ଭୋଟର ତାଲିକାରେ ଆଧାରକାର୍ଡ ସଂଯୁକ୍ତ ଅଭିଯାନ

0
129
ଭୋଟର ତାଲିକାରେ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୦୩/୦୮) : ନିର୍ବାଚନ କମିଶନ ଭୋଟର ତାଲିକାରେ ସ୍ୱଚ୍ଛତା ଆଣିବାକୁ ବିଭିନ୍ନ ପ୍ରୟାସ ଜାରି ରଖିଛନ୍ତି । ଭୋଟର ତାଲିକାରେ ଫଟୋ ସଂଯୁକ୍ତ କରାଯିବା ପରେ ବର୍ତ୍ତମାନ ସେଥିରେ ଆଧାର କାର୍ଡ ସଂଯୁକ୍ତ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିବା ଜଣାଯାଇଛି ।

ଭୋଟର ତାଲିକାରେ ଆଧାର କାର୍ଡ ସଂଯୁକ୍ତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲା ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ବୌଦ୍ଧ ର ଭାରପ୍ରାପ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ରାଜନୈତିକ ଦଳ ର ପ୍ରତିନିଧିଙ୍କୁ ଡକାଯାଇ ଭୋଟର ତାଲିକାରେ ଆଧାର କାର୍ଡ ସଂଯୁକ୍ତ କରିବାକୁ ନିର୍ବାଚନ କମିଶନ ନେଇଥିବା ନିଷ୍ପତ୍ତି ସଂପର୍କରେ ସୂଚନା ଦିଆଯିବା ସହିତ ଏହି କାର୍ଯ୍ୟରେ ରାଜନୈତିକ ଦଳଗୁଡିକ ସହଯୋଗ କରିବାକୁ ନିବେଦନ କରାଯାଇଛି ।

ଭୋଟରମାନେ ଅନଲାଇନରେ ନିଜର ଭୋଟର ତାଲିକାରେ ଆଧାର କାର୍ଡ ସଂଯୁକ୍ତ କରିପାରିବେ କିମ୍ବା ବୁଥ ସ୍ତରୀୟ ଅଧିକାରୀଙ୍କ ଜରିଆରେ କରିପାରିବେ । ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାରୋଟି ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମ ହେବାକୁ ଥିବା ବେଳେ ତାଲିକା ରେ ସଂଯୁକ୍ତ ହେବାକୁ ଥିବା ନୂତନ ଭୋଟରମାନେ ମଧ୍ୟ ଏହାର ଲାଭ ପାଇ ପାରିବେ । ପ୍ରତ୍ୟେକ ପର୍ଯ୍ୟାୟରେ ନୂତନ ଭୋଟରମାନଙ୍କ ନାମ ମୁଖ୍ୟ ତାଲିକା ସହିତ ସଂଯୁକ୍ତ ହୋଇପାରିବ ।

ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବୁଥ ସ୍ତରୀୟ ଅଧିକାରୀ ମାନଙ୍କ ଏକ କର୍ମଶାଳା ମଧ୍ୟ ଅନୁଷ୍ଠିତ ହୋଇଯାଇଛି । କିଛି ଅଧିକାରୀ ଏ ନେଇ ଭୁବନେଶ୍ୱରରେ ହେବାକୁ ଥିବା ତାଲିମ ଗ୍ରହଣ କରି ଫେରିବା ପରେ ଜିଲ୍ଲା ସ୍ତରରେ ବୁଥସ୍ତରୀୟ ଅଧିକାରୀ ମାନଙ୍କୁ ତାଲିମ ପ୍ରଦାନ କରିବେ । ବୈଠକରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ସନତ କୁମାର ନାଏକ ଭୋଟର ତାଲିକା ରେ ଆଧାରକାର୍ଡ ସଂଯୁକ୍ତ ପ୍ରକ୍ରିୟା ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବୌଦ୍ଧ ତହସିଲଦାର ଦେବୀ ପ୍ରସାଦ ଦାଶ, ହରଭଙ୍ଗା ତହସିଲଦାର ଶମ୍ଭୁ ପ୍ରସାଦ ମିଶ୍ର, କଣ୍ଟାମାଳ ଭାରପ୍ରାପ୍ତ ତହସିଲଦାର ଧନଞ୍ଜୟ ସାହୁ, ବୌଦ୍ଧ ବ୍ଲକ ଏବିଡିଓ ପ୍ରମୋଦ କୁମାର ମିଶ୍ର ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖଙ୍କ ସମେତ ବୁଥ ସ୍ତରୀୟ ଅଧିକାରୀ ମାନେ ଯୋଗଦେଇଥିଲେ । ସେହିପରି ରାଜନୈତିକ ଦଳ ଗୁଡିକ ପକ୍ଷରୁ ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତି, ଜିଲ୍ଲା ବିଜେଡି ସମ୍ପାଦକ ଶିତାଂଶୁ ଶେଖର ମହାକୁଳ, ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ସମରେଶ ମିଶ୍ର ପ୍ରମୁଖ ଯୋଗଦେଇଥିଲେ ।