ମୁଖ୍ୟ ରାସ୍ତା ପାଲଟିଛି ମରଣଯନ୍ତା : ବିଭିନ୍ନ ସ୍ଥାନରେ ବଢୁଛି ବଡ଼ ବଡ଼ ଗର୍ତ୍ତ

0
137
ମୁଖ୍ୟ ରାସ୍ତା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୨୫/୭) : ସୁବର୍ଣ୍ଣପୁର ଜିଲ୍ଲା ର ବିନିକା ସହର ଓ ଅଞ୍ଚଳ ଦେଇ ପଶ୍ଚିମ ଓଡ଼ିଶା ର ବିଭିନ୍ନ ଜିଲ୍ଲାକୁ ଯାଇଥିବା ମୁଖ୍ୟ ରାସ୍ତା ର ଶୋଚନୀୟ ଅବସ୍ଥା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି ।

କିଛି ମାସ ହେଲା ମୁଖ୍ୟ ରାସ୍ତା ର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ବଡ଼ ବଡ଼ ଗର୍ତ୍ତ ଏବେ ମୃତ୍ୟୁକୁ ଆମନ୍ତ୍ରଣ କରୁଥିବା ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । ସୋନପୁର ଜିଲ୍ଲା ସଦର ମହକୁମାର ଅର୍ଜୁନପୁର ଛକରୁ ବିନିକା ଏବଂ ବିନିକା ସହର ଠାରୁ ଏସ. ରାମପୁର ପର୍ଯ୍ୟନ୍ତ ଯାଇଥିବା ରାସ୍ତା ର ଅବସ୍ଥା ଏବେ ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଛି ।

ରାସ୍ତା ର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି । ତେବେ ଗୋଟିଏ ପଟେ ସଂକୀର୍ଣ୍ଣ ଅବସ୍ଥା ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟି ବହୁ ମୂଲ୍ୟବାନ ଧନ ଜୀବନ ହାନି ହେଉଥିବା ବେଳେ ଅନ୍ୟପଟେ ବିଭିନ୍ନ ସ୍ଥାନରେ ସୃଷ୍ଟି ହେଉଥିବା ବଡ଼ ବଡ଼ ଗର୍ତ୍ତ ଲୋକଙ୍କୁ ଭାରି ଅଡ଼ୁଆରେ ପକାଇ ଦେଉଥିବା ଅଭିଯୋଗ ହେଉଛି । ଏପରି ସ୍ଥିତିରେ ରାସ୍ତା ର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ବିରାଟ ଗର୍ତ୍ତ ଲୋକଙ୍କ ପାଇଁ କାଳ ସଦୃଶ ହୋଇଥିବା ବେଳେ ଏହା ଅତି ସହଜରେ ମୃତ୍ୟୁକୁ ଆମନ୍ତ୍ରଣ କରୁଥିବା କୁହାଯାଉଛି ।

ରାସ୍ତାରେ ଦୈନନ୍ଦିନ ହଜାର ହଜାର ସଂଖ୍ୟାରେ ଯାନବାହାନ ଚଳାଚଳ କରୁଥିବା ସତ୍ତ୍ୱେ ମଧ୍ୟ ସମସ୍ୟା ର ସମାଧାନ ଲାଗି ଅଦ୍ୟାବଧି ପର୍ଯ୍ୟନ୍ତ ସରକାର କୌଣସି ପ୍ରକାର ଗୁରୁତ୍ୱ ଦେଉ ନ ଥିବାରୁ ଲୋକେ ଅସୁବିଧା ଭୋଗୁଛନ୍ତି । ରାସ୍ତା ଅବ୍ୟବସ୍ଥା ସମ୍ପର୍କରେ ଜନ ସାଧାରଣରେ ଏ ନେଇ ବାରମ୍ବାର ଦାବି ହୋଇ ଆସୁଥିଲେ ସୁଦ୍ଧା ବିଭାଗ ଏ ନେଇ ଆଦୌ କୌଣସି ପ୍ରକାର ଧ୍ୟାନ ଦେଉ ନ ଥିବାରୁ ତୀବ୍ର ଅସନ୍ତୋଷ ବୃଦ୍ଧି ପାଉଛି ।

ବରଗଡ଼ ଜିଲ୍ଲାର ସୋହେଲା ଠାରୁ ବରପାଲି-ରାମପୁର-ବିନିକା ସହର ଦେଇ ସୋନପୁର ସଦର ମହକୁମାର ଅର୍ଜୁନପୁର ଛକ ଠାରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ସହିତ ଏହି ରାସ୍ତାକୁ ମଧ୍ୟ ଜାତୀୟ ରାଜପଥରେ ମାନ୍ୟତା ପ୍ରଦାନ କରି ପ୍ରଶସ୍ତିକରଣ କରିବା ଲକ୍ଷ୍ୟରେ ସରକାର ରଖିଥିବା ପ୍ରସ୍ତାବ ବିଳମ୍ବିତ ମଞ୍ଜୁରୀ ପ୍ରଦାନ ଯୋଗୁଁ ଏବେ ଲୋକେ ହଇରାଣ ହେଉଥିବା ଅଭିଯୋଗ ହେଉଛି ।

ଜାତୀୟ ରାଜପଥ ମାନ୍ୟତା ଆଳରେ ଏହି ପ୍ରମୁଖ ଅର୍ଥନୈତିକ କରିଡ଼ର ରାସ୍ତା ର ଦୂରବସ୍ଥା ନେଇ ବିଭିନ୍ନ ମହଲରେ ଅସନ୍ତୋଷ ବୃଦ୍ଧି ପାଉଛି । ତେଣୁ ସମସ୍ୟା ସମ୍ପର୍କରେ ରାଜ୍ୟ ସରକାର ଦୃଷ୍ଟି ଦେଇ ତୁରନ୍ତ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଜନ ସାଧାରଣରେ ଦାବି ହେଉଛି ।