ରାତି ଅଧରେ ସାଂସଦ ସଞ୍ଜୟ ରାଉତଙ୍କୁ ବାନ୍ଧିଲା ଇଡି

0
122
ରାତି ଅଧରେ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ମୁମ୍ବାଇ, (୦୧/୦୮) : ପାତ୍ରା ଚୌଲ ଜମି ଦୁର୍ନୀତି ମାମଲାରେ ଗତ କାଲିଠୁ ଅଟକ ଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ବିଳମ୍ବିତ ରାତି ଅଧରେ ଗିରଫ କରିଛି ଇଡି ।

ଗତକାଲି ରାତି ଅଧରେ ତାଙ୍କୁ ଗିରଫ କରାଯାଇଥିବା ସଞ୍ଜୟଙ୍କ ଭାଇ ସୁନୀଲ ରାଉତ ସୂଚନା ଦେଇଛନ୍ତି । ଆଜି ସକାଳ ସାଢେ ୧୧ ଟାରେ PMLA ରେ ସଞ୍ଜୟ ରାଉତ ଙ୍କୁ କୋର୍ଟରେ ହାଜର କରାଯିବ । ଗତକାଲି ସକାଳ ୭ ଟାରେ ସିଆରପିଏଫ ଯବାନଙ୍କ ସହାୟତାରେ ଇଡି ସଞ୍ଜୟ ରାଉତଙ୍କ ଘର ମୈତ୍ରୀ ବଙ୍ଗଳାରେ ରେଡ୍ ଆରମ୍ଭ କରିଥିଲା । ଦୀର୍ଘ ୯ ଘଣ୍ଟାର ଛାନଭିନ୍‌ କରିବା ପରେ ସଞ୍ଜୟଙ୍କ ଘରୁ ୧୧ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଛି ଇଡି ।

ପରେ ଅପରାହ୍ନ ପ୍ରାୟ ୪ ଟା ପରେ ଇଡି ଟିମ୍‌ ସଞ୍ଜୟଙ୍କୁ ଅଟକ ରଖିଥିଲା । ଏହି ଖବର ପ୍ରଚାରିତ ହେବା ପରେ ସଞ୍ଜୟଙ୍କ ଘର ସମ୍ମୁଖରେ ପ୍ରବଳ ଭିଡ଼ ହୋଇଥିଲା । ପୁଲିସ୍‌ ପହଞ୍ଚି ଭିଡ଼ ହଟାଇବା ପରେ ସଞ୍ଜୟଙ୍କୁ ଇଡି କାର୍ଯ୍ୟାଳୟକୁ ନିଆଯାଇଥିଲା । ସଞ୍ଜୟଙ୍କ ଗିରଫଦାରୀ ପରେ ତାଙ୍କୁ ପଚରାଉଚରା ପାଇଁ ଇଡି ର ବରିଷ୍ଠ ଅଧିକାରୀ ଦିଲ୍ଲୀରୁ ଆସି ମୁମ୍ବାଇରେ ପହଞ୍ଚିଥିଲେ । ଅପରାହ୍ନ ପ୍ରାୟ ୫ଟା ପରେ ଇଡି ର ବରିଷ୍ଠ ଅଧିକାରୀ ସଞ୍ଜୟଙ୍କୁ ପଚରାଉଚରା କରିଥିଲେ । ସେଠାରେ ଦୀର୍ଘ ସମୟ ପଚରାଉଚରା ପରେ ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରାଯାଇଥିଲା ।

ସଞ୍ଜୟଙ୍କ ଘରୁ ଜବତ ଟଙ୍କା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କର ବୋଲି ସଞ୍ଜୟ ରାଉତଙ୍କ ଭାଇ ଦାବି କରିଛନ୍ତି । ସଞ୍ଜୟଙ୍କ ଘରୁ ଯେଉଁ ଟଙ୍କା ଇଡି ଜବତ କରିଛି ତାହା ଶିବସୈନିକଙ୍କ ଅଯୋଧ୍ୟା ଗସ୍ତ ପାଇଁ ଉଦ୍ଦିଷ୍ଟ ଥିଲା । ଏପରିକି ଉକ୍ତ ଟଙ୍କା ଉପରେ ଥିବା ଏକ କାଗଜରେ ତାହା ଲେଖାଯାଇଛି । ଏ ନେଇ ସେ କହିଛନ୍ତି, ଇଡି ସଞ୍ଜୟ ରାଉତଙ୍କୁ ଡରୁଛି, ତେଣୁ ତାଙ୍କୁ ଗିରଫ କରିଛି । ମିଥ୍ୟା ଦସ୍ତାବିଜ ଆଧାରରେ ସଞ୍ଜୟଙ୍କୁ ଗିରଫ କରାଯାଇଛି । ଜାଣିଶୁଣି ତାଙ୍କୁ ପାତ୍ରା ଚୌଲ ସ୍କାମରେ ଫସାଇବାକୁ ଚେଷ୍ଟା କରାଯାଉଛି । କେବଳ ତାଙ୍କ ସ୍ୱରକୁ ଦାବିବାକୁ ଏପରି ଅପପ୍ରଚେଷ୍ଠା କରାଯାଉଛି ।

ମୁମ୍ବାଇ ର ପାତ୍ରା ଚୌଲ ଉନ୍ନତୀକରଣ କାର୍ଯ୍ୟରେ ସଞ୍ଜୟଙ୍କ ସ୍ତ୍ରୀ ଏବଂ ସହଯୋଗୀଙ୍କ ସଂପୃକ୍ତି ନେଇ ଅନିୟମିତତା ଅଭିଯୋଗ ହୋଇଛି । ଏ ନେଇ ମୁମ୍ବାଇର ବକୋଲା ଥାନାରେ ଜଣେ ମହିଳା ସଞ୍ଜୟଙ୍କ ବିରୋଧରେ ଏକ ଏଫଆଇଆର ରୁଜ୍ଜୁ କରିଛନ୍ତି । ଇଡି କାର୍ଯ୍ୟାଳୟରେ ପହଞ୍ଚିବା ପରେ ସଞ୍ଜୟ ରାଉତ କହିଥିଲେ, ମହାରାଷ୍ଟ୍ରକୁ ଦୁର୍ବଳ କରିବାକୁ ଚେଷ୍ଟା କରାଯାଉଛି । କିନ୍ତୁ ଯେତେ ଝଡ଼ ଆସିଲେଣି ସେ ନଇଁବେ ନାହିଁ । ମିଥ୍ୟା ତଥ୍ୟ ଆଧାରରେ ଇଡି ତାଙ୍କ ପଛରେ ପଡିଛି ।

ଇଡି ପକ୍ଷରୁ ପୂର୍ବରୁ ସଞ୍ଜୟ ରାଉତଙ୍କୁ ଦୁଇଟି ସମନ ପଠାଯାଇଥିଲା । ଶେଷ ଥର ପାଇଁ ଜୁଲାଇ ୨୭ ରେ ଏକ ସମନ ହୋଇଥିଲା । ଇଡି କରିଥିବା ସମନ ର ଉତ୍ତର ସେ ନିଜ ଓକିଲ ଦ୍ୱାରା ପଠାଇଥିଲେ । ସଂସଦ ଅଧିବେଶନ ଚାଲୁଥିବାରୁ ଅଗଷ୍ଟ ୭ ତାରିଖ ପରେ ସେ ହାଜର ହେବେ ବୋଲି ଇଡିକୁ ଜଣାଇଥିଲେ । ହେଲେ କାଲି ଅତର୍କିତ ଭାବେ ଇଡି ତାଙ୍କ ଘରେ ପଶିଥିବା ବେଳେ ରାତି ଅଧରେ ତାଙ୍କୁ ଗିରଫ କରିଛି ।

ସେପଟେ ଏହି ଗିରଫଦାରୀ କୁ ନେଇ ମହାରାଷ୍ଟ୍ର ସରକାରଙ୍କୁ ଦାୟୀ କରିଛନ୍ତି ତାଙ୍କ ଭାଇ । ଆକ୍ରୋଶମୂଳକ ଭାବେ ରାଜନୈତିକ ପ୍ରତିଶୋଧ ପରାୟଣତା ଭାବନା ରଖି ସଞ୍ଜୟଙ୍କୁ ଟାର୍ଗେଟ୍ କରାଯାଉଛି । ଏହାବାଦ ଶିବସେନା ନେତା ଉଦ୍ଧବ ଠାକରେଙ୍କ ନିକଟତର ହୋଇଥିବାରୁ ସଞ୍ଜୟ ରାଉତଙ୍କୁ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ କରାଯାଉଥିବା କହି ମହାରାଷ୍ଟ୍ର ର ଗାଦିସୀନ ସରକାରଙ୍କୁ ଟାର୍ଗେଟ କରିଛନ୍ତି ତାଙ୍କ ଭାଇ ।