି ଟଙ୍କା ଶିକ୍ଷା ନିଯୁକ୍ତିରେ ହୋଇଥିବା ଦୁର୍ନୀତିରୁ ମିଳିଥିବା ଇଡି ସନ୍ଦେହ କରୁଛି । ଏଥିସହ ଅର୍ପିତାଙ୍କ ଠିକଣାରୁ ୨୦ଟି ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି ।